ଭୁବନେଶ୍ୱର: ‘ବନ୍ଦଇ ଦେବ ନାରାୟଣ... ଅନାଦି ପରମ କାରଣ।। ଜଗତ ହିତେ ଦେହ ଧରି..... ଧରାରେ ଧର୍ମ ରକ୍ଷା କରି।। ସକଳ ବ୍ରତର କାରଣ .. ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ।।’ ଏଭଳି କିଛି ପଂକ୍ତି ଆଜି ଭାସି ଆସୁଥିଲା ସହରର ସବୁ ଗଳି କନ୍ଦିରୁ। ହୁଳହୁଳି ଶବ୍ଦରେ ମୁଖରିତ ହୋଇ ଉଠୁଥିଲା ପ୍ରତି ଘର। ଅବସର ଥିଲା ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ର। ମଥାରେ ସିନ୍ଦୂର ସହ ହାତର ରୁଣୁଝୁଣୁ ଚୁଡ଼ି ଓ ରଙ୍ଗବେରଙ୍ଗ ଶାଢ଼ି ପରିବେଶକୁ ରଙ୍ଗିନ୍‌ ଓ ଉତ୍ସବମୁଖର କରି ପକାଉଥିଲା। ବିବାହିତ ନାରୀମାନଙ୍କ ପାଇଁ ଏହି ସବୁ ଆଭୂଷଣ ଚିରାଚରିତ ହୋଇଥିଲେ ମଧ୍ୟ ଆଜି କିନ୍ତୁ ଏସବୁ ଅନେକ କଥା କହି ଯାଉଥିଲେ। ନିଜ ସତ୍ୟବାନ୍‌ଙ୍କର ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ନିକଟରେ ଅଳି କରୁଥିଲେ ମହିଳାମାନେ। ଏଥିପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡ଼ିଥିଲା ସାରା ସହର। କିଏ ଲକ୍ଷ୍ମୀ ନାରାୟଣଙ୍କୁ ତ’ କିଏ ବିଷ୍ଣୁଙ୍କୁ, କିଏ ପୁଣି ପାର୍ବତୀଙ୍କୁ ପୂଜା କରୁଥିଲା ତ ବିହାରୀ ଓ ମାରୱାଡ଼ିମାନେ ବଟ ବୃକ୍ଷକୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା।

Advertisment

କଟକଣା ସତ୍ତ୍ବେ ମନ୍ଦିର ଖୋଲା
କଟକଣା ସତ୍ତ୍ବେ ରାଜଧାନୀରେ କିଛି ମନ୍ଦିର‌ ଖୋଲା ରହିବା ସହ ସେଠାରେ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। କେଉଁଠି ମନ୍ଦିର ବାହାରେ ତାଲା ପଡ଼ିଥିଲେ ମଧ୍ୟ ଭିତରେ ପୂଜାରି ଥାଇ ଶ୍ରଦ୍ଧାଳୁଙ୍କଠାରୁ ପୂଜା ଥାଳି ନେଇ ପୂଜା କରିଥିଲେ ତ’ ଆଉ କେଉଁଠି ଖୁଲମ୍‌ଖୁଲା ନିୟମର ଉଲ୍ଲଙ୍ଘନ କରାଯାଇଥିଲା। ଶାସ୍ତ୍ରୀନଗର ଅର୍ଦ୍ଧନାରୀଶ୍ବର ମନ୍ଦିର ସମ୍ମୁଖରେ ମହିଳାଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥିବା ମହିଳାମାନେ ଜଣଙ୍କ ପରେ ଜଣେ ବନ୍ଦ ମନ୍ଦିର ଭିତରେ ବସିଥିବା ପୂଜକଙ୍କୁ ପୂଜା ଥାଳି ବଢ଼ାଇ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ରସୁଲଗଡ଼ ଛକସ୍ଥିତ ମା’ ତାରିଣୀ ମନ୍ଦିରରେ ବି ସେଇ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବମିଖାଲ ନିକଟ ମା‌’ ସନ୍ତୋଷୀ ମନ୍ଦିର ଖୋଲାଥିଲା ଓ ସେଠାରେ ମହିଳାଙ୍କ ବହୁତ ଭିଡ଼ ଦେଖିବାକୁ ମିଳିଥିଲା।

ପୁରାଣ ଅନୁଯାୟୀ, ଦୁ‌ର୍ଯ୍ୟୋଧନ, ଶ୍ରୀକୃଷ୍ଣକୁ ପଚାରିଥିଲେ, ହେ ମାଧବ କୁହନ୍ତୁ, କେଉଁ ବ୍ରତ ବା ଉପବାସ କଲେ ନାରୀ ସୌଭାଗ୍ୟବତୀ ହେବ। ବୈଧବ୍ୟ ଦୁଃଖ ଭୋଗ କରିବ ନାହିଁ। ଶ୍ରୀକୃଷ୍ଣ ସେହି ସମୟରେ ସାବିତ୍ରୀ ଓ ସତ୍ୟବାନ୍‌ଙ୍କ କାହାଣୀ କହିଥିଲେ। ସଧବା ନାରୀ ଏହି ବ୍ରତ କରିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୁଏ। ପୂଜାର ସମସ୍ତ ରୀତିନୀତି ବିଷୟରେ ବି ଅବଗତ କରାଇଥିଲେ। ସେହି ଦିନଠାରୁ ଲୋକେ ଏ ବ୍ରତ ନେଇ ସଚେତନ ହେଲେ ଓ ହିନ୍ଦୁ ଧର୍ମରେ ଏହି ବ୍ରତର ଆରମ୍ଭ ହୋଇଥିଲା।

ଗୁରୁମା’ଙ୍କୁ ପୂଜିଲେ କିନ୍ନର
ଦିନେ ମା’ ସୀତାଙ୍କୁ ହନୁମାନ ପଚାରିଥିଲେ, ମା’ ଆପଣ ମଥାରେ ସିନ୍ଦୂର କାହିଁକି ପିନ୍ଧନ୍ତି? ମା’ କହିଲେ, ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପ୍ରତ୍ୟେକ ସଧବା ନାରୀ ମଥାରେ ସିନ୍ଦୂର ନାଆନ୍ତି। ସେହି ଦିନଠାରୁ ହନୁମାନ ମଧ୍ୟ ନିଜ ପ୍ରଭୁ ଶ୍ରୀରାମଙ୍କୁ ଅମର କରିବା ଉଦ୍ଦେଶ୍ୟରେ ଦେହ ସାରା ସିନ୍ଦୂର ବୋଳି ହେଉଥିଲେ। ହନୁମାନଙ୍କୁ ଆଦର୍ଶ ଭାବେ ନେଇ କାହିଁ କେଉଁ କାଳରୁ କିନ୍ନର ସମ୍ପ୍ରଦାୟ ନିଜ ଗୁରୁମା’ଙ୍କ ପାଇଁ ମଥାରେ ସିନ୍ଦୂର ନାଏ ଓ ସାବିତ୍ରୀ ବ୍ରତ ପାଳନ କରେ। ପୁରାଣର ବ୍ୟାଖ୍ୟା ଅନୁଯାୟଈ, ବିଶ୍ୱରେ କେବଳ ଭଗବାନ ବିଷ୍ଣୁ ହିଁ ପୁରୁଷ ଓ ବିଷ୍ଣୁଙ୍କ ବାସସ୍ଥଳୀ ବଟବୃକ୍ଷ। ତେଣୁ ସାବିତ୍ରୀ ଅବସରରେ କିନ୍ନରମାନେ ବଟବୃକ୍ଷକୁ ଶାଢ଼ି ପିନ୍ଧାଇ, ଶଙ୍ଖା ସିନ୍ଦୂର ଅର୍ପଣ କରିଥାନ୍ତି। ଏହିପରି ଭାବେ ଆଜି କିନ୍ନରମାନେ ମଧ୍ୟ ସାବିତ୍ରୀ ଓଷା ପାଳନ କରିଥିଲେ। ଏହି ଦିନ ଗୁରୁମା’ ସମସ୍ତଙ୍କୁ ସିନ୍ଦୂର ପିନ୍ଧାଇଲା ପରେ ତାଙ୍କ ଚରଣ ସେବା କରିଥି‌ଲେ। ଚରଣ ସେବା ପରେ ପୂଜା ସରିଥିଲା। ଆଜି ନୟାପଲ୍ଲୀ ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ନିରାଡ଼ମ୍ବର ଭାବେ ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା। ସଦସ୍ୟମାନେ ମାସ୍କ ପିନ୍ଧି, ହାତ ସାନିଟାଇଜ୍‌ କରି ଫୁଲ, ଫଳ, ଧୂପ ଓ ଦୀପ ଧରି ନିଜ ଘର ଅଗଣାରେ ବ୍ରତ ପାଳନ କରିଥିଲେ। ଏଥିରେ କିନ୍ନରମାନେ ନିଜ ଗୁରୁ ମେନକା କିନ୍ନରଙ୍କ ଦୀର୍ଘାୟୁ କାମନା କରିଥିଲେ। ୨୨ଜଣ କିନ୍ନର ମିଶି ଏହି ବ୍ରତ ପାଳନ କରିଥିଲେ। ମେନକା କିନ୍ନରଙ୍କ ତତ୍ତ୍ବାବଧାନରେ ମୀନା, ସୋନାଲି, ପାୟଲ, ରୂପାଲି, ସୁମି ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ।

ଶଙ୍ଖା ସିନ୍ଦୂର ପୂଜିଲେ ମହିଳା
ବାଲିପାଟଣା: ସ୍ବାମୀଙ୍କ ଦୀର୍ଘାୟୁଷ କାମନା କରି ବାଲିପାଟଣା‌ରେ ମଧ୍ୟ ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏଥିପାଇଁ ଆଜି ଅଞ୍ଚଳରେ ଥିବା ସବୁ ଦେବଦେବୀ ମନ୍ଦିର ଚଳଚଞ୍ଚଳ ହୋଇଉଠିଥିଲା। ଧର୍ମାନୁଷ୍ଠାନ ବନ୍ଦ ରହିବା ନେଇ କଟକଣା ଥିଲେ ହେଁ ସ୍ଥାନୀୟ ଲୋକଙ୍କ ଅନୁରୋଧରେ କିଛି ମନ୍ଦିର ଖୋଲିଥିଲା। ସାମାଜିକ ଦୂରତା ରକ୍ଷା କରି ମହିଳାମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଶ୍ରୀଶ୍ରୀବୁଦ୍ଧନାଥ ମନ୍ଦିର, ସରାଟ ନୀଳକଣ୍ଠେଶ୍ବର, ଧାନହରା ସୋମନାଥ, ଦଳକଷଟିର ମୁକ୍ତେଶ୍ବର ମହାଦେବ, ଅଠାନ୍ତରର ବେଲେଶ୍ବର ପ୍ରଭୃତି ମନ୍ଦିରରେ ବ୍ରତଧାରୀ ମହିଳାମାନଙ୍କ ଗହଳି ଦେଖିବାକୁ ମିଳିଥିଲା।