ରଜକୁ ଫିକା କଲା ଖରା

ଭୁବନେଶ୍ୱର: ପହିଲି ରଜରେ ଅନୁକୂଳ ଥିଲା ପାଗ। ବର୍ଷା ନଥିଲା। କିନ୍ତୁ ରଜ ସଂକ୍ରାନ୍ତିର ଡହଡହ ଖରା। ଘରୁ ବାହାରିବାକୁ ଦେଲାନି। ଘରୁ ବାହାରିବା କ୍ଷଣି ଦେହ ମୁଣ୍ଡ ଜଳି ଯାଉଥିଲା। ତେଣୁ ସକାଳୁ ପାଗ ଦେଖି ଅନେକ ବୁଲାବୁଲି ପାଇଁ କରିଥିବା ଯୋଜନାକୁ ବିରାମ ଦେଇଥିଲେ। ଅପରାହ୍ଣ ୪ଟା ପରେ ଧୀରେଧୀରେ ପୁଣି ରଜର ପରିବେଶ ଜମିଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ରଜ ଦୋଳିରେ ଝୁଲିବାର ବ୍ୟବସ୍ଥା ହୋଇଥିବା ସ୍ଥାନମାନଙ୍କୁ ପରିବାର ସହ ଛୁଟିଥିଲେ ଝିଅମାନେ। ରଜ ପିଠା ଖାଇବାକୁ ବି ଆଜି ବିଭିନ୍ନ ରେଷ୍ଟୁରାଣ୍ଟ୍‌ରେ ଭିଡ଼ ଦେଖିବାକୁ ମିଳିଥିଲା।
ଆଜି ସଲମନଙ୍କ ‘ରେସ୍‌ ୩’ ମୁକ୍ତିଲାଭ କରିବା ପରେ ଅପରାହ୍‌ଣରେ ଫିଲ୍ମ ଦେଖି ମଜା ଉଠାଇଥିଲେ। ପୂର୍ବରୁ ରେସ୍‌ ୩ ପାଇଁ ସମସ୍ତ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ସରିଥିବା ବେଳେ ଆଜି ସିନେମା ହଲ୍‌ ସମ୍ମୁଖରେ ଟିକେଟ୍‌ ବ୍ଲାକ୍‌ ହୋଇଥିଲା। କିଛି ଲୋକେ ଟିକେଟ ଚଢ଼ା ଦରରେ ବିକ୍ରି କରିଥିଲେ। ଓଡ଼ିଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମନ ଖାନ୍‌’ ଏବଂ ‘ଫୋର୍‌ ଇଡିଅଟ୍‌ସ’ ଦେଖିବା ପାଇଁ ମଧ୍ୟ ଅନୁରୂପ ଭିଡ଼ ପରିଲକ୍ଷିତ ହୋଇଥିଲା। ପାନ୍ଥ ନିବାସରେ ୨ ଦିନରେ ୩ଲକ୍ଷ ୮୧ ହଜାର ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ଆଜି ହୋଟେଲ୍‌ମାନଙ୍କରେ ପିଠା ବିକ୍ରି ରଜ ଅପେକ୍ଷା ହ୍ରାସ ପାଇଥିଲା। ମୁଖ୍ୟତଃ ସଂକ୍ରାନ୍ତି ଥିବାରୁ ପୋଡ଼ ପିଠା ବିକ୍ରି ଏତେ ଜମି ପାରି ନଥିଲା। ତେଣୁ ପାନ୍ଥ ନିବାସରେ ରଜରେ ୩ଲକ୍ଷ ୬ ହଜାର ଟଙ୍କାର ପିଠା ବିକ୍ରିବଟା ହୋଇଥିବା ବେଳେ ଆଜି ମଧ୍ୟ ପ୍ରାୟ ୩ ଲକ୍ଷ ଟଙ୍କାର ପିଠା ବିକ୍ରି ହୋଇଥିଲା। ଆସନ୍ତାକାଲି ରଜ ପର୍ବର ଶେଷ ଦିନ ଥିବାରୁ ବୁଲାବୁଲି ସାଙ୍ଗକୁ ପିଠାର ମହକ ନେବାକୁ ଭିଡ଼ ପରିଲକ୍ଷିତ ହେବ।

ସମ୍ବନ୍ଧିତ ଖବର