ରହସ୍ୟ ଘେରରେ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଯାଞ୍ଚ ହେବ ସୁଇସାଇଡ୍‌ ନୋଟ୍‌, ହାତରେ ବନ୍ଧୁଙ୍କ ଟାଟୁ, ସନ୍ଦେହରେ ସନ୍ତୋଷ ଓ ରାଜାଙ୍କ ଭୂମିକା

ଭୁବନେଶ୍ବର/ଜଗତସିଂପୁର ଟାଉନ : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣା ଏବେ ଜଟିଳ ମୋଡ ନେଉଛି। ତାଙ୍କ ମୃତ୍ୟୁ ପାଇଁ ସେ ସୁଇସାଇଡ୍‌ ନୋଟ୍‌ରେ କାହାକୁ ଦାୟୀ କରିନଥିଲେ ମଧ୍ୟ ପରିବାର ଲୋକ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ସୁଇସାଇଡ୍‌ ନୋଟ୍‌ଟି ରଶ୍ମିରେଖା ନିଜେ ଲେଖିଛନ୍ତି ନା ଅନ୍ୟ କେହି ଲେଖିଛି, ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତେଣୁ ସୁଇସାଇଡ୍‌ ନୋଟ୍‌ର ହସ୍ତାକ୍ଷରକୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା ପୂର୍ବରୁ କେଉଁମାନଙ୍କୁ କଲ୍‌ କରିଥିଲେ? ତାଙ୍କ ନମ୍ବରକୁ କେଉଁ କେଉଁ ନମ୍ବରରୁ କଲ୍‌ ଆସିଛି? କାହା ସହ କେତେ ସମୟ କଥା ହୋଇଥିଲେ? ହ୍ବାଟସ୍‌ଆପ୍‌ କଲ୍‌ ଓ ଭିଡିଓ କଲ୍‌ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଏପର୍ଯ୍ୟନ୍ତ ତାଙ୍କ ପୁରୁଷ ବନ୍ଧୁ ସନ୍ତୋ‌ଷଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ। ତେବେ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ରଶ୍ମିରେଖାଙ୍କ ମୋବାଇଲ୍‌ କଲ୍‌, ଲ୍ୟାପଟ୍‌ପର ତଥ୍ୟ, ସାଇଣ୍ଟିଫିକ୍‌ ରିପୋର୍ଟ ଏବଂ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଯେଉଁମାନଙ୍କ ସମ୍ପୃକ୍ତି ଥିବ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।

ଏହା ଭିତରେ ଏକ ଅଡିଓ ଟେପ ଭାଇରାଲ୍‌ ହୋଇଛି। ଯେଉଁଥିରେ ରାଜା ନାମକ ଜଣେ ଯୁବକଙ୍କୁ ନେଇ ସନ୍ତୋଷ ଓ ରଶ୍ମିରେଖାଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ସନ୍ତୋଷ ରଶ୍ମିରେଖାଙ୍କୁ ପଚାରିଛନ୍ତି ଯେ ରାଜା ମତେ କାହିଁକି ବ୍ଲକ୍ କରିଛି? ରଶ୍ମିରେଖା ରାଗିଯାଇ କହିଥିଲେ ଯେ ତାଡ଼ି ହୋଇଗଲା ବ୍ଲକ୍ କଲେ। ତୁ କାଇଁ ତାକୁ କଲ୍ କରୁଛୁ, ମୋତେ ଟିକେ କହୁନୁ। ଘରକୁ ଗଲେ ଗଲେ ଫୋନ୍ କରି କହିବି ବୋଲି ସନ୍ତୋଷ କହିଥିଲେ। ରଶ୍ମିରେଖା କହିଥିଲେ ସେଟା ଭଲ ପିଲା ନୁହେଁ ସାଇକୋ ଟା, ପାଗଳାଟା, ମାଡ଼ ଖାଏ ତାହା ସହ କଥା ହୁଅନି। ବାର୍ତ୍ତାଳାପରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ରାଜାଙ୍କୁ ନେଇ ଉଭୟଙ୍କ ମଧ୍ୟ ଝଡ଼ ସୃଷ୍ଟି ହୋଇଥିଲା। ସବୁବେଳେ ଝଗଡ଼ା ମଧ୍ୟ ଲାଗୁଥିଲା। ଖାଲି ସେତିକି ନୁହେଁ, ନିଜକୁ ଖରାପ ଝିଅ ବୋଲି ସୁଇସାଇଡ୍ ନୋଟରେ ଦର୍ଶାଇଛନ୍ତି ରଶ୍ମିରେଖା। ସେ ଲେଖିଛନ୍ତି ଆଇ ଲଭ୍ ୟୁ ସନ୍। ବେବି ତତେ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ। ହେଲେ ମୁଁ ଆଉ ପାରୁନି। ମତେ ଭୁଲି ଯିବୁ। ଆଉ ଭଲରେ ତୋ ଲାଇଫ୍ ତିଆରି କରିବୁ। ୟାର ମୁଁ ବହୁତ ଖରାପ ଝିଅ ୟାର୍। ସନ୍ତୋଷ ତାଙ୍କ ଚରିତ୍ରକୁ ସନ୍ଦେହ କରୁଥିବାରୁ ସେ ଏଭଳି ସୁଇସାଇଡ୍ ନୋଟ୍ ଲେଖିଥିବା ଅନୁମାନ କରୁଛି ପୁଲିସ।

ରଶ୍ମିରେଖା ସହ ରାଜାଙ୍କର ପୂର୍ବରୁ ଚିହ୍ନା ପରିଚିତ। ରାଜାଙ୍କ ଘର ଜଗତସିଂହପୁର ଜିଲ୍ଲାର ବିରିଡ଼ି ଅଞ୍ଚଳରେ। ଉଭୟ ଟେଲି ସିରିଏଲ୍‌ରେ ଅଭିନୟ କରନ୍ତି। ସିରିଏଲରେ ଅଭିନୟ ଶେଷ ହେଉଥିବାରୁ ରାଜାର ପରାମର୍ଶକ୍ରମେ ରଶ୍ମିରେଖା ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଫାଇନାନ୍ସ ସଂସ୍ଥାରେ ଚାକିରି କରିଥିଲେ। ସେଠି ସନ୍ତୋଷ ସହ ଦେଖା ହୋଇଥିଲା। ଏହାପରେ ସେ ନୂଆପଲ୍ଲୀ ଗଡ଼ସାହିରେ ସନ୍ତୋଷଙ୍କ ସହ ଭଡ଼ାରେ ରହୁଥିଲେ। ଘର ମାଲିକ କହିଛନ୍ତି ଯେ ସେମାନେ ସ୍ବାମୀ ସ୍ତ୍ରୀ ପରିଚୟ ଦେଇ ରହୁଥିଲେ। ରଶ୍ମିରେଖା ଶଙ୍ଖା, ସିନ୍ଦୂର, ମଙ୍ଗଳସୂତ୍ର ପିନ୍ଧୁଥିଲେ।

ଏଣେ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୧୧ ତାରିଖରେ ସେମାନଙ୍କର ଝଗଡ଼ା ହୋଇଥିଲା। ରଶ୍ମିରେଖା ନିଜ ହାତ କାଟି ଦେଇଥିଲେ। ଏହି ଖବର ପାଇବା ପରେ ସମ୍ପର୍କୀୟମାନେ ପହଞ୍ଚି ତାଙ୍କୁ ଘରକୁ ଯିବା ପାଇଁ କହିଥିଲେ। ମାତ୍ର ରଶ୍ମିରେଖା ରଜକୁ ଯିବେ ବୋଲି କହିଥିଲେ। ଗତ ୧୩ ତାରିଖରେ ସେ ଘରକୁ ଯାଇ ୧୪ ତାରିଖରେ ଭୁବନେଶ୍ବର ଫେରି ଆସିଥିଲେ। ଶୁକ୍ରବାର ସେମାନଙ୍କ ଭିତରେ ପୁଣି ଝଗଡ଼ା ହୋଇଥିଲା ବୋଲି ସନ୍ତୋଷ ରଶ୍ମିରେଖାଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲା। ପରିବାର ଲୋକେ ଝିଅକୁ ଫୋନ୍ କରିଥିଲେ ମଧ୍ୟ ସେ ସବୁ ଠିକ ଅଛି ବୋଲି ଉତ୍ତର ଦେଇଥିଲେ। କିନ୍ତୁ ଶନିବାର ସନ୍ଧ୍ୟାରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସନ୍ତୋଷ ଫୋନ୍ କରିଥିଲେ ବୋଲି ତାଙ୍କ ବାପା କହିଛନ୍ତି।

ସମ୍ବନ୍ଧିତ ଖବର