ପରିତ୍ୟକ୍ତ ଅବସ୍ଥାରେ ବାଲିପାଟଣା ତହସିଲ କ୍ୱାର୍ଟର୍ସ: ଉଦ୍‌ଘାଟନ ପରଠୁ ରହୁନାହାନ୍ତି କର୍ମଚାରୀ, ପାଲଟିଛି ଗୋରୁ, ମେଣ୍ଢା, ଛେଳିଙ୍କ ଆଶ୍ରୟସ୍ଥଳୀ

ରାତି ହେଲେ କ୍ବାର୍ଟର୍ସ ପରିସରରେ ଗଡ଼ୁଛି ମଦ ବୋତଲ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ତହସିଲ କାର୍ଯ୍ୟାଳୟର ଅଫିସର ଓ କର୍ମଚାରୀଙ୍କ ରହିବା ଲାଗି ସରକାରୀ ଅର୍ଥରେ ନିର୍ମାଣ ହୋଇଛି କ୍ବାର୍ଟର୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରଠାରୁ ପ୍ରାୟ ୧୦ ବର୍ଷ ହେଲା କ୍ବାର୍ଟର୍ସର ପରିତ୍ୟକ୍ତ ହୋଇପଡ଼ିଛି। ସରକାରୀ କର୍ମଚାରୀଙ୍କ ବଦଳରେ ଏହା ଗୋରୁ, ମେଣ୍ଢା, ଛେଳିଙ୍କ ଆଶ୍ରୟସ୍ଥଳ ପାଲଟିଛି। ବଡ଼ବଡ଼ିଆ ସରକାରୀ ଅଫିସର ଓ କର୍ମଚାରୀ ଗ୍ରାମାଞ୍ଚଳରେ ରହିବାକୁ ଯେ ପସନ୍ଦ କରୁନାହାନ୍ତି ଏଥିରୁ ସ୍ପଷ୍ଟ ଅନୁମେୟ।

ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଫିସର ଓ କର୍ମଚାରୀ ସେହି ଅଞ୍ଚଳରେ ରହି ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାରୀ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କ୍ବାର୍ଟର୍ସ ନିର୍ମାଣ ହେଉଛି। ବାସ୍ତବରେ ତାହା କେତେ କାର୍ଯ୍ୟକାରୀ ହେଉଛି ଏହି ଘଟଣାରୁ ଜଳଜଳ ଦେଖାଯାଉଛି।

୨୦୦୯ ମସିହା ଜାନୁଆରି ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତହସିଲ କାର୍ଯ୍ୟାଳୟ ଗୃହ ଓ କ୍ବାର୍ଟର୍ସ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ। ୨୦୧୧ ଜାନୁଆରି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ ମଧ୍ୟ କରିଥିଲେ। ୧୬ ଲକ୍ଷ ଟଙ୍କା ବ୍ୟୟରେ ଏହି କ୍ବାର୍ଟର୍ସ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଚୀର ନିର୍ମାଣ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ସରକାରୀ ଅର୍ଥ ବ୍ୟୟ ହୋଇଛି। ହେଲେ ଦୁଃଖର ବିଷୟ ଉଦ୍‌ଘାଟନ ପରଠାରୁ କ୍ବାର୍ଟର୍ସ ଗୁଡ଼ିକରେ ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ। ଫନି ବାତ୍ୟାରେ ଘରର ଅନେକ କ୍ଷତି ଘଟିଥିବା ବେଳେ କବାଟ, ଝରକା, ପାଚେରି ଭାଙ୍ଗି ଯାଇଛି। ଫଳରେ ଏହି ଘର ଗୁଡ଼ିକ ଖୋଲା ମେଲା ପଡ଼ିଛି। ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି। କ୍ବାର୍ଟର୍ସ ପରିସରରେ ରାତି ହେଲେ ମଦ ବୋତଲ ଗଡ଼ୁଛି। କ୍ବାର୍ଟର୍ସ ଗୁଡ଼ିକ ସାପ, ବେଙ୍ଗ ଓ ମୂଷାଙ୍କ ସହିତ ବିଭିନ୍ନ ସରୀସୃପଙ୍କ ଆଶ୍ରୟସ୍ଥଳ ପାଲଟିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି କର୍ମଚାରୀ ନରହିବେ ତେବେ ସରକାର କାହିଁକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ? କ୍ବାର୍ଟର୍ସ ଗୁଡ଼ିକରେ ରହିବ କିଏ? ନାଁ ଏହିପରି ପଡ଼ି ପଡ଼ି ଭୂତକୋଠି ପାଲଟିଯିବ। ତୁରନ୍ତ ଉକ୍ତ ସରକାରୀ କ୍ବାର୍ଟର୍ସ ଗୁଡ଼ିକର ପୁନଃରୁଦ୍ଧାର କରାଯାଇ କର୍ମଚାରୀ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର