ଏମିତି ଚାଲିଛି ସରକାରୀ ଜମି ବିକ୍ରି, ମନ୍ଦିର ବାହାନା

କାହା ଚାପରେ ବନ୍ଦ ହେଲା ଉଚ୍ଛେଦ?

ଗତ ୨୩ ତାରିଖରେ ଏହି ଅଞ୍ଚଳରେ ଘର ଉଚ୍ଛେଦ କରାଯାଇଥିଲା। ଦୁଇ ଘଣ୍ଟା ମଧ୍ୟରେ ୪ଟି ଘର ଉପରେ ବୁଲଡୋଜର୍‌ ଚଢ଼ିଥିଲା। ୪୫୦୦ ବର୍ଗଫୁଟ ଜମି ଖାଲି ହୋଇଥିଲା। ସରକାରୀ ଜମିରେ ଗଢ଼ିଉଠିଥିବା ଆଉ କିଛି ଘର ଭାଙ୍ଗିବାକୁ ବିଡିଏ ପକ୍ଷରୁ ଉଦ୍ୟମ କରାଯିବା ବେଳେ କେତେଜଣ ଲୋକ ସେମାନଙ୍କୁ ୭ ଦିନ ମହଲତ ଦେବାକୁ ପୁଲିସ ଏସିପି ରବି ଶତପଥୀଙ୍କୁ ଅନୁରୋଧ କରିଥିଲେ। ଏହାପରେ ଏସିପି ଶ୍ରୀ ଶତପଥୀ ୭ ଦିନ ସମୟ ଦେବା ସହ ଘର ଖାଲି ହେବା ପରେ ଉଚ୍ଛେଦ କରାଯିବ ବୋଲି କହିଥିଲେ। ଇତି ମଧ୍ୟରେ ୧୭ ଦିନ ବିତିଗଲାଣି। ବିଡିଏ କିମ୍ବା ବିଏମ୍‌ସି ପକ୍ଷରୁ କୌଣସି ବି ପଦକ୍ଷେପ ନିଆଯାଇ ନାହିଁ। ଯେତିକି ଜମି ଖାଲି ହୋଇଥିଲା ସେତିକିରେ ହିଁ ରହିଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଉଚ୍ଛେଦ କାହିଁକି ଅଧାରେ ରହିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ ଏବେ ଉଚ୍ଛେଦ ହେବାର ନାହିଁ। ସେପ୍ଟେମ୍ବର ଶେଷ ସପ୍ତାହରେ ପୁଣିଥରେ ଉଚ୍ଛେଦ କରାଯିବ।

ଷ୍ଟାମ୍ପ ପେପର୍‌ରେ ଦସ୍ତଖତ ମାରି ଜମି ବିକୁଛନ୍ତି ଦଲାଲ୍‌, ଘର ପାଖକୁ ଯିବା ପାଇଁ ଦିଆଯାଇଛି ୮ ଫୁଟ୍‌ର ରାସ୍ତା

ଚନ୍ଦ୍ରଶେଖରପୁର: ଲୟୋଲା ସ୍କୁଲ ନିକଟରେ ସରକାରୀ ଜମି ବିକ୍ରି ଘଟଣାର ଗୁମର ଖୋଲିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ସରକାରୀ ଜମିକୁ ମନ୍ଦିର କମିଟି ଜମି କହି ଲୋକଙ୍କୁ ବିକ୍ରି କରିଛନ୍ତି। ଜମିର ପରିମାଣ, କେତେ ଟଙ୍କାରେ ବିକ୍ରି ହେଉଛି ସେନେଇ ଷ୍ଟାମ୍ପ ପେପର୍‌ରେ ଉଲ୍ଲେଖ ହୋଇଛି। ଜମି ବିକ୍ରି ପରେ ତାହା ଉପରେ କେବଳ କିଣିଥିବା ବ୍ୟକ୍ତିଙ୍କର ଅଧିକାର ରହିଛି। ଆଉ କୌଣସି ବ୍ୟକ୍ତି କିମ୍ବା ମନ୍ଦିର କମିଟି ଜମି ଉପରେ ନିଜର କତୃତ୍ୱ ଜାହିର କରିପାରିବେ ନାହିଁ ବୋଲି ଲେଖାଯାଇଛି। ‘ସମ୍ବାଦ’ ହାତରେ ଏଭଳି ଏକ ଷ୍ଟାମ୍ପ ପେପର୍‌ ଲାଗିବା ପରେ ରାଜଧାନୀରେ ଜମି କେଳେଙ୍କାରୀର ଖୁଲାସା ହୋଇଛି। ମିଳିଥିବା ଷ୍ଟାମ୍ପ ପେପର୍‌ରେ ଜମି ନିକଟରେ ଥିବା ଏକ ମନ୍ଦିର କମିଟି ପକ୍ଷରୁ ଏକ ଘୋଷଣାନାମା ଦିଆଯାଇଛି। ସେଥିରେ କୁହାଯାଇଛି ଯେ ଏତଦ୍‌ଦ୍ୱାରା ଘୋଷଣା କରୁଛୁ କି, ପ୍ରଧାନସାହି ମନ୍ଦିର କମିଟି ଦଖଲରେ ଥିବା ଜାଗାକୁ ମନ୍ଦିର କମିଟି ମେମ୍ବର୍‌ଙ୍କ ଉପସ୍ଥିତିରେ ୬୧ ହଜାର ଟଙ୍କାରେ ବିକ୍ରି କରୁଛୁ। ଆମ୍ଭେ ଦେଇଥିବା ସ୍ଥାନଟି ଲୟୋଲା ସ୍କୁଲ ସମ୍ମୁଖ ରାସ୍ତାଠାରୁ ଦ୍ୱିିତୀୟ ଜାଗା ଅଟେ। ଏହାର ଦୈର୍ଘ୍ୟ ୧୯ ଫୁଟ୍‌ ଏବଂ ପ୍ରସ୍ଥ ୨୦ ଫୁଟ। ଏହି ଜାଗା ନିକଟକୁ ଯିବା ଆସିବା କରିବା ପାଇଁ ୮ ଫୁଟ୍‌ ଚଉଡ଼ାର ରାସ୍ତା ମୁଖ୍ୟ ରାସ୍ତାଠାରୁ ଦେଉଛୁ। ଭବିଷ୍ୟତରେ ଆମ୍ଭେ କିମ୍ବା ଆମ୍ଭ କମିଟିର କୌଣସି ସଦସ୍ୟ ଏହି ସ୍ଥାନ ଉପରେ ଆପତ୍ତି କରିବୁ ନାହିଁ। ଆଜି ଦିନଠାରୁ ଉପରୋକ୍ତ ବ୍ୟକ୍ତି ଏହି ସ୍ଥାନକୁ ବିନା କୌଣସି ବାଧାରେ ଦଖଲଦାରରେ ରହିଲେ। ଆମ୍ଭେ ଆମର ସମସ୍ତ ପ୍ରାପ୍ୟ ଗ୍ରହଣ କରିଲୁ। ଏହି ଲେଖା ଦରକାର ବେଳେ କାମରେ ଆସିବ ବୋଲି ଷ୍ଟାମ୍ପ ପେପର୍‌ରେ ଉଲ୍ଲେଖ ହୋଇଛି। ଏଥିରେ ଏକ ଷ୍ଟାମ୍ପ ମରାଯିବା ସହ ଜମି ବିକିଥିବା ୩ ଜଣ ବ୍ୟକ୍ତିଙ୍କ ଦସ୍ତଖତ ରହିଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ବ୍ୟକ୍ତି ଏହି ଜମିକୁ କିଣିଛନ୍ତି। ଏଥିରେ ଗଞ୍ଜାମ ଓ ପ୍ର୍ରଧାନସାହି ଅଞ୍ଚଳର ଜଣେ ବ୍ୟକ୍ତି ସାକ୍ଷୀ ପଡ଼ିଛନ୍ତି।

ମନ୍ଦିର କମିଟିର ମୁଖ୍ୟ ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଏବେ ମନ୍ଦିର କମିଟିର କେହି ଜମି ବିକ୍ରି କରିନାହାନ୍ତି। ଆଗରୁ କିଛି ଲୋକ ଏଠାରେ ରହି କାମ ଧନ୍ଦା କରୁଥିଲେ। ଧୀରେ ଧୀରେ କାମ ନ ମିଳିବାରୁ ବାହାରକୁ ପଳାଇଲେ। ଏହାପୂର୍ବରୁ ସମ୍ପୃକ୍ତ ଜାଗାକୁ ବିକି୍ର କରିଦେଇଥିବେ। ଯେହେତୁ ଏହି ଜାଗାଗୁଡ଼ିକ ମନ୍ଦିର ନିକଟରେ ରହିଛି ତେଣୁ ବିକ୍ରି କରିଥିବା ବ୍ୟକ୍ତିମାନେ ମନ୍ଦିର କମିଟି ବୋଲି ଷ୍ଟାମ୍ପ ପେପର୍‌ରେ ଲେଖିଥିବେ। ମନ୍ଦିରକୁ ମୋହରା କରି ସରକାରୀ ଜମି ବିକ୍ରି କରିବା ଘଟଣା ସହରରେ ନିତିଦିନିଆ ଘଟଣା ହୋଇଛି। ସରକାରୀ ଜମିରେ ପ୍ରଥମେ ମନ୍ଦିର ଗଢ଼ାଯାଉଛି। ଆଉ ପରବର୍ତୀ ସମୟରେ ସମ୍ପୃକ୍ତ ଜମିକୁ ମନ୍ଦିର କମିଟି ନାଁରେ କରାଯାଉଛି। ଏହାର ଆଖପାଖ ଅଞ୍ଚଳରେ ଥିବା ସରକାରୀ ଜମିକୁ ବି ମନ୍ଦିର ଜମି କହି ଲୋକଙ୍କୁ ବିକ୍ରି କରାଯାଉଛି। ରାଜଧାନୀର କେବଳ ଯେ ଏହି ଗୋଟିଏ ସ୍ଥାନରେ ସରକାରୀ ଜମିକୁ ମନ୍ଦିର ନାଁରେ କହି ବିକ୍ରି କରାଯାଇଛି ତାହା ନୁହେଁ। ସହରର ଅଧିକାଂଶ ସ୍ଥାନରେ ଜମି ଦଲାଲ୍‌ମାନେ ଏଭଳି ଭାବେ ଲୋକଙ୍କୁ ଠକି ମାଲେମାଲ୍‌ ହେଉଛନ୍ତି। ପ୍ରଶାସନ କିମ୍ବା ପୁଲିସ କେହି ବି ଏମାନଙ୍କ ଟେର ପାଉନି। ଯଦି ବି ସୁରାକ୍‌ ମିଳୁଛି ତେବେ ଜମି ଦଲାଲ୍‌ଙ୍କ ପଛରେ ରାଜନେତାଙ୍କ ହାତ ରହୁଛି। ସେମାନଙ୍କ ଛତ୍ରଛାୟା ତଳେ ସବୁ କିଛି ଚାଲୁଛି। ରାଜନେତାମାନେ ଜମି ଦଳାଲ୍‌ଙ୍କଠାରୁ ମଧ୍ୟ ମୋଟା ଅଙ୍କର ଟଙ୍କା ନେଇ ଚୁପ୍‌ ବସୁଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର