ଭୁବନେଶ୍ବର: ପୂର୍ବତଟ ରେଳବାଇରେ ବଡ଼ଧରଣର ଟେଣ୍ଡର୍ ଫିକ୍ସିଂ। ସବୁ ନିୟମକାନୁନକୁ ଫାଙ୍କି ଦେଇ ଠିକାଦାରଙ୍କୁ ପୂର୍ବତଟ ରେଳ ଅଧିକାରୀ ଅହେତୁକ ଅନୁକମ୍ପା ଦେଖାଇଥିଲେ। ଟେଣ୍ଡର୍ ଫିକ୍ସିଂରେ ଠିକାଦାର କଟକର ଠାକୁର ଏଣ୍ଟରପ୍ରାଇଜେସ୍ ମାଲିକ ରାଜୀବ ଠାକୁର ଓ ପୂର୍ବତଟ ରେଳବାଇର ୭ ଅଧିକାରୀ ତତ୍କାଳୀନ ସମ୍ବଲପୁର ଉପମୁଖ୍ୟ ସିଗନାଲ୍ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟର ତଥା ଏବେ ଭୁବନେଶ୍ବର ପ୍ରୋଜେକ୍ଟ-୧ରେ କାର୍ଯ୍ୟରତ ପର୍ଶୁନାଥ ମାସନ୍ତ, ପୂର୍ବତଟ ରେଳବାଇର ତତ୍କାଳୀନ କନଷ୍ଟ୍ରକସନ୍ ବିଭାଗର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟସ୍ ଅଫିସର ଏମ୍. ଭି ନରସିମହାମ୍, ଭୁବନେଶ୍ବରରେ କାର୍ଯ୍ୟରତ ଉପକମ୍ୟୁନିକେସନ୍ ଇଞ୍ଜିନିୟର ସି.ଆର. ଦାସ, ଅନୁଗୁଳ ଓ କେରଜଙ୍ଗ ରେଳ ଷ୍ଟେସନରେ କାର୍ଯ୍ୟରତ ବିଦ୍ୟୁତ ସିଗନାଲ୍ ମେଣ୍ଟେନର ନୀଳମଣି ମାଝୀ, ଅନୁଗୁଳରେ କାର୍ଯ୍ୟରତ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଜେ. ସୁମୂର୍ତ୍ତି, ସମ୍ବଲପୁର ଡିଭିଜନ୍ର ଅବସରପ୍ରାପ୍ତ ସହକାରୀ ସିଗନାଲ୍ ଟେଲିକମ୍ ଇଞ୍ଜିନିୟର ସୁବାସ ଚନ୍ଦ୍ର ଦାସ, ସମ୍ବଲପୁର ଡିଭିଜନର ଉପମୁଖ୍ୟ ସିଗନାଲ୍ ଟେଲିକମ୍ୟୁନିକେସନ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟର ଷ୍ଟେନୋଗ୍ରାଫର୍ ସଞ୍ଜୀବ କୁମାର ସାହୁ ମିଶି ଷଡଯନ୍ତ୍ର ତିଆରି କରିଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି। ସିବିଆଇର ଏକାଧିକ ଟିମ୍ ଆଜି ଭୁବନେଶ୍ବରରେ ପୂର୍ବତଟ ରେଳବାଇ ଅଫିସ, ସମ୍ବଲପୁର ଡିଭିଜନ୍, ଅନୁଗୁଳ ଓ କେରେଜଙ୍ଗ ରେଳ ଷ୍ଟେସନ, ରାଜୀବ ଠାକୁରଙ୍କ କଟକ ଅଫିସ, ସବୁ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଘର ସମେତ ୧୫ଟି ଜାଗାରେ ଚଢ଼ଉ କରିଛି। ସମ୍ପୃକ୍ତ ଠିକାଦାର ଓ ଅଧିକାରୀମାନଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। କମ୍ପ୍ୟୁଟର୍ ହାର୍ଡଡିସ୍କ, ପେନ୍ ଡ୍ରାଇଭ ଜବତ କରିଛି ସିବିଆଇ। ଟେଣ୍ଡର୍ ପ୍ରକ୍ରିୟାରେ ଅନିୟମିତତା ସହ ପୂର୍ବତଟ ରେଳବାଇକୁ ୫ କୋଟି ୯୦ ଲକ୍ଷ ଟଙ୍କାର କ୍ଷତି ପହଞ୍ଚାଇଥିବା ସିବିଆଇ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଠିକାଦାର ରାଜୀବ ଠାକୁରଙ୍କଠାରୁ ଅଧିକାରୀମାନେ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ, ନଗଦ ଟଙ୍କା ନେଇଥିବା ସିବିଆଇ ପାଖରେ ପ୍ରମାଣ ଲାଗିଛି। ନିଜ ପଦର ଅପବ୍ୟବହାର, ରେଳ ବିଭାଗକୁ ଠକିବା, ଆପରାଧିକ ଷଡ଼ଯନ୍ତ୍ର ନେଇ ମାମଲା ରୁଜୁ କରିଛି ସିବିଆଇ। ଦୁର୍ନୀତି ନିବାରଣ ଆଇନର ଧାରା-୧୧ ଏବଂ ୧୩(୨), ୧୩(୧)(ଡି) ଓ ଆଇପିସି ଧାରା-୧୨୦(ବି), ୪୨୦ରେ ମାମଲା ରୁଜୁ ହୋଇଛି। ରେଳବାଇ ବୋର୍ଡର ଅନୁମତି ମିଳିବା ପରେ ସିବିଆଇ ଏହି ମାମଲା ରୁଜୁ କରିଛି।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବତଟ ରେଳବାଇ ଅଧୀନରେ ଆସୁଥିବା ସମ୍ବଲପୁର ଡିଭିଜନ୍ର ସର୍ଗିପାଲି, ଜରପଡ଼ା, ବାମୁର, କେରଜଙ୍ଗ ରେଳ ଷ୍ଟେସନ୍ ଏବଂ ସମ୍ବଲପୁର-ତାଳଚେର ସେକ୍ସନର ସିଗନାଲ୍ କାମ, ସିଗନାଲରେ ବ୍ୟବହୃତ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଯୋଗାଣ, ବୈଷୟିକ କାମ ପାଇଁ ୨୦୧୬ ଫେବ୍ରୁଆରି ୧ ତାରିଖରେ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଟେଣ୍ଡର୍ରେ କଟକର ଠାକୁର ଏଣ୍ଟରପ୍ରାଇଜେସ୍, ହାଇଦ୍ରାବାଦର ଏସ୍ ଆଣ୍ଡ ଏସ୍ ଏଣ୍ଟରପ୍ରାଇଜେସ୍, କୋଲକାତାର ଏମଆର୍ଟି ସିଗନାଲସ୍ ଲିମିଟେଡ୍ ଭାଗ ନେଇଥିଲେ। ଟେଣ୍ଡର୍ର ପ୍ରକୃତ ମୂଲ୍ୟ ୯କୋଟି ୬୦ ଲକ୍ଷ ୮୧ ହଜାର ୬୦୭ଟଙ୍କା ହୋଇଥିବା ବେଳେ ଠାକୁର ଏଣ୍ଟରପ୍ରାଇଜେସ୍ ୧୫କୋଟି ୫୦ ଲକ୍ଷ ୯୧ ହଜାର ୮୨୬ ଟଙ୍କାରେ ଟେଣ୍ଡର୍ ପକାଇଥିଲା। ଠାକୁର ଏଣ୍ଟରପ୍ରାଇଜେସ୍ ଏହି ଟେଣ୍ଡର ହାତେଇଥିଲା। ରେଳବାଇ ଷ୍ଟୋର୍ରେ ଉପଲବ୍ଧ ଯନ୍ତ୍ରାଂଶ ମୂଲ୍ୟଠାରୁ ଅଧିକ ମୂଲ୍ୟରେ ବିଲ୍ ହୋଇଥିବାରୁ ପୂର୍ବତଟ ରେଳବାଇକୁ ୧କୋଟି ୨୬ ଲକ୍ଷ ୮୭ ହଜାର ୭୯୯ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହିପରି ଭାବେ ପୂର୍ବତଟ ରେଳବାଇକୁ ମୋଟ୍ ୫କୋଟି ୯୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ବୋଲି ସିବିଆଇ ଅନୁସନ୍ଧାନରୁ ଜଣାପଡ଼ିଥିଲା। ଖୋଳତାଡ଼ ହେଲା ପରେ ଏହା ଏକ ଯୋଜନାବଦ୍ଧ ଟେଣ୍ଡର୍ ଫିକ୍ସିଂ ବୋଲି ସିବିଆଇ ଜାଣିବାକୁ ପାଇଥିଲା। ତିନି ବିଡର୍ଙ୍କ ଭିତରୁ ହାଇଦ୍ରାବାଦର ଏସ୍ ଆଣ୍ଡ ଏସ୍ ଏଣ୍ଟରପ୍ରାଇଜେସ୍ ନାଁରେ ରାଜୀବ ଠାକୁର କଟକ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ନିଜ ଆକାଉଣ୍ଟରୁ ୬ ଲକ୍ଷ ୩୦ ହଜାର ୪୦୮ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ତିଆରି କରିବା ସହ ୧୦ହଜାର ଟଙ୍କାର ଟେଣ଼୍ଡର ଫର୍ମ କିଣିଥିବା ସିବିଆଇ ଜାଣିବାକୁ ପାଇଥିଲା। ଖୋଳତାଡ଼ ପରେ ସମ୍ପୃକ୍ତ ରାଜୀବ ଠାକୁର ରେଳବାଇ ଅଧିକାରୀଙ୍କ ସହ ମିଶି ଏକ ଷଡ଼ଯନ୍ତ୍ର ତିଆରି କରିଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଅଧିକାରୀଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ରାଜୀବ ଠାକୁର ଆକାଉଣ୍ଟରୁ ସିଧାସଳଖ ଟଙ୍କା ଯାଇଥିଲା। କେତେକ ଅଧିକାରୀଙ୍କୁ ଦାମୀ ସାମଗ୍ରୀ ବି ଦିଆଯାଇଥିବା ଅନୁସନ୍ଧାନ ସମୟରେ ଜଣା ପଡ଼ିଥିଲା। ରେଳବାଇ ଅଧିକାରୀ ନୀଳମଣି ମାଝି, ଜେ. ସୂମର୍ତ୍ତି, ସୁବାସ ଚନ୍ଦ୍ର ଦାସ, ସଞ୍ଜୀବ ସାହୁ ଓ ଆଉ କିଛି ଅଧିକାରୀଙ୍କ ପାଖକୁ ୨ଲକ୍ଷ ୭୦ ହଜାର ୮୬୦ ଟଙ୍କାର ଦାମୀ ସାମଗ୍ରୀ, ଟଙ୍କା ଯାଇଥିବା ଜଣାପଡ଼ିଛି। ସେହିପରି ପର୍ଶୁନାଥ ମାସନ୍ତଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ଠିକାଦାର ରାଜୀବ ଠାକୁର ଟଙ୍କା ଜମା କରିଥିବା ସିବିଆଇ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହି ମାମଲାରେ ଆହୁରି କିଛି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ତଦନ୍ତ ପରିସରକୁ ଆସିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଠିକା କାମରେ ହେରଫେର ନେଇ ଠିକାଦାର ରାଜୀବ ଠାକୁରଙ୍କ ନାଁରେ ପୂର୍ବରୁ ବିଶାଖାପାଟଣା ସିବିଆଇ ଶାଖାରେ ମଧ୍ୟ ମାମଲା ରୁଜୁ ହୋଇଛି। ବଡ଼ଧରଣର ଠକେଇରେ ସିବିଆଇ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି।