ପୁଣି ନିର୍ବାଚନ ଦାବି ତେଜିଲା

ସାଇନ୍‌ ଡାଏ ଉଠିବା ପରେ ବାଣୀବିହାର ଅଶାନ୍ତ

ଭୁବନେଶ୍ୱର : ସାଇନ୍‌ ଡାଏ ଉଠିବା କ୍ଷଣି ପୁଣିଥରେ ଅଶାନ୍ତ ହୋଇଉଠିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। କ୍ୟାମ୍ପସ୍‌ରେ ହିଂସା ଯୋଗୁଁ ଚଳିତ ବର୍ଷ ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ପୁନର୍ବାର କରିବା ଦାବି ଜୋର ଧରିଛି। ଏହି ଦାବିରେ ଛାତ୍ର ବିଜେଡିର ଆଶାୟୀ ସଭାପତି ପ୍ର୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଓ ସମର୍ଥକମାନେ ଆଜି ପୂର୍ବାହ୍ନରେ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଘେରାଉ କରିବାରୁ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଛି। ଅପରାହ୍ନରେ ପ୍ରାୟ ଏକ ଘଣ୍ଟା ଧରି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏବଂ ଛାତ୍ରଙ୍କ ମଧ୍ୟରେ ଆଲୋଚନା ପରେ ନିର୍ବାଚନ କରିବା ନେଇ ୪ଟି ପ୍ରସ୍ତାବ ରଖାଯାଇଛି। ଯଦି ସେଗୁଡ଼ିକୁ ଅନୁମତି ମିଳେ ତେବେ ନିର୍ବାଚନ ହେବ ବୋଲି ଆନ୍ଦୋଳନରତ ଛାତ୍ରଙ୍କୁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ଅନ୍ୟପକ୍ଷରେ ଏବିଭିପି ପକ୍ଷରୁ ମଧ୍ୟ କ୍ୟାମ୍ପସ୍‌ରେ ନିର୍ବାଚନ କରିବା ଏବଂ ଅନ୍ୟାନ୍ୟ ଦାବି ନେଇ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଜୟନ୍ତ ପରିଡ଼ା କହିଛନ୍ତି ଯେ, ନିର୍ବାଚନ କରିବାକୁ ଛାତ୍ରମାନେ ଯେଉଁ ଦାବି କରୁଛନ୍ତି ସେନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ସମେତ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ। ଯଦି ପୁଣିଥରେ ନିର୍ବାଚନ କରିବାକୁ ସେମାନେ ଅନୁମତି ଦିଅନ୍ତି ତେବେ ନିର୍ବାଚନ କରାଯିବାର ସମ୍ଭାବନା ରହିଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ ପୁଲିସର ମଧ୍ୟ ଅନୁମତି ଦରକାର। ବିଶ୍ୱବିଦ୍ୟାଳୟର ଆଇନ ପରାମର୍ଶଦାତାଙ୍କଠାରୁ ମଧ୍ୟ ଏନେଇ ପରାମର୍ଶ ନିଆଯିବ। ଏଥିସହ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ୩ଟି ଯାକ ଛାତ୍ର ସଙ୍ଗଠନର ପ୍ରାର୍ଥୀମାନଙ୍କ ବୈଠକ ଡକାଯାଇଛି। ଏ ନେଇ ସେମାନଙ୍କ ମତାମତ ବି ନିଆଯିବ। ଯଦି ଏହି ୪ଟି ଯାକ ପ୍ରସ୍ତାବକୁ ଅନୁମତି ମିଳିବ ତେବେ ପିଜି କାଉନସିଲ୍‌ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସାଇନ୍‌ ଡାଏ ଉଠିବା ପରେ ଆଜି ସକାଳୁ କ୍ୟାମ୍ପସରେ ପରିସ୍ଥିତି ସ୍ୱାଭାବିକ ରହିଥିଲା। ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ସେମାନଙ୍କ ପରିଚୟପତ୍ର ଦେଖାଇ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀଙ୍କ ସମେତ ସମର୍ଥକମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଲୋଚନା ପାଇଁ କୁଳପତି କାର୍ଯ୍ୟାଳୟ ବାହାରକୁ ଆସିବା କ୍ଷଣି ଛାତ୍ରମାନେ ତାଙ୍କୁ ଗାଳିଗୁଲଜ ବି କରିଥିଲେ। ଏତିକିବେଳେ ପୁଲିସ ଛାତ୍ରମାନଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଅପରାହ୍ନରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅନ୍ୟପକ୍ଷରେ ଏବିଭିପିର ସଭାପତି ପ୍ରାର୍ଥୀ ରତନ କୁମାର ଦିଗଲ୍‌ଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ କୁଳପତିଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ହେଉ। ଆଗକୁ ଥିବା ମିଡ୍‌ ସେମିଷ୍ଟାର ପରୀକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉ। କ୍ୟାମ୍ପସର ସୁରକ୍ଷା ଦୃଷ୍ଟିରୁ ଗ୍ଲାସ କ୍ୟାଣ୍ଟିନ୍‌କୁ ସବୁଦିନ ଲାଗି ସିଲ୍‌ କରାଯାଉ। ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଛାତ୍ର ସଂସଦ କାର୍ଯ୍ୟାଳୟରେ ତାଲା ପଡ଼ୁ। ସେମାନେ ଆହୁରି ଅଭିଯୋଗ କରିଥିଲେ ଯେ ସାଇନ୍‌ ଡାଏ ଉଠିବା ପରେ ଆଜି ଭିଏସ୍‌ଏସ୍‌ ନଗର ଫାଟକ ଦେଇ ଜଣେ ପୂର୍ବତନ ସଭାପତି ବିନା ପରିଚୟପତ୍ରରେ କ୍ୟାମ୍ପସକୁ ପ୍ର୍ରବେଶ କରିଥିଲେ। ଯେତେବେଳେ କି ଆଜି କେବଳ ଛାତ୍ରଙ୍କ ପ୍ରବେଶ ଲାଗି ବିଜ୍ଞପ୍ତି ଜାରି ହୋଇଥିଲା। ତେଣୁ କାର୍ଯ୍ୟରେ ଅବହେଳା କରିଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ପାଠପଢ଼ା ବ୍ୟାହତ ନ କରି ନିର୍ବାଚନ କରାଯାଉ
ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ନ କରି ନିର୍ବାଚନ କରିବାକୁ ଛାତ୍ର କଂଗ୍ରେସ, ଏବିଭିପି ଏବଂ ଛାତ୍ର ବିଜେଡିର ସଭାପତି ପ୍ର୍ରାର୍ଥୀ ଦାବି କରିଛନ୍ତି। ଛାତ୍ର କଂଗ୍ରେସ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ଜେନା କହିଛନ୍ତି ଯେ ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚନ ହେବା ଦରକାର। ନିର୍ବାଚନ ହେବା ସମୟରେ ରାଜନୈତିକ ଦଳ ଚାପରେ ବନ୍ଦ କରାଗଲା। ଏବେ କ୍ୟାମ୍ପସ ପରିସ୍ଥିତି ଠିକ୍‌ ନାହିଁ। ନିର୍ବାଚନ ହେଲେ ପିଲାଙ୍କ ପାଠପଢ଼ାରେ ବାଧା ଆସିପାରେ। ଯଦି ବି ନିର୍ବାଚନ ହୁଏ ଆମେ ପ୍ରସ୍ତୁତ। କ୍ୟାମ୍ପସ ସୁରକ୍ଷା କଡ଼ାକଡ଼ି କରାଯାଇ ନିର୍ବାଚନ ହେଉ। ଭୋଟଦାନ ଅଧିକାର ନ ଥିବା କେତେଜଣ ଛାତ୍ର କୁଳପତିଙ୍କୁ ର୍ଦୁବ୍ୟବହାର କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।

ଅନ୍ୟପକ୍ଷରେ ଛାତ୍ର ବିଜେଡିର ଆଶାୟୀ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର କହିଛନ୍ତି ଯେ ନିର୍ବାଚନ ହେଉଛି ଛାତ୍ରଛାତ୍ରୀଙ୍କ ଅଧିକାର। ଯେଉଁ ବର୍ଷ ନିର୍ବାଚନ ବନ୍ଦ ହେଉଛି ସେବର୍ଷ କ୍ୟାମ୍ପସର ବିକାଶ ବାଧାପ୍ରାପ୍ତ ହେଉଛି। ଏଥର ବିନା କାରଣରେ ନିର୍ବାଚନ ବନ୍ଦ ହୋଇଛି। ତେଣୁ ନିର୍ବର୍ାଚନ କରିବାକୁ ଆମେ ଦାବି କରୁଛୁ। ଏବିଭିପିରୁ ସଭାପତି ପ୍ରାର୍ଥୀ ହୋଇଥିବା ରତନ୍‌ ଦିଗଲ୍‌ କହିଛନ୍ତି ନିର୍ବାଚନ ହେଉ। ଆମେ ପ୍ରସ୍ତୁତ। ସାଇନ୍‌ ଡାଏ ଦ୍ୱାରା ୧୦ ଦିନର ପାଠପଢ଼ା ବନ୍ଦ ହୋଇଛି। ମିଡ୍‌ ସେମିଷ୍ଟାର ପରୀକ୍ଷା ବି ସରିନି। ତେଣୁ ସବୁ କଥା ବିଚାରକୁ ନିଆଯାଇ ନିଷ୍ପତ୍ତି ହେଉ। ଆଜି କୁଳପତିଙ୍କୁ ଦୁର୍ବ୍ୟବହାର କରିଥିବା ଏବଂ ଗତ ୧୮ ତାରିଖରେ କୁଳପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଛାତ୍ର/ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଚଟାଣରେ ବସିଲେ କୁଳପତି
ବାଣୀବିହାରରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ନିର୍ବାଚନ ଦାବିରେ ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସମୟରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ନିଜ ଚେୟାର, କାର୍ଯ୍ୟାଳୟ ଛାଡ଼ି ବାହାରକୁ ଚାଲିଆସିଥିଲେ। ଏହି ସମୟରେ ଛାତ୍ରମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ କୁଳପତି ନିଜ କାର୍ଯ୍ୟାଳୟ ସମ୍ମୁଖ ଚଟାଣରେ ବସିପଡ଼ିଥିଲେ। ତାଙ୍କ ସହ ବିଶ୍ୱବିଦ୍ୟାଳୟର ସମସ୍ତ ଅଧିକାରୀ ମଧ୍ୟ ଚଟାଣରେ ବସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର