ଭୁବନେଶ୍ବର: ୨ ଦିନ ହେଲା ଆଉ ମୋଟା ଶୀତବସ୍ତ୍ର ନ ପିନ୍ଧିଲେ ବାହାରକୁ ବାହାରି ହେଉନାହିଁ। ସନ୍ଧ୍ୟାରୁ ସହରବାସୀ ଶୀତରେ ଥରୁଛନ୍ତି। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ଲଗାତାର ୨ ଦିନ ହେଲା ହାଡ଼ଭଙ୍ଗା ଶୀତ ରାଜଧାନୀବାସୀଙ୍କୁ ଥରାଉଛି। ରାତିର ସର୍ବନିମ୍ନ ତାପମାତ୍ରା ହଠାତ୍‌ ୩ ଡିଗ୍ରି କମ୍‌ ରହୁଥିବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହୋଛି। ପାଗ କାଉଁଳିଆ ରହୁଥିବାରୁ ଦିନ ତମାମ ଥଣ୍ଡା ଲାଗୁଛି। ସନ୍ଧ୍ୟାଠାରୁ କିନ୍ତୁ ପାରଦ ଖସିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛନ୍ତି।

Advertisment

ପ୍ର‌ାତଃଭ୍ରମଣ କରିବାକୁ ମଧ୍ୟ ବରିଷ୍ଠ ନାଗରିକଙ୍କ ଗହଳି ୮ଟା ପରେ ପାର୍କରେ ଦେଖିବାକୁ ମିଳୁଛି। ସକାଳୁ ପାର୍କ ପ୍ରାୟ ଫ‌ାଙ୍କା ରହୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଭୁବନେଶ୍ବରରେ ନୂଆ ବର୍ଷ ପରଠାରୁ ଥଣ୍ଡା ବଢ଼ିଛି। ୩୧ ଓ ୧ ତାରିଖରେ ସହରର ତାପମାତ୍ରା ୧୭ ଡିଗ୍ରି ରହିଥିବା ବେଳେ ଦୁଇ ଦିନ ହେଲା ଏହା ୪ ଡିଗ୍ରି ତଳକୁ ଖସିଛି। ଶୁକ୍ରବ‌ାର ସହରର ପାରଦ ୧୩ ଡିଗ୍ରି ପର୍ଯ୍ୟନ୍ତ ଖସିଥିବାବେଳେ ଶନିବାର ମଧ୍ୟ ତାପମାତ୍ରା ପ୍ରାୟ ୧୩ ଡିଗ୍ରି ରହିବ। ଆସନ୍ତା ୫ ତାରିଖରୁ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇପାରେ। ତାପାମାତ୍ରା ୧୪ ଡିଗ୍ରି ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା ବେଳେ ୮ ତାରିଖରୁ ପୁଣି ତାପମାତ୍ରା ଖସିବ। ୧୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଏମିତି ଉଚ୍ଚନୀଚ ରହିବ। ତେଣୁ ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା, ଖଣ୍ଡଗିରି ପ୍ରଭୃତି ଅଞ୍ଚଳରେ ରାତିରେ ପାରଦ ବହୁତ କମ୍‌ ରହୁଥିବା ସୂଚନା ଦିଆଯାଇଛି।