ମଞ୍ଚେଶ୍ୱର ଆର୍‌ଓବି ପାଇଁ ବାଟ ଫିଟିଲା, ଟେଣ୍ଡର୍‌ ଡାକିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର : ମଞ୍ଚେଶ୍ୱର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ନିର୍ମାଣ ପାଇଁ ଟେଣ୍ଡର୍‌ ଡାକିଛି ପୂର୍ତ୍ତ ବିଭାଗ। ଆସନ୍ତା ମଙ୍ଗଳବାର ଏହି ଟେଣ୍ଡର୍‌ ଖୋଲିବ। ଠିକାସଂସ୍ଥା ଚୟନ ହେବା ପରେ ଖୁବ୍‌ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ସାକାର ରୂପ ନେବାକୁ ଯାଉଥିବାରୁ ଭିଏସଏସ୍‌ନଗର ଓ ମଞ୍ଚେଶ୍ବର ଅଞ୍ଚଳବାସୀଙ୍କ ମଧ୍ୟ‌ରେ ଆନନ୍ଦ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଏଠାରେ ଏକ ଓଭରବ୍ରିଜ୍‌ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଥିଲା। ହେଲେ ବିଭିନ୍ନ କାରଣରୁ ତାହା ହୋଇ ପାରୁନଥିଲା। ୨୦୧୯ ମାର୍ଚ୍ଚ ମାସରେ ତତ୍‌କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆର୍‌ଓବି ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ସରକାରୀ ଉଦାସୀନତା ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତାହା ଆଗେଇ ପାରିନଥିଲା। ପୂର୍ବରୁ ଏହାକୁ ତିନିପାଖିଆ କରିବାକୁ ଯୋଜନା ହୋଇଥିଲା। ଏହାର ବ୍ୟୟ ଅଟକଳ ମାତ୍ର ୪୮କୋଟି ଟଙ୍କା ରହିଥିଲା। କିନ୍ତୁ ବିଳମ୍ବ ହେବାରୁ ଏବେ ଖର୍ଚ୍ଚ ବଢ଼ିଛି। ଏଥିପାଇଁ ୬୫କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଆର୍‌ଓବି ତିନିପାଖିଆ ବଦଳରେ ଦୁଇପାଖିଆ ହେଉଛି। ଅର୍ଥାତ୍‌ ଏହି ବ୍ରିଜ୍‌ ମଞ୍ଚେଶ୍ବରରୁ ବାହାରି ଏହା ଭିଏସ୍‌ଏସ୍‌ନଗର ଆଡ଼କୁ ଆସୁଛି। ସୈନିକ ସ୍କୁଲ ପଟକୁ ଏହି ଆର୍‌ଓବି ଯିବ ନାହିଁ। ସରକାରୀ ଜମି ଅଭାବ, ବେସରକାରୀ ଜମି ଅଧିଗ୍ରହଣରେ ସମସ୍ୟା ଆଧାରରେ ଏହାକୁ ଦୁଇପାଖିଆ କରି ଦିଆଯାଇଛି। କଟକ ରୋଡ୍‌ ଝାରପଡ଼ା ଜେଲ୍‌ ଛକରେ ଥିବା ଆରଓବି ଢଙ୍ଗରେ ଏହି ଆରଓବି ତିଆରି ହେବ। ଭିଏସ୍‌ଏସ୍‌ନଗର ପଟେ ବ୍ରିଜ୍‌ ଆରମ୍ଭରେ ଏକ ଗୋଲେଇ ଛକ ହେବ। ସୈନିକ ସ୍କୁଲ ପଟୁ ଆସୁଥିବା ଗାଡ଼ି ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରକୁ ଯିବାକୁ ହେଲେ ଭିଏସ୍‌ଏସ୍‌ନଗର ଆଡ଼କୁ ଆସି ଏହି ଗୋଲେଇ ଛକ ବୁଲି ଓଭରବ୍ରିଜ୍‌ ଚଢ଼ିବ। ମଞ୍ଚେଶ୍ବର ପଟୁ ସୈନିକ ସ୍କୁଲ ପଟକୁ ଯିବାକୁ ହେଲେ ଅନୁରୂପ ଢଙ୍ଗରେ ଫେରିବେ।

‌‌‌ତେବେ ଏଭଳି ବ୍ୟବସ୍ଥାକୁ ବିରୋଧ କରିଛି ବୀର ସୁରେନ୍ଦ୍ରସାଏ ସାଂସ୍କୃତିକ ସଂସଦ। ସଂସଦର ଅଭିଯୋଗ ମୁତାବକ, ପ୍ରତିଦିନ ସୈନିକ ସ୍କୁଲ ପଟୁ ବହୁ ଭାରୀଯାନ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରକୁ ଯାଇଥା’ନ୍ତି। ଏଥିପାଇଁ ଗଡ଼େଶ୍ବର ହାଟ ନିକଟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ସାଧାରଣ ଲୋକ ଘଣ୍ଟା ଘଣ୍ଟା ଜାମ୍‌ରେ ଫସି ହଇରାଣ ହୋଇଥା’ନ୍ତି। ଏବେ ସୈନିକ ସ୍କୁଲ ପଟୁ ବଡ଼ବଡ଼ ଗାଡ଼ି ଗୋଲେଇ ଛକ ବୁଲି ଆର୍‌ଓବି ଚଢ଼ିବେ। ଫଳରେ ସେଠାରେ ମଧ୍ୟ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ। ତେଣୁ ଭିଏସଏସନଗର ପଟୁ ଆର୍‌ଓବି ନିର୍ମାଣ ହେଲେ ମଧ୍ୟ ଏହି ସମସ୍ୟାର ସମାଧାନ ହେବ ନାହିଁ। ସେଥିପାଇଁ ସଂସଦ ପକ୍ଷରୁ ସୈନିକ ସ୍କୁଲ ପଟୁ ଆର୍‌ଓବି ନିର୍ମାଣ କରଯିବାକୁ ଦାବି କରାଯାଉଥିଲା।

ସମ୍ବନ୍ଧିତ ଖବର