ଦ୍ବିତୀୟ ଲହରରେ ମାରାତ୍ମକ ହେଲାଣି କରୋନା। ଏହାକୁ ଦୃଷ୍ଟିରେ ରଖି ଏମ୍ସ ଭୁବନେଶ୍ବର ପକ୍ଷରୁ କର୍କଟ ସହିତ କିଛି ଜରୁରୀ ସେବାକୁ ବାଦ୍ ଦେଲେ ଓପିଡି ସମେତ ଅନ୍ୟ ବିଭାଗକୁ ରୋଗୀଙ୍କୁ ଆସିବାକୁ ମନା କରାଯାଇଛି। ଅନେକ ଡାକ୍ତର ମଧ୍ୟ କୋଭିଡ୍ରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ସ୍ଥିତିରେ ଉଭୟ କୋଭିଡ୍ ଓ ଅଣକୋଭିଡ୍ ରୋଗୀଙ୍କ ପାଇଁ ସହାୟକ ହୋଇଛି ଟେଲିମେଡିସିନ୍ ସେବା। କେବଳ ଏମ୍ସରୁ ଗୋଟିଏ ବର୍ଷ ମଧ୍ୟରେ ୮୨ ହଜାର ୩୨୩ ଜଣ ରୋଗୀ ଟେଲିମେଡିସିନ୍ ସ୍ବାସ୍ଥ୍ୟସେବାର ସୁବିଧା ନେଇଛନ୍ତି। ପ୍ରତିଦିନ ସକାଳ ୯ଟାରୁ ୫ଟା ମଧ୍ୟରେ ରୋଗୀ କିମ୍ବା ପରିଜନ ଏମ୍ସ ପକ୍ଷରୁ ଜାରି ନମ୍ବରରେ କଲ୍ କିମ୍ବା ହ୍ବାଟସ୍ଆପ୍ରେ ମେସେଜ କରୁଛନ୍ତି। ବିଭାଗୀୟ ଡାକ୍ତର ରୋଗୀଙ୍କ ସହ କଥା ହୋଇ ବା ମେସେଜ୍ ଦେଖି ରୋଗର ନିଦାନ କରିବା ସହ ଏଥିପାଇଁ ପ୍ରେସ୍କ୍ରିପସନ୍ ମଧ୍ୟ ଦେଉଛନ୍ତି। ପ୍ରତ୍ୟେକ ବିଭାଗର ବରିଷ୍ଠ ଆବାସିକ ଡାକ୍ତରଙ୍କୁ ଏଥିପାଇଁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି।
ଗତବର୍ଷ ମାର୍ଚ ମାସରେ କରୋନା ବ୍ୟାପିବା ପରେ ଏମ୍ସ ଓପିଡି ସେବା ବନ୍ଦ ହୋଇଯିବାରୁ ଆରମ୍ଭ ହୋଇଥିଲା ଅଣକୋଭିଡ୍ ରୋଗୀଙ୍କ ଦୁର୍ଦଶା। ଏହାକୁ ଦୃଷ୍ଟିରେ ରଖି ଟେଲିମେଡିସିନ୍ ସେବା ଆରମ୍ଭ ପାଇଁ ପ୍ରଥମେ ଚିନ୍ତା କରାଯାଇଥିଲା। ଆବଶ୍ୟକ ଉପକରଣର ଅଭାବ ଏଥିପାଇଁ ବାଧକ ହେବା ନେଇ ଆଶଙ୍କା କରାଯାଇଥିଲା। ଏହା ସତ୍ତ୍ବେ ଡାକ୍ତରଖାନାର ସମସ୍ତ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଫୋନ ନମ୍ବର ଜାରି ହୋଇଥିଲା। ଜୁଲାଇ ମାସରେ ସ୍ବାସ୍ଥ୍ୟ ଆପ୍ ସୁବିଧା କରାଗଲା। ଏମ୍ସର ଏହି ସ୍ବାସ୍ଥ୍ୟ ଆପ୍କୁ ଡାଉନଲୋଡ୍ କରି ରୋଗୀ ଏହା ଜରିଆରେ ଡାକ୍ତରଙ୍କ ପରାମର୍ଶ ନେବା ଆରମ୍ଭ କରିଥିଲେ। ତେବେ କରୋନା ଟିକେ କମିଯିବାରୁ ଓପିଡି ଖୋଲିବା ସହିତ ଟେଲିମେଡିସିନ୍ର ଚାହିଦା ହ୍ରାସ ପାଇଥିଲା। କିନ୍ତୁ ଚଳିତବର୍ଷ କରୋନାର ଦ୍ବିତୀୟ ଲହର ଭୟାବହ ହେବାରୁ ଅଣକୋଭିଡ୍, ସାମାନ୍ୟ ଲକ୍ଷଣ ଥିବା କୋଭିଡ୍ ରୋଗୀଙ୍କୁ ଏମ୍ସ ଆସିବାକୁ ମନା କରାଯାଇଛି। ଏଭଳି ସମୟରେ ବିକଳ୍ପ ଭାବେ ପୁଣିଥରେ ଟେଲିମେଡିସନ୍ ସେବାକୁ ତ୍ବରାନ୍ବିତ କରାଯାଇଥିଲା। ଏହି ଟେଲିମେଡିସିନ୍ ସେବା ସେମାନଙ୍କ ପାଇଁ ଉପଯୋଗୀ ହେବାରେ ଲାଗିଛି ବୋଲି କହିଛନ୍ତି ଅନେକ ରୋଗୀ।
ଏମ୍ସ ଚକ୍ଷୁ ବିଭାଗ ଡାକ୍ତର ଭାଗବତ ନାଏକ କହିଛନ୍ତି, ଯେଉଁ ଦିନ ଯେଉଁ ବିଭାଗର ଓପିଡି ଥାଏ, ସେହି ଅନୁଯାୟୀ ଟେଲିମେଡିସିନ ସେବା ମଧ୍ୟ ଉପଲବ୍ଧ ହୁଏ। ରୋଗୀଙ୍କ କଲ୍କୁ ପ୍ରଥମେ ବିଭାଗର ବରିଷ୍ଠ ଆବାସିକ ଡାକ୍ତର ଉଠାନ୍ତି। ସମସ୍ୟା ଅନୁସାରେ ସେ ଆବଶ୍ୟକ ପରାମର୍ଶ ଦେଇଥାଆନ୍ତି। ଜଟିଳ ସ୍ଥିତି ଥିଲେ କିମ୍ବା ରୋଗୀ ନିର୍ଦିଷ୍ଟ କୌଣସି ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଚାହିଲେ, ତାଙ୍କୁ ମଧ୍ୟ ଫୋନ କନେକ୍ଟ କରାଯାଏ। କୌଣସି କଲ୍ ମିସ୍ ହୋଇଯାଇଥିଲେ, କଲ ବ୍ୟାକ୍ କରାଯାଏ। ହ୍ବାଟ୍ସଆପ୍ ରେ ମଧ୍ୟ ପରାମର୍ଶ ଦିଆଯାଏ। ଏଥିରେ ରୋଗୀ ଡାକ୍ତରଙ୍କ ପରାମର୍ଶରେ ଟେଷ୍ଟ ରିପୋର୍ଟ ପଠାନ୍ତି। ଏହାପରେ ଡାକ୍ତର ପ୍ରେସକ୍ରିପସନ ଦିଅନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ ରୋଗୀ ମଧ୍ୟ ଏଭଳି ଟେଲିମେଡିସନ୍ ସେବାରେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି।
ମାନସିକ ରୋଗ ବିଭାଗର ଡାକ୍ତର ବିଶ୍ବରଞ୍ଜନ କହିଛନ୍ତି, ଲକ୍ଡାଉନ୍ ବଢ଼ିବା ସହ ରୋଗୀଙ୍କ କଲ୍ ସଂଖ୍ୟା ମଧ୍ୟ ବଢୁଛି। ରୋଗୀଙ୍କ ସ୍ଥିତିକୁ ଦେଖି ନିକଟସ୍ଥ ଡାକ୍ତରଖାନା କିମ୍ବା ଏମ୍ସକୁ ମଧ୍ୟ ଆସିବାକୁ ପରାମର୍ଶ ଦିଆଯାଉଛି। ବାହାର ରାଜ୍ୟରେ ରହୁଥିବା ମ୍ୟୁକରମାଇକୋସିସ ଆକ୍ରାନ୍ତ ରୋଗୀ ମଧ୍ୟ ଟେଲିମେଡିସିନ୍ ଜରିଆରେ ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି। ୨୦୨୦ ଏପ୍ରିଲ ମାସରେ ୩୧୪୮, ମେ’ ରେ ୨୯୩୮, ଜୁନରେ ୧୯୫୮, ଜୁଲାଇରେ ୧୦ ହଜାର ୬୧୪, ଅଗଷ୍ଟରେ ୧୪ ହଜାର ୧୧୦, ସେପ୍ଟେମ୍ବର ୧୬ ହଜାର ୭୧୦, ଅକ୍ଟୋବର ୧୬ ହଜାର ୮୭୩, ନଭେମ୍ବରରେ ୬୭୪୧, ଡିସେମ୍ବରରେ ୪୦୦୮, ୨୦୨୧ ମସିହା ଜାନୁଆରିରେ ୭୨୦, ଫେବ୍ରୁଆରିରେ ୪୭୦, ମାର୍ଚରେ ୬୭୪, ଏପ୍ରିଲରେ ୩୩୫୯ ଜଣ ଟେଲିମେଡିସିନର ଲାଭ ଉଠାଇଛନ୍ତି। ମେ’ ମାସରେ ଏହି ସଂଖ୍ୟା ଆହୁରି ଅନେକ ବୃଦ୍ଧି ପାଇଛି। କେବଳ ଏମ୍ସ ନୁହେଁ, ରାଜଧାନୀର ଅନ୍ୟାନ୍ୟ ଡାକ୍ତରଖାନା ପକ୍ଷରୁ ମଧ୍ୟ ଅଣକୋଭିଡଙ୍କ ପାଇଁ ଟେଲିମେଡିସିନ ସେବା ଆରମ୍ଭ ହୋଇଛି। ରାଜଧାନୀରେ ସେବା ଯୋଗାଉଥିବା ଅନେକ ବେସରକାରୀ ଡାକ୍ତରମାନେ ଏବେ କରୋନା କାଳରେ ଟେଲିମେଡିସିନ୍ ଜରିଆରେ ସଫଳତାର ସହ ରୋଗୀ ସେବା ଜାରି ରଖିଛନ୍ତି। ଉଭୟ ରୋଗୀ ଓ ଅଣକୋଭିଡ୍ ରୋଗୀ ଏହାଦ୍ବାରା ବିଶେଷ ଭାବେ ଉପକୃତ ହେଉଛନ୍ତି।