ଚନ୍ଦ୍ରଶେଖରପୁର: ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‌ରେ ବିଶ୍ୱ ଏଡ୍‌ସ ଦିବସ ପାଳନ ଅବସରରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ କଡ଼ିଆମ୍‌ ଶ୍ରୀହରି ଏଡ୍‌ସର ମୁକାବିଲା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଆଜି କିସ୍‌ ପରିଦର୍ଶନ ଅବସରରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ କଡ଼ିଆମ୍‌ ଶ୍ରୀହରି କିସ୍‌ର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସମାଜର ଅବହେଳିତ ଓ ଦଳିତଙ୍କୁ ଶିକ୍ଷା ପ୍ରଦାନ ମାଧ୍ୟମରେ ସଶକ୍ତ କରିବା ପାଇଁ ଆଗେଇ ଆସିଥିବାରୁ କିସ୍‌ର ପ୍ରତିଷ୍ଠାତାଙ୍କୁ ପ୍ରଶଂସା କରିଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। କିଟ୍‌ ଓ କିସ୍‌ର ସଂପାଦକ ଆର ଏନ୍‌ ଦାଶ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍‌ ଲାକ୍ରା, ସିଓଓ ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।