ନିର୍ମାଣ ପରଠୁ ଛେଳି ଗୁହାଳ ପାଲଟିଛି ତହସିଲ କ୍ବାର୍ଟର୍ସ

ବାଲିପାଟଣା: ବାଲିପାଟଣା ତହସିଲ କ୍ବାର୍ଟର୍ସ ନିର୍ମାଣ ପରଠାରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିପଡ଼ି ଶେଷରେ ଛେଳି ଗୁହାଳ ପାଲଟି ଯାଇଛି। ସବୁ ସୁବିଧା ଥିବା ସତ୍ତ୍ବେ କୌଣସି କର୍ମଚାରୀ ଏହି ସରକାରୀ କ୍ବାର୍ଟର୍ସକୁ ବ୍ୟବହାର କରୁନାହାନ୍ତି। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ନୂଆ ସରକାରୀ ଘରଗୁଡ଼ିକ ଭୂତକୋଠି ପାଲଟି ଗଲାଣି। ଏହି ମଉକାରେ ସ୍ଥାନୀୟ ଜଣେ ବ୍ୟକ୍ତି ନୂଆ ଘରର ତାଲା ଭାଙ୍ଗି ସେଥି‌ରେ ଛେଳି ରଖିଥିବା ଜଣାପଡ଼ିଛି। ତେବେ କଥାଟି ପଦାକୁ ଆସିବା ପରେ ଏବେ ତହସିଲ କର୍ତ୍ତୃପକ୍ଷ ଉକ୍ତ ଛେଳି ମାଲିକକୁ ତାଗିଦ୍‌ କରିବା ସହ ଛେଳିଗୁଡ଼ିକୁ ବାହାର କରିଛନ୍ତି। ପ୍ରସଙ୍ଗଟି ବାଲିପାଟଣାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଥାଉକି, ୨୦୦୯ ଜାନୁଆରି ୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତହସିଲ ଅଫିସ ଓ କ୍ବାର୍ଟର୍ସ ନିର୍ମାଣର ଶିଳାନ୍ୟାସ କରିଥିଲେ। ଏଥିପାଇଁ ୧୬ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୧୧ ଜାନୁଆରି ୧୧ରେ ମୁଖ୍ୟମନ୍ତ୍ରୀ ନୂଆ କାର୍ଯ୍ୟାଳୟ ଓ କ୍ବାର୍ଟର୍ସକୁ ଉଦ୍‌ଘାଟନ କରିଥିଲେ। ନୂଆ କୋଠାରେ ତହସିଲ କାର୍ଯ୍ୟାଳୟ ଚାଲିଲା। କିନ୍ତୁ ପାନୀୟ ଜଳ ଓ ପାଚେରି ବ୍ୟବସ୍ଥା ନଥିବାରୁ କ୍ବାର୍ଟର୍ସ ସେମିତି ପଡ଼ି ରହିଲା। ମାତ୍ର କିଛି ଦିନ ପରେ ପାଚେରି ନିର୍ମାଣ ହେଲା ଏବଂ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଗଲା। ଏଥିପାଇଁ ପୁଣି ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା।

କିନ୍ତୁ କୌଣସି କର୍ମଚାରୀ ଏହି ସରକାରୀ ବାସଭବନକୁ ବ୍ୟବହାର କଲେ ନାହିଁ। ଫଳରେ ୩ଟି ଯାକ କ୍ବାର୍ଟର୍ସ ପରିତ୍ୟକ୍ତ ଅବସ୍ଥ‌ାରେ ପଡ଼ି ରହିଲା। ଏହା ଚାରିପଟେ ବଣ ଜଙ୍ଗଲ ସୃଷ୍ଟି ହେଲା। ଧୀରେଧୀରେ ଏହା ଭୂତକୋଠି ପାଲଟିଗଲା। ଏହି ମଉକାରେ ଜଣେ ଛେଳି ମାଲିକ ତାକୁ ଗୁହାଳ କରିଦେଲେ। ‌ଗୋଟିଏ କ୍ବାର୍ଟର୍ସରେ ଛେଳି ରଖିଲେ। ଏହା ଭିତରେ ବାତ୍ୟାରେ ଉକ୍ତ ଘରଗୁଡ଼ିକ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହେଲା। ପୁଣି କ୍ଵାର୍ଟର୍ସ ମରାମତି ପାଇଁ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ଦିଆଗଲା। କିନ୍ତୁ ତାହା କାର୍ଯ୍ୟକାରୀ ହେଲାନାହିଁ କି ତହସିଲ୍ ପ୍ରଶାସନକୁ ଏହି ଘରଗୁଡ଼ିକ ହସ୍ତାନ୍ତର ହୋଇପାରିଲାନାହିଁ। ଛେଳିଗୁହାଳ ହୋଇଥିବା ଖବର ପାଇ ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ପରିଦର୍ଶନ କରିଥିଲେ। ଘରଗୁଡ଼ିକର ତାଲା ଓ ଗ୍ରିଲ୍‌ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏମିତିକି ସେଠାରେ ଛେଳି ରଖୁଥିବା ବ୍ୟକ୍ତିଙ୍କୁ ତାଗିଦ୍ କରିଥିଲେ।

ସମ୍ବନ୍ଧିତ ଖବର