ବାଲିଅନ୍ତା : ମୁଖ୍ୟ ରାସ୍ତା ସିଲ୍‌ ନେଇ ଉତ୍ତେଜନା

ବିଶରପୁରରେ ଗୋଟିଏ ପରିବାରର ୪ ପଜିଟିଭ୍‌

ବାଲିଅନ୍ତା : ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ବିଶରପୁର ଗ୍ରାମର ଗୋଟିଏ ପରିବାରରୁ ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଞ୍ଚାୟତ ପକ୍ଷରୁ ଆଜି ପୂର୍ବାହ୍ନରେ ପାରିବାସୁଦେଇପୁର-ଆଣ୍ଠୁଆରି ମୁଖ୍ୟ ରାସ୍ତାକୁ ବାଉଁଶ ବାନ୍ଧି ବନ୍ଦ କରି ଦିଆଯାଇଛି। ଏନେଇ ଯାତାୟାତରେ ଘୋର୍‌ ସମସ୍ୟା ସୃଷ୍ଟି ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଯୁକ୍ତି ହେଲା, ଗ୍ରାମରେ ୧୦ ମାସର ଜଣେ ଗର୍ଭବତୀ, ଦୁଇଜଣ ଆସନ୍ନ ପ୍ରସବା ମହିଳା ଓ ୪ଜଣ ହୃଦରୋଗୀ ରହୁଛନ୍ତି। ଆପତ୍‌କାଳୀନ ସ୍ଥିତିରେ ସେମାନଙ୍କୁ ହସ୍ପିଟାଲ ନେବାରେ ସମସ୍ୟା ସୃଷ୍ଟି ହୋଇପାରେ। ରାସ୍ତା ସିଲ୍‌ ହୋଇଥିବାରୁ ଆମ୍ବୁଲାନ୍ସ ଗ୍ରାମ ଭିତରକୁ ପ୍ରବେଶ କରିପାରିବ ନାହିଁ। ଅପରପେକ୍ଷ କ୍ଷୀର ଓ ଛେନା ନେଇ ଭୁବନେଶ୍ବର ଯାଉଥିବା ବ୍ୟବସାୟୀମାନେ ମଧ୍ୟ ଏହାଦ୍ବାରା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେଣୁ ରାସ୍ତା ଖୋଲି ଦେବା ପାଇଁ ଗ୍ରାମ କମିଟି ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ଏବଂ ବିଡିଓ ଆଦିକନ୍ଦ ବେହେରାଙ୍କୁ ଫୋନ୍‌ କରି ଜଣାଇଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ବାଉଁଶଧଡ଼ା ଖୋଲାଯାଇ ନଥିବା ସୂଚନା ମିଳିଛି। ଏ ସଂପର୍କରେ ସରପଞ୍ଚ ବାମନ ଚରଣ ଭୋଇ କହିଛନ୍ତି, ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ରାସ୍ତା ସିଲ କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଥିବା ଉକ୍ତ ପରିବାରର ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି କଟକ ବଡ଼ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯିବାରୁ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ସେହିପରି ଦୁଇ ଦିନ ତଳେ ତାଙ୍କର ୨୭ବର୍ଷର ଭଣଜା ଓ ୧୧ ବର୍ଷର ଝିଅ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର