ଭୁବନେଶ୍ବର: ବାହାଘର ପାଇଁ ଅନୁମତି ମିଳିଛି। ହେଲେ ବାହାଘରକୁ ଭରସା କରି ଚଳୁଥିବା ବ୍ୟବସାୟୀମାନଙ୍କୁ କଟକଣା ସୁହାଉ ନାହିଁ। ସୀମିତ ବ୍ୟକ୍ତିରେ ଅନୁମତି ମିଳୁଥିବା ଯୋଗୁଁ ଲୋକେ ଆଡ଼ମ୍ବରଠାରୁ ଦୂରେଇ ରହୁଛନ୍ତି। ଏହା ଉପରେ ନିର୍ଭରଶୀଳ ଲକ୍ଷଲକ୍ଷ ଲୋକେ ଏବେ ରାଜରାସ୍ତାକୁ ଚାଲି ଆସିଛନ୍ତି। କିଏ ମାଛ ବିକିଲାଣି ତ କିଏ ଚା’। କିଏ ଝାଲ୍ ମୁଢ଼ି ତ ପୁଣି କିଏ ପରିବା ବିକି ଗୁଜରାଣ ମେଣ୍ଟାଉଛି। ଏଭଳିସ୍ଥଳେ ଧରାଶାୟୀ ହୋଇଗଲେଣି ଟେଣ୍ଟ୍, ଲାଇଟ୍, ସାଉଣ୍ଡ, ଫୁଲ, କ୍ୟାଟରିଂ ସହ ଜଡ଼ିତ ବ୍ୟବସାୟୀବୃନ୍ଦ। ଦୀର୍ଘ ୮ ମାସ ଧରି ବାହାଘର ଉପରେ କଟକଣା ବଳବତ୍ତର ରହିଥିବାରୁ ନିଜ ପରିବାରର ଗୁଜୁରାଣ ପାଇଁ ଶେଷରେ ଚା’ ଦୋକାନ କରିଛନ୍ତି ଦେହୁରୀ ଲାଇଟ୍, ସାଉଣ୍ଡ୍ ଓ ଡିଜେ ମାଲିକ କାର୍ତ୍ତିକ ଚରଣ ଦେହୁରି।
ବାହାଘର ଋତୁ ହେଉ ଅବା ଲୋୟର ପିଏମ୍ଜିରେ ଧାରଣାସ୍ଥଳ ବିକ୍ଷୋଭ; ସବୁଠି ଲୋଡ଼ା ପଡ଼ନ୍ତି କାର୍ତ୍ତିକ ଭାଇ। ଦୀର୍ଘ ୧୪ବର୍ଷର ଅଭିଜ୍ଞତା ଯୋଗୁଁ ଲାଇଟ୍, ସାଉଣ୍ଡ୍ ଓ ଡିଜେ ଭଡ଼ାସୂତ୍ରରେ ଯୋଗାଇବାରେ ତାଙ୍କର ଖୁବ୍ ନାଁ ଥିଲା। ଏଥିରେ ନିଜ ପରିବାର ସମେତ ଆଉ ୧୦ଟି ପରିବାର ଚଳୁଥିଲା। ମାତ୍ର ଯେବେଠୁ କରୋନା ଗ୍ରାସିଲା, ସେବେଠୁ ସବୁ ବନ୍ଦ ହୋଇଗଲା। ସେ ଯେଉଁ କର୍ମଚାରୀମାନଙ୍କୁ ରଖି କାମ କରାଉଥିଲେ, ସେମାନଙ୍କୁ ଦରମା ଦେଇ ନପାରିବାରୁ ଅନ୍ୟତ୍ର ଚାଲିଗଲେ। ଅନ୍ୟପକ୍ଷରେ ସେ ନିଜ ଟେଣ୍ଟ୍, ଲାଇଟ୍, ସାଉଣ୍ଡ୍ ଜିନିଷ ସାଇତିବା ପାଇଁ ଯେଉଁ ୨ଟି ଗୋଦାମ ଭଡ଼ା ସୂତ୍ରରେ ନେଇଛନ୍ତି, ତା’ର ଭଡ଼ା ଦେଇ ନପାରିବାରୁ ଘର ମାଲିକ ତାଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଲାଣି। ଫଳରେ କାର୍ତ୍ତିକ ବାଧ୍ୟ ହୋଇ ଚା’ ଦୋକାନ କରି ଗୁଜୁରାଣ ମେଣ୍ଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ଖାଲି କାର୍ତ୍ତିକ ନୁହନ୍ତି, ତାଙ୍କ ଭଳି ଲକ୍ଷାଧିକ ବ୍ୟବସାୟୀ ଓ କର୍ମଚାରୀ ନାଚାର ହୋଇ ଅନ୍ୟ ପନ୍ଥା ଆପଣାଉଛନ୍ତି। ଏଣେ ଟେଣ୍ଟ ଓ ଲାଇଟ୍ ସାଉଣ୍ଡ ବ୍ୟବସାୟୀମାନେ ଘରେ ସାଇତିଥିବା ଜିନିଷଗୁଡ଼ିକ ବ୍ୟବହାର ହୋଇ ନପାରିବାରୁ ସେସବୁ ଅଚଳ ହୋଇଗଲାଣି। କାର୍ତ୍ତିକଙ୍କ କହିବା ମୁତାବକ, ସେ ୧୯୭୨ରେ ଭଂଜନଗରରୁ ରୋଜଗାର ଆଶାରେ ଭୁବନେଶ୍ବର ଆସିଥିଲେ। ବିଭିନ୍ନ ସ୍ଥାନରେ କାମ କରିବା ପରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ ଟେକ୍ନିକାଲ୍ କନ୍ସଲ୍ଟାନ୍ସିରେ କାମ କରୁଥିଲେ। ମାତ୍ର ୨୦୦୬ରେ ସେ ନିଜର ଲାଇଟ୍, ସାଉଣ୍ଡ, ଡିଜେ ବ୍ୟବସାୟ ଆରମ୍ଭ କଲେ। ପରେ ସେ ଟେଣ୍ଟ୍ ମଧ୍ୟ କଲେ। ସଂଘର୍ଷମୟ ଜୀବନରୁ ସଫଳ ଟେଣ୍ଟ୍ ବ୍ୟବସାୟୀ ଭାବେ ରାଜଧାନୀରେ ଖ୍ୟାତି ଅର୍ଜନ କରିଥିଲେ। ମାତ୍ର ୧୪ ବର୍ଷର ପରିଶ୍ରମ ଏହି ୮ ମାସରେ ମିଳେଇଗଲା। ଯଦି ସରକାର ଅନ୍ତତଃ ୨ଶହ ଜଣଙ୍କୁ ନେଇ ବିବାହ ପାଇଁ ସୁଯୋଗ ଦିଅନ୍ତେ, ତେବେ ଆମ ଭଳି ଲକ୍ଷ ଲକ୍ଷ ବ୍ୟବସାୟୀ ଓ କର୍ମଚାରୀ କାମ ପାଇଯାଆନ୍ତେ। ଆମକୁ ସରକାରୀ ସହାୟତା ଲୋଡ଼ା ନାହିଁ, ବରଂ କଟକଣାରେ ଟିକେ କୋହଳ କରି ଆମକୁ ଆମ କାମ ସରକାର ଫେରାଇ ଦେବାକୁ ସେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dgj49dg7jd98gj798jgjgjggjgjgj.jpg)