ଖଣ୍ଡଗିରି: ଘର ଛାଡ଼ିବାକୁ କହିବାରୁ ଭଡ଼ାଟିଆ ପରିବାରର ସଦସ୍ୟ ଗୁଣ୍ଡା ଲଗାଇ ଘରମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରିବାକୁ ଯାଇଥିବା ସମୟରେ ପୁଲିସକୁ ମଧ୍ୟ ଆକ୍ରମଣ କରାଯାଇଛି। ଏହି ମାମଲାରେ ପୁଲିସ ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ପ୍ରିୟରଞ୍ଜନ ପାତ୍ର(୨୫), ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନମାଳିପୁର ଗ୍ରାମର ସୁମିତ କୁମାର ସାହୁ(୨୨) ଓ କେନ୍ଦୁଝର ଚମ୍ପୂଆ ଅଞ୍ଚଳର ଭରତ ଭୂଷଣ ସାହୁ(୨୧)ଙ୍କୁ ଗିରଫ କରିଛି।

Advertisment

ଅନ୍ୟପକ୍ଷେ ଘରମାଲିକ ଭରତଙ୍କ ଭଉଣୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଅରବିନ୍ଦ ମଲ୍ଲିକ ଓ ଭାଗ୍ୟବତୀ ଦେଈଙ୍କ ଘରେ ବିନୋଦ କୁମାର ପାତ୍ର, ସ୍ତ୍ରୀ ମଞ୍ଜୁଲତା ପାତ୍ର, ପୁଅ ପ୍ରିୟରଞ୍ଜନ ପାତ୍ର ଓ ଦୁଇଝିଅ ୨ମାସ ହେଲା ଭଡ଼ାରେ ରହିଆସୁଛନ୍ତି। ଭଡ଼ା ନଦେବା ତଥା ଘରେ ଅନୈତିକ କାର୍ଯ୍ୟକଳାପ କରୁଥିବା ସନ୍ଦେହରେ ଶ୍ରୀ ମଲ୍ଲିକ ୫ଦିନ ତଳେ ସେମାନଙ୍କୁ ଘର ଛାଡ଼ିବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଭଡ଼ାଟିଆମାନେ ସୁମିତ ଓ ଭରତଙ୍କ ସହିତ ମିଶି ଶ୍ରୀ ମଲ୍ଲିକ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପ୍ରିୟରଞ୍ଜନଙ୍କ ପଥରମାଡ଼ରେ ଘରମାଲିକ ଦମ୍ପତି ଗୁରୁତର ଆହତ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ସେଠାକୁ ତଦନ୍ତ କରିବା ପାଇଁ ଯାଇଥିଲା। ମାତ୍ର ପୁଲିସକୁ ଦେଖି ପ୍ରିୟରଞ୍ଜନ, ସୁମିତ ଓ ଭରତ ମାରିବାକୁ ଗୋଡ଼ାଇଥିଲେ। ଏଥିରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ପୁଲିସ ତିନି ଅଭିଯୁକ୍ତଙ୍କୁ କାବୁ କରି କୋର୍ଟଚାଲାଣ କରିଛି। ସେହିପରି ବନୋଦଙ୍କ ନାବାଳିକା ଝିଅକୁ ଶ୍ରୀ ମଲ୍ଲିକ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ପୋକ୍ସୋ ମାମଲା ରୁଜୁ କରି ଶ୍ରୀ ମଲ୍ଲିକଙ୍କୁ ଗିରଫ କରିଛି।

Untitled-21