ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ସନ୍ଦେହ ପାଇଁ ଜୀବନ ଗଲା!
ପୁଲିସ ସହ ଲୁଚକାଳି ଖେଳୁଛି ସନ୍ତୋଷ, ଫୋନ୍ ସୁଇଚ୍ ଅଫ୍ କରି ଲୁଚିଛି
ଭୁବନେଶ୍ବର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିବା ଘଟଣା ଅଧିକ ରୋଚକ ମୋଡ଼ ନେଉଛି। ଦିନ ଯେତେ ଗଡ଼ୁଛି ସେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଆଉ ଯେଉଁ ତଥ୍ୟ ସବୁ ପଦାକୁ ଆସୁଛି, ସେ ସବୁ ବିଭ୍ରାନ୍ତିକର ଏବଂ କାହାର କାହା ସହ ମେଳ ଖାଉନାହିଁ। ଅର୍ଥାତ୍ ରଶ୍ମିରେଖା ଆତ୍ମହତ୍ୟା ପୂର୍ବରୁ ଛାଡ଼ିଯାଇଥିବା ତଥ୍ୟ ସହିତ ରାଜା କହୁଥିବା କଥା ଏବଂ ପୁରୁଷବନ୍ଧୁ ସନ୍ତୋଷ ପାତ୍ରଙ୍କ ନିରବତା କିଛି ଅଲଗା ସୂଚନା ଦେଉଛି। ଫଳରେ ରଶ୍ମିରେଖା ଆତ୍ମହତ୍ୟାକୁ ୪ଦିନ ବିତିଥିଲେ ହେଁ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।
ଅପରପଟେ ପୁଲିସ ରଶ୍ମିରେଖା ଆତ୍ମହତ୍ୟା ଘଟଣାରେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ପୁଲିସ ସୂଚନାନୁସାରେ, ରଶ୍ମିରେଖାଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଲିଭଇନ୍ରେ ରହୁଥିବା ପୁରୁଷ ବନ୍ଧୁ ସନ୍ତୋଷଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ମାତ୍ର ରଶ୍ମିରେଖା ଆତ୍ମହତ୍ୟା କରିବା ପରଠୁ ସନ୍ତୋଷଙ୍କ ବାବଦରେ ସୂଚନା ମିଳୁନାହିଁ। ସେ କେଉଁଠି ଅଛନ୍ତି ପୁଲିସ ଜାଣିପାରୁନାହିଁ। ପୁଲିସ ପାଖରୁ ଲୁଚିବା ପାଇଁ ସନ୍ତୋଷ ଫୋନ୍ ସୁଇଚ୍ ଅଫ୍ କରିଥିବା ପୁଲିସ କହିଛି। ଫଳରେ ତାଙ୍କ ଠାବ କରିବାରେ ସମସ୍ୟା ହେଉଛି। ଯେଉଁଥି ପାଇଁ ତଦନ୍ତ ଆଗକୁ ବଢ଼ୁନାହିଁ।
ଅପରପଟେ ରାଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କରୋନା ଲକ୍ଡାଉନ୍ ସମୟରେ ତାଙ୍କର ରଶ୍ମିଙ୍କ ସହିତ ସଂପର୍କ ଛିନ୍ନ ହୋଇଥିଲା। ମାତ୍ର ଭାଇରାଲ୍ ହେଉଥିବା କଲ୍ ରେକର୍ଡିଂରେ ରାଜାଙ୍କୁ ରଶ୍ମି ପାଗଳ, ସାଇକୋ ଏବଂ ଏଥିପାଇଁ ସେ ମାଡ଼ଖାଏ ବୋଲି ସନ୍ତୋଷଙ୍କୁ କହିଛନ୍ତି। ତେଣୁ ଉଭୟ ଦିଗରୁ ମିଳୁଥିବା ତଥ୍ୟ ପ୍ରମାଣ ପରସ୍ପର ସହ ମେଳ ଖାଉନି। ଯେଉଁଥିପାଇଁ ପୁଲିସ ରାଜାଙ୍କୁ ମଧ୍ୟ ସନ୍ଦେହ ଘେରରେ ଦେଖୁଛି। ସେହିଭଳି ପୁଲିସ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଯେଉଁଥିପାଇଁ ତଦନ୍ତରେ ସାମାନ୍ୟ ଧିମେଇ ଯାଇଛି। ରଶ୍ମିଙ୍କ ଘରୁ ମିଳିଥିବା ସୁଇସାଇଡ୍ ନୋଟ୍ର ଯାଞ୍ଚ୍ ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ରଶ୍ମି ପାଠ ପଢ଼ିବା ସମୟରେ ବା ପୂର୍ବରୁ ଲେଖିଥିବା କୌଣସି ଖାତା ଏପର୍ଯ୍ୟନ୍ତ ନୂଆପଲ୍ଲୀ ପୁଲିସ ତାଙ୍କ ଘରୁ ଆଣିନାହିଁ। ଫଳରେ ଉଭୟ ସୁଇସାଇଡ୍ ନୋଟ୍ ଯାଞ୍ଚ୍ ପାଇଁ ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋକୁ ପଠାଯାଇନଥିବା ଜଣାପଡ଼ିଛି।