ଭୁବନେଶ୍ବର: ବିନା କଷ୍ଟରେ ଘରେ ବସି ଟଙ୍କା ରୋଜଗାର କରି ଅଳ୍ପ ସମୟ ଭିତରେ ଲକ୍ଷପତି ହେବାର ଲୋଭ ଦେଖାଇ ସାଇବର ଅପରାଧୀମାନେ କୋଟି କୋଟି ଟଙ୍କା ଲୁଟ୍ କରି ଚାଲିଛନ୍ତି। କେବଳ ୟୁ-ଟ୍ୟୁବ୍ ଭିଡିଓକୁ ଲାଇକ୍ ଓ ସେୟାର କଲେ ଟଙ୍କା ମିଳିବ ବୋଲି କହି ପରଦା ପଛରେ ବସିଥିବା ଏ ସାଇବର ଅପରାଧୀମାନେ ଜାଲ ବିଛାଉଛନ୍ତି। ଯିଏ ଜାଲରେ ପଡ଼ିଲା, ତା’ଠାରୁ ଲକ୍ଷ ଲକ୍ଷ, ଏପରିକି ବ୍ୟାଙ୍କ୍‌ ଆକାଉଣ୍ଟରେ ଥିବା ସବୁତକ ଟଙ୍କା ଲୁଟି ନେଉଛନ୍ତି। ଗତ କିଛିମାସ ହେଲା ରାଜ୍ୟରେ ଏଭଳି ଠକେଇ ବଢ଼ି ବଢ଼ି ଚାଲିଛି। ଚାକିରି ଆଶାୟୀ ଓ ଚାକିରି କରିଥିବା ଲୋକେ ମଧ୍ୟ ଅଧିକ ଆୟର ସ୍ବପ୍ନ ଦେଖି ଲୋଭ‌ରେ ପଡ଼ୁଛନ୍ତି। ସ୍ମାର୍ଟ ଫୋନ୍ ଜରିଆରେ ରୋଜଗାର କରିବାର ଲୋଭରେ ସେମାନେ କଷ୍ଟ ଉପାର୍ଜିତ ଧନ ହରାଇ ସର୍ବସ୍ବାନ୍ତ ହେଉଛନ୍ତି। ଏହାକୁ ‘ଟେଲିଗ୍ରାମ' ଠକେଇ ବୋଲି କୁହାଯାଉଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତ ଏକ ସପ୍ତାହ ଭିତରେ କେବଳ ରାଜଧାନୀରେ ୩ ଜଣ ଏମିତି ଠକେଇର ଶିକାର ହୋଇଥିବା ନେଇ ମାମଲା ରୁଜୁ ହୋଇଛି। କିନ୍ତୁ ଠକେଇ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଯଦୁପୁର ଅଞ୍ଚଳର ଏସ.କେ. ତବ୍ରିଜ ଅଲ୍ଲୀ ୧୨ ଲକ୍ଷ ୮୭ ହଜାର ଟଙ୍କା ହରାଇଥିବା ବେଳେ ବାଲିଅନ୍ତା ବଇଁଚୁଆ ଅଞ୍ଚଳର ସୁଚିସ୍ମିତା ସାହୁ ୧୧ ଲକ୍ଷ ୧୦ ହଜାର ଓ ନନ୍ଦନ ବିହାର ଅଞ୍ଚଳର ଶଶାଙ୍କ ଭୂଷଣ ଦାସ ୩ ଲକ୍ଷ ୪୩ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଅଳ୍ପ ପରିମାଣରେ ଟଙ୍କା ହରେଇଥିବା ଆହୁରି ଅନେକ ଅଛନ୍ତି, ଯେଉଁମାନେ ଲୋକହସା ହେବା ଭୟରେ ଘଟଣାର ରିପୋର୍ଟ କରି ନଥିବେ।

କେମିତି ହେଉଛି ଠକେଇ?
ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ଏ ଶ୍ରେଣୀର ଠକମାନେ ହ୍ବାଟସ୍ଆପ ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କ ପାଖକୁ ଘରେ ବସି ରୋଜଗାର କରିବାର ମେସେଜ୍ ପଠାନ୍ତି। ଏଥିରେ ଯୋଗାଯୋଗ ନମ୍ବର ମଧ୍ୟ ରହିଥାଏ। ଯେଉଁ ବ୍ୟକ୍ତିମାନେ ଏହି ଜାଲରେ ପଡ଼ନ୍ତି ସେମାନେ ଠକଙ୍କ ସହ ଫୋନ୍ କରି କଥା ହୁଅନ୍ତି। ଏହା ପରେ ଠକମାନେ ସେମାନଙ୍କୁ ଏକ ‘ଟେଲିଗ୍ରାମ' ଗ୍ରୁପରେ ସଦସ୍ୟ କରି ଦିଅନ୍ତି। ଏହି ଗ୍ରୁପ୍ ମାଧ୍ୟମରେ ଜାଲରେ ପଡ଼ିଥିବା ବ୍ୟକ୍ତିଙ୍କୁ ଭିଡିଓ ପଠାଯାଇ ଲାଇକ୍ କରିବା ପାଇଁ କୁହାଯାଏ। ଭିଡିଓ ଲାଇକ୍ କରିବା ପାଇଁ ପ୍ରଥମେ ଦୁଇରୁ ତିନି ଥର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ମିଳିଥାଏ। ଏହା ପରେ ଅଧିକ ଟଙ୍କାର କାମ ଦିଆଯିବ ବୋଲି ଠକମାନେ କହିଥାନ୍ତି। କିନ୍ତୁ ଅଧିକ ଆୟ କରିବାପାଇଁ ଫି’ ଦେବାକୁ ପଡ଼ିବ, ଯେଉଁ ଫି’ ପରେ ଫେରାଇ ମଧ୍ୟ ଦିଆଯିବ ବୋଲି ସେମାନେ ବୁଝାଇ ଦିଅନ୍ତି। ଲୋକେ ଲୋଭରେ ପଡ଼ି ଫି’ ଦାଖଲ କରନ୍ତି।

ଅଧିକ ଟଙ୍କା ଦାଖଲ ନହେବା ଯାଏ ଠକମାନେ ଟଙ୍କା ଦେଇ ଚାଲି ଥା’ନ୍ତି। ସେଥିରେ ଲୋକଙ୍କର ବିଶ୍ବାସ ବଢ଼େ ଓ ସେମାନେ ହଜାର ହଜାର, ଏପରିକି ଲକ୍ଷ ଲକ୍ଷ ଟଙ୍କା ଦେବାକୁ ବି ରାଜି ହୁଅନ୍ତି। ସେ ଟଙ୍କା ଦାଖଲ ପରେ ଠକମାନଙ୍କର ଆଉ ଖବର ମିଳେନା, ସେମାନେ ଯେମିତି ଶୂନ୍ୟରେ ମିଳେଇ ଯାଆନ୍ତି। ଟେଲିଗ୍ରାମ ଗ୍ରୁପ୍ ତିଆରି କରି ଲୋକଙ୍କୁ ସଦସ୍ୟ କରିବା ସହ ଠକେଇ କରା ଯାଉଥିବାରୁ ଏହାକୁ ଟେଲିଗ୍ରାମ୍ ଠକେଇ କୁହାଯାଉଛି। ହ୍ବାଟସଆପ୍ କିମ୍ବା ସୋସିଆଲ୍ ମିଡିଆ ମାଧ୍ୟମରେ ଆସୁଥିବା ଏଭଳି ଅଫର୍‌କୁ ଗ୍ରହଣ ନ କରିବା ପାଇଁ ବିଶେଷଜ୍ଞ ମତ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, କାମ ବଦଳରେ ଟଙ୍କା ମିଳିଥାଏ। କିନ୍ତୁ କେହି ଟଙ୍କା ମାଗିଲେ ସେମାନଙ୍କୁ ଦେବା କଥା ନୁହେଁ। ଏଭଳି ଠକେଇ ବଢ଼ି ବଢ଼ି ଚାଲିଥିଲେ ହେଁ ପୁଲିସର ସଚେତନତା ମଧ୍ୟ ବ୍ୟାପକ ହେଉ ନାହିଁ।