ଭୁବନେଶ୍ବର : ଜଳୁଛି ରାଜଧାନୀ। ଗତକାଲି ରାଜଧାନୀର ତାପମାତ୍ରା ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରି ଅତିକ୍ରମ କରିଥିଲା। ଆଜି କିନ୍ତୁ ବର୍ତ୍ତମାନ ସୁଦ୍ଧାର ସବୁ ରେକର୍ଡ ଭାଙ୍ଗି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ବର। ଗତକାଲି ଅପେକ୍ଷା ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ଆଜି ରାଜଧାନୀର ତାପମାତ୍ରା ୪୧.୫ ଡିଗ୍ରିରେ ପହଞ୍ଚିଥିଲା। ଲକ୍ଡାଉନ୍ ଯୋଗୁଁ ଗୃହବନ୍ଦୀ ରାଜଧାନୀବାସୀ ଗ୍ରୀଷ୍ମ ପ୍ରବାହକୁ ସିଧାସଳଖ ଅନୁଭୂତ କରି ନଥିଲେ ବି ଘରେ ବସି ଗରମରେ ସନ୍ତୁଳି ହୋଇଥିଲେ। ପରିବା, ରାସନ ଆଦି ପାଇଁ ଘରୁ ବାହାରୁଥିବା ଲୋକଙ୍କର ବି ଆଜି ଦେଖା ନଥିଲା। ରାସ୍ତା ସମ୍ପୂର୍ଣ୍ଣ ଶୂନଶାନ୍ ଥିବା ବେଳେ କାଁ ଭାଁ କେଉଁଠି କେମିତି ପୁଲିସ ବାବୁଙ୍କୁ ଦେଖିବାକୁ ମିଳିଥିଲା। ଲକ୍ଡାଉନ୍ ସାଙ୍ଗକୁ ଆଜିର ଖରା ସହରର ସ୍ଥିତି ଆହୁରି ଅଧିକ ଖାଁ ଖାଁ ହୋଇଯାଇଥିଲା। ତେବେ ଆସନ୍ତା ୪ ଦିନ ମଧ୍ୟରେ ଏହି ତାପମାତ୍ରା କମିବାର ସମ୍ଭାବନା ନାହିଁ ଓଲଟା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଏଣୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସକାଳ ୮ଟା ସୁଦ୍ଧା କାମ ସାରି ଘରେ ରହିବା ସହ ଆବଶ୍ୟକ ପଡ଼ିଲେ ଓଦା ଗାମୁଛା ମୁଣ୍ଡରେ ପକାଇ, ଛତା ଓ ପାଣିବୋତଲ ଧରି ବାହାରକୁ ଯିବାକୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp