ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଲାଣି ବର୍ଷା

ଭୁବନେଶ୍ୱର: ସାମାନ୍ୟ ବର୍ଷାରେ ରାଜଧାନୀ ଜଳବନ୍ଦୀ ହୋଇଯାଉଥିବା ବେଳେ ଆଗକୁ ବଡ଼ ବର୍ଷା ଆସୁଛି। ଏପରିସ୍ଥଳେ ରାଜଧାନୀ ସ୍ଥିତି ସାଂଘାତିକ ହେବାକୁ ଯାଉଛି। ତେଣୁ ବିଭିନ୍ନ ସ୍ଥାନରୁ ଯେପରି ତୁରନ୍ତ ଜଳ ନିଷ୍କାସନ ହେବ ଏବଂ ଡ୍ରେନ୍‌ ସମସ୍ୟା ଦୂର ହେବ, ସେଥିପାଇଁ ବିଏମ୍‌ସି ଅଧିକାରୀଙ୍କ ନିଦ ହଜିଗଲାଣି। କମିସନର କ୍ରିଷନ କୁମାର ସଦଳବଳେ ସକାଳୁ ସକାଳୁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରୁଥିବା ବେଳେ ବିଏମ୍‌ସିର ୬୭ଟି ଓ୍ଵାର୍ଡକୁ ୧୩ଟି ସବ୍‌ଜୋନ୍‌ରେ ବିଭକ୍ତ କରି ୧୩ଜଣ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ୧୩ଜଣ ନୋଡାଲ ଅଧିକାରୀ ସେମାନଙ୍କ ଅଞ୍ଚଳ ବୁଲି କମିସନରଙ୍କୁ ରିପୋର୍ଟ ଦେଇଛନ୍ତି। ଆଜି ସକାଳୁ କମିସନର ଲିଙ୍ଗରାଜ ଅଞ୍ଚଳ ବୁଲିଥିବା ବେଳେ ଅତିରିକ୍ତ କମିସନର ବାଣୀବିହାର ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ।

୧୩ ନୋଡାଲ୍‌ ଅଧିକାରୀ ସବ୍‌ଜୋନ୍‌ ବୁଲିଲେ
ସପ୍ତାହକୁ ତିନି ଦିନ ସକାଳ ୭ଟାରୁ ୯ଟା କ୍ଷେତ୍ର ପରିଦର୍ଶନ
ଅଧିକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ ଗଠନ ହେଲା

ବିଏମ୍‌ସି ପକ୍ଷରୁ ଇନ୍‌ଫୋସିଟି, ଜାଭିୟର, ବାଣୀବିହାର, କୁଆଖାଇ, ଖଣ୍ଡଗିରି, ଇସ୍କନ ଅଞ୍ଚଳ, ଓୟୁଏଟି, ବିମାନବନ୍ଦର, ସ୍ମାର୍ଟ ଡିଷ୍ଟ୍ରିକ୍ଟ ଅଞ୍ଚଳ, ସଚିବାଳୟ ମାର୍ଗ, କଟକରୋଡ୍‌ ଅଞ୍ଚଳ, କଳ୍ପନା ଅଞ୍ଚଳ, ଲିଙ୍ଗରାଜ ଅଞ୍ଚଳକୁ ନେଇ ୧୩ଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଛି। ନୋଡାଲ ଅଧିକାରୀମାନେ ପ୍ରତ୍ୟେକ ସୋମ, ବୁଧ ଓ ଶୁକ୍ରବାର ସକାଳ ୭ଟାରୁ ପୂର୍ବାହ୍ନ ୯ଟା ମଧ୍ୟରେ ସେମାନଙ୍କ ଅଞ୍ଚଳ ବୁଲିବେ। ସେମାନେ ସେମାନଙ୍କ ସବ୍‌ଜୋନ୍‌ର ପରିମଳ ବ୍ୟବସ୍ଥା ପାଇଁ ଦାୟୀ ହେବେ। ଏଥିରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ, ରାସ୍ତା ସଫେଇ, ଡ୍ରେନ୍‌ ସଫେଇ ଏବଂ ଶୌଚାଳୟ ମରାମତି, ଜବରଦଖଲ ସ୍ଥିତି ଏବଂ ଉଚ୍ଛେଦ, ଭୁବନେଶ୍ୱର ଓ୍ଵାନ୍‌ ହେଲ୍ପ ଲାଇନ୍‌ରେ ଆସୁଥିବା ସମସ୍ତ ଅଭିଯୋଗର ଶୁଣାଣି, ସମସ୍ତ ଜରୁରୀକାଳୀନ ସ୍ଥିତି ତଦାରଖ କରିବେ ଏବଂ ସେମାନଙ୍କ ଅଞ୍ଚଳରେ ଥିବା ଆବାସିକ ଅଞ୍ଚଳଗୁଡ଼ିକୁ ଯାଇ ଆଲୋଚନା କରିବେ। ସେହିପରି ନୋଡାଲ ଅଧିକାରୀମାନେ ଦେଉଥିବା ନିର୍ଦ୍ଦେଶ ଓ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ‘ଅଭିଯୋଗ ଶୁଣାଣି ଏବଂ କ୍ଷେତ୍ର ପରିଦର୍ଶନ ସେଲ୍‌’ ଗଠନ ହୋଇଛି। ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରଖିବା ପାଇଁ ‘ବିଏମ୍‌ସି ଅପରେସନ୍ସ’ ନାମରେ ଏକ ହ୍ଵାଟସଆପ୍‌ ଗ୍ରୁପ୍‌ ଗଠନ ହୋଇଛି।

ସମ୍ବନ୍ଧିତ ଖବର