ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣା: ପ୍ରେମିକ ରାଜାକୁ ଜେରା

୪୮ ଘଣ୍ଟା ମଧ୍ୟରେ ଥାନାରେ ହାଜର ହେବାକୁ ସନ୍ତୋଷକୁ ନୋଟିସ୍

ଭୁବନେଶ୍ବର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଗୁରୁବାର ଦିନ ନୂଆପଲ୍ଲୀ ଥାନାର ହସ୍ତଗତ ହୋଇଛି। ରିପୋର୍ଟ‌ରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ତେବେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଜାଣିବା ପାଇଁ ନୂଆପଲ୍ଲୀ ଥାନା ଆଜି ତାଙ୍କ ପୁରୁଷବନ୍ଧୁ ବରଗଡ଼ ଝରଣାସାହିର ଜ୍ୟୋତିରଂଜନ ନାଥ ଓରଫ ରାଜାକୁ ଥାନାକୁ ଡାକି ପଚରାଉଚରା କରିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ପର୍ଯ୍ୟନ୍ତ ଗୁଡ଼େଇତୁଡ଼େଇ ବିଭିନ୍ନ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି। ପୁଲିସ ଜେରା ପରେ ବାହାରକୁ ଆସି ରାଜା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଯେ ରଶ୍ମିରେଖାଙ୍କ ସହ ମୋର କୌଣସି ବିବାଦ ନଥିଲା। ଆମେ ପରସ୍ପରକୁ ଭଲ ପାଉଥିଲୁ। କିନ୍ତୁ ଲକ୍‌ଡାଉନ୍‌ ସମୟରେ ପରସ୍ପରଠାରୁ ଦୂରେଇ ଯିବାରୁ ଆମ ସଂପର୍କ ମଳିନ ପଡ଼ି ଯାଇଥିଲା। ଉଭୟଙ୍କ ସହମତିରେ ସଂପର୍କ ବିଚ୍ଛେଦ ହୋଇଥିଲା। ତେବେ ଏହାକୁ ନେଇ ସନ୍ତୋଷ କାହିଁକି ଚିନ୍ତିତ ଥିଲେ? ଭାଇରାଲ୍ ହେଉଥିବା ଅଡିଓ କଲ୍‌ରେ ରାଜାଙ୍କୁ ସାଇକୋ, ପାଗଳ ଆଦି କହି ରଶ୍ମିରେଖା କାହିଁକି ସନ୍ତୋଷଙ୍କୁ ବୁଝାଉଥିଲେ? ସେହିପରି ରାଜା କାହିଁକି ସନ୍ତୋଷଙ୍କ ନମ୍ବର ବ୍ଲକ୍ କରିଥିଲେ, ଏଭଳି ମାଳମାଳ ପ୍ରଶ୍ନରେ ପୁଲିସ୍‌ ରାଜାକୁ ଘେରିଛି।

ସେହିଭଳି ରଶ୍ମିରେଖାଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିବା ସନ୍ତୋଷ ପାତ୍ରକୁ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଥାନାରେ ପହଞ୍ଚିବାକୁ ନୂଆପଲ୍ଲୀ ଥାନା ପୁଲିସ ନୋଟିସ୍ କରିଛି। ପୂର୍ବରୁ ସନ୍ତୋଷକୁ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ଉତ୍ତର ଦେଇନଥିଲେ କି ଥାନାକୁ ଆସି ନଥିଲେ। ଏଥର ସନ୍ତୋଷଙ୍କ ପାଇଁ ପୁଲିସ ନିର୍ଦ୍ଦିଷ୍ଟ ସମୟସୀମା ଜାରି କରିଛି। ଯଦି ଆସନ୍ତା ୨ ଦିନ ଭିତରେ ସେ ଥାନାରେ ହାଜର ନ ହୁଅନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର