ଭୁବନେଶ୍ବର: ଓଡ଼ିଆଙ୍କ ଇଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶାର ବଡ଼ପର୍ବ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା। ହେଲେ ପ୍ରତି ବର୍ଷ ପୁରୀ ଯାଇ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ସମସ୍ତଙ୍କୁ ମିଳେନା।ଏମିତି କିଛି ଭାବି ବରମୁଣ୍ଡା, ଜାଗମରା, ଖଣ୍ଡଗିରି, ଘାଟିକିଆ ତଥା ଆଖପାଖ ଅଞ୍ଚଳର କିଛି ଲୋକ ଏକାଠି ହୋଇ ଖଣ୍ଡଗିରି ପାହାଡ଼ ଉପରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କରିଥିଲେ। ହେଲେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅନୁମତି ମିଳିପାରିନଥିଲା। ଏହାପରେ କେଉଁଠି ମନ୍ଦିର ନିର୍ମାଣ ହେବ ବୋଲି ଭାଳେଣି ପଡ଼ିଥିଲା। ପରେ ୧୯୯୧ ମସିହା ଆଡ଼କୁ ଜାଗମରାରେ ମନ୍ଦିର ନିର୍ମାଣ ନିମନ୍ତେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅନୁମତି ଦେଇଥିଲେ। ସେଇଠାରୁ ଆରମ୍ଭ ହୋଇଥିଲା ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ପର୍ବ।
ଶ୍ରୀ ଶୀଜଗନ୍ନାଥ ଟେମ୍ପୁଲ ମ୍ୟାନେଜିଂ ଟ୍ରଷ୍ଟର ଟ୍ରଷ୍ଟି ତଥା ମନ୍ଦିରର ପ୍ରତିଷ୍ଠାତା ସ୍ବର୍ଗତ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ପୁଅ ରଘୁନାଥ ମହାନ୍ତି କହିଛନ୍ତି, ତାଙ୍କ ବାପାଙ୍କ ସହ ବ୍ରହ୍ମାନନ୍ଦ ପଣ୍ଡା, ହରିରାମ ମାଢ଼ୁଆଳି, ସୁଦର୍ଶନ, ବିଚିତ୍ରାନନ୍ଦ ଜେନା, ପୂର୍ବତନ ବିଧାୟକ ନଳିନୀ ମହାନ୍ତି ଓ ସୁର ରାଉତରାୟ, ଚରଣ ଭୂଜବଳ, ଭିକାରୀ ପ୍ରଧାନ, ପ୍ରକାଶ ପାତ୍ର ଓ ଲୋକନାଥ ପାତ୍ର ପ୍ରମୁଖଙ୍କ ପ୍ରଚେଷ୍ଟାରେ ମନ୍ଦିର କାମ ତ୍ବରାନ୍ବିତ ହୋଇଥିଲା। ସରକାର ଧର୍ମବିହାର ଅଞ୍ଚଳରେ ୩ ଏକର ଜାଗା ମନ୍ଦିର ପାଇଁ ଦେଇଥିବାଦ ବେଳେ ଜାଗା ବାବଦକୁ ୫ ଲକ୍ଷ ଟଙ୍କା ସ୍ବର୍ଗତ କୃଷ୍ଣଚନ୍ଦ୍ର ମହାନ୍ତି ସରକାରଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଅଞ୍ଚଳଟି ଶ୍ମଶାନ ସନ୍ନିକଟ ହୋଇଥିବାରୁ ବେଶ୍ ପରିତ୍ୟକ୍ତ ଓ ଜନବସତିଠାରୁ ବହୁ ଦୂରରେ ଥିଲା। ଏଣୁ ଏହି ସ୍ଥାନକୁ ବିକଶିତ କରିବାରେ ବହୁ ସମୟ ଲାଗିଯାଇଥିଲା। ଶେଷରେ ୨୦୦୩ ଜାନୁଆରିରେ ଧର୍ମବିହାରଠାରେ ମନ୍ଦିର ନିର୍ମାଣର ଶୁଭ ପଡ଼ିଥିଲା। ପ୍ରଥମ ପ୍ରର୍ଯ୍ୟାୟରେ ମୁଖ୍ୟ ମନ୍ଦିର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସହ ପୁରୀ ଶ୍ରୀକ୍ଷେତ୍ର ଶୈଳୀରେ ଲକ୍ଷ୍ମୀ ଓ ବିମଳା ମନ୍ଦିର ନିର୍ମାଣ ହୋଇଥିଲା। ଏଥିପାଇଁ ପ୍ରତିଷ୍ଠାତା ଶ୍ରୀ ମହାନ୍ତି ୯୨ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ୨୦୦୫ରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିବା ବେଳେ ଭଲ ଦିନ ଦେଖି ମନ୍ଦିରର ପ୍ରତିଷ୍ଠା ପର୍ବକୁ ସବୁ ଅପେକ୍ଷା କରିଥିଲେ। କିନ୍ତୁ ଏହାରି ଭିତରେ ୨୦୦୬ ମସିହାରେ ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ମହାନ୍ତିଙ୍କ ଦେହାନ୍ତ ହୋଇଯାଇଥିଲା। ଫଳରେ ପ୍ରତିଷ୍ଠା ଉତ୍ସବ ସ୍ଥଗିତ ହୋଇଯାଇଥିଲା।
ପରେ ବିଭିନ୍ନ ଲୋକଙ୍କ ଅନୁଦାନକ୍ରମେ ମନ୍ଦିର ପରିସରରେ ମା’ ମଙ୍ଗଳା, ନାରାୟଣ, ହନୁମାନ ମନ୍ଦିର, ନୃସିଂହ ମନ୍ଦିର, ସୂର୍ଯ୍ୟ ମନ୍ଦିର, କାଳୀ ମନ୍ଦିର, ଶନି ମନ୍ଦିର, ଗଣେଶ ମନ୍ଦିର, ଶିବ ମନ୍ଦିର, ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ଆଦି ନିର୍ମିତ ହୋଇଥିଲା। ଚନ୍ଦନ ଯାତ୍ରାରେ ଚାପ ଖେଳିବା ପାଇଁ ମହାପ୍ରଭୁଙ୍କ ପାଇଁ ମନ୍ଦିର ପରିସରରେ ନରେନ୍ଦ୍ର ପୋଖରୀ ରହିଛି। ଏଥିସହ ସ୍ନାନ ମଣ୍ଡପ ଓ କାକକୋଇଲି କୁଣ୍ଡ ବି ରହିଛି। ମନ୍ଦିର ଭିତରେ ଭକ୍ତଙ୍କ ପ୍ରସାଦ ସେବନ ପାଇଁ ସୋଆ ପ୍ରତିଷ୍ଠାତା ମନୋଜ ନାୟକଙ୍କ ଉଦ୍ୟମରେ ଆନନ୍ଦ ବଜାର ନିର୍ମିତ ହୋଇଛି। ୨୦୧୦ ମସିହାରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୁରୀ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା ବ୍ରାହ୍ମଣମାନଙ୍କୁ ଆଣି ମନ୍ଦିର ପ୍ରତିଷ୍ଠା କରିବା ସହ ପୁରୀରୁ ନିମ କାଠରେ ନିର୍ମିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ।
ମନ୍ଦିର ପ୍ରତିଷ୍ଠା ହେବା କାଳୁ ଏଠାରେ ଆୟୋଜିତ ହେଉଥିବା ରଥଯାତ୍ରା ଭୁବନେଶ୍ବରର ଅନ୍ୟତମ ବୃହତ ରଥଯାତ୍ରା ଭାବେ ସୁପ୍ରସିଦ୍ଧି ଅର୍ଜନ କରିଛି। ରଥଯାତ୍ରାରେ ମନ୍ଦିରରୁ ବିଗ୍ରହମାନେ ବାହାରି ମାଉସୀ ମା’ ମନ୍ଦିର ଭାବେ ଗଣ୍ଡମୁଣ୍ଡା ଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥା’ନ୍ତି। ବାହୁଡ଼ାରୁ ନୀଳାଦ୍ରି ବିଜେ ୪ରୁ ୫ ଦିନ ମନ୍ଦିର ଅଧିକ ଉତ୍ସବ ମୁଖର ହୋଇଉଠେ। ୨୦ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଏ। ମନ୍ଦିରରେ ରଥଯାତ୍ରା ସହ ରୁକ୍ମିଣୀ ବିବାହ, ଦୋଳ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ନନ୍ଦୋତ୍ସବ, ଚନ୍ଦନ ଯାତ୍ରା, ଝୁଲଣ ଯାତ୍ରା, ଜାଗର ଓ ଅକ୍ଷୟ ତୃତୀୟ ଭଳି ଉତ୍ସବ ବେଶ୍ ଉଲାସରେ ପାଳିତ ହୁଏ ବୋଲି ଟ୍ରଷ୍ଟ୍ ପକ୍ଷରୁ କୁହାଯାଇଛି।
ପୁରୀ ରଥଯାତ୍ରାର ଅନୁଭବ ପାଇଁ ମନ୍ଦିର ପରିକଳ୍ପନା
ଓଡ଼ିଆଙ୍କ ଇଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶାର ବଡ଼ପର୍ବ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା। ହେଲେ ପ୍ରତି ବର୍ଷ ପୁରୀ ଯାଇ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ସମସ୍ତଙ୍କୁ ମିଳେନା।
/sambad/media/media_files/2025/08/12/untitled-1-2025-08-12-06-08-36.jpg)