ଆଜି ମତଦାନ ବେଳେ ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ମେସିନ୍ରେ ତ୍ରୁଟି ଦେଖାଯିବାରୁ ବୁଥ୍ରେ ଉତ୍ତେଜନା ଦେଖାଦେଇଥିଲା। ଟାଣ ଖରା ପାଇଁ ବୁଥ୍ରେ ଟେଣ୍ଟ୍ ଲାଗିଥିଲେ ହେଁ ବହୁ ଲୋକ ଧାଡ଼ିରେ ଛିଡ଼ା ହୋଇଥିବାରୁ କେତେକ ଖରାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଇଭିଏମ୍ରେ ତ୍ରୁଟି ଦେଖାଦେବାରୁ ମତଦାତାମାନେ ହୋହଲ୍ଲା କରିଥିଲେ। ପ୍ରିଜାଇଡିଂ ଅଧିକାରୀ, ପୁଲିଂ ଅଧିକାରୀମାନେ ବୁଝାସୁଝା କରିଥିଲେ ବି ଖରାରେ ଛିଡ଼ା ହୋଇଥିବା ଲୋକଙ୍କୁ ଏହା ବାଧିଥିଲା। କେତେକ ସ୍ଥାନରେ ତ ଲୋକ ଭୋଟ୍ ନଦେଇ ଫେରି ଯାଇଥିଲେ। ଆଉ କିଛି ସ୍ଥାନରେ ଖରାପ ହୋଇଥିବା ଇଭିଏମ୍କୁ ସଜଡ଼ା ଯାଇଥିଲା, ଆଉ କିଛି ସ୍ଥାନରେ ନୂଆ ଇଭିଏମ୍ ଲାଗିବା ପରେ ମତଦାନ ଠିକ୍ ଭାବେ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସତ୍ୟନଗରରେ ୧୩୩, ୧୩୪, ୧୩୫ ଓ ୧୩୬ ନମ୍ବର ବୁଥ୍, ନୀଳାଦ୍ରିବିହାରରେ ୭୧ ଓ ୭୫ ନମ୍ବର, ଲକ୍ଷ୍ମୀସାଗର ହାଇସ୍କୁଲରେ ୧୯୨ ନମ୍ବର, ୟୁନିଟ-୩ରେ ୯୬ ନମ୍ବର, ଦାରୁଠେଙ୍ଗରେ ୪୪ନମ୍ବର, ଇଞ୍ଜଣାରେ ୩୯ନମ୍ବର, ରଘୁନାଥପୁରରେ ୨୨ନମ୍ବର, ଗୋସାଗରେଶ୍ବରରେ ପ୍ରାଥମିକ ବିଦ୍ୟାଳୟ, ପଣ୍ଡିତ ରଘୁନାଥ ସ୍କୁଲରେ ହୋଇଥିବା ୧୫୯ନମ୍ବର, ମରିଚରେ ୧୦ନମ୍ବର, ପ୍ରଶାନ୍ତବିହାରରେ ୩୪ନମ୍ବର, ୟୁନିଟ-୯ରେ ୧୧୧ ଓ ୧୧୨ ନମ୍ବର, ବାଲିପଦାରେ ୮ନମ୍ବର, ତମାଣ୍ଡୋ ଓ ପଥରଗାଡ଼ିଆରେ ବି ଇଭିଏମ୍ ତ୍ରୁଟି ଯୋଗୁଁ ଲୋକ ଭୋଟ୍ ଦେବା ପାଇଁ ବହୁ ସମୟ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ଇଭିଏମ୍ରେ କାହିଁକି ତ୍ରୁଟି ହେଲା, ଏହାକୁ ବ୍ୟବହାର କରିବା ପୂର୍ବରୁ ଯାଞ୍ଚ କରାଯାଇଥିଲା କି ନାହିଁ ସେନେଇ କିନ୍ତୁ ରିଟର୍ଣ୍ଣିଂ ଅଫିସର କିଛି କହିବାକୁ ମନା କରିଦେଇଛନ୍ତି।
ଇଭିଏମ୍ରେ ବ୍ୟାପକ ତ୍ରୁଟି ଦେଖାଯିବାରୁ ଏହା ଶାସକ ଦଳର ଚାଲ୍ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଏହାସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭୋଟ୍ ପ୍ରସ୍ତୁତି ପ୍ରତି ଲୋକ ଅଙ୍ଗୁଳି ଉଠାଇଛନ୍ତି।
ଭୂତ ଦେଲା ଭୋଟ୍!
ଆଜି କେତେକ ବୁଥ୍ରେ ମତଦାତାଙ୍କ ନାମ ଭୋଟର ତାଲିକାରେ ନଥିବାରୁ ସେମାନେ ଭୋଟ୍ ଦେଇପାରି ନଥିଲେ। ଏପଟେ କେତେକ ଲୋକଙ୍କର ନାମ ଭୋଟର ତାଲିକାରେ ଥିବା ସତ୍ତ୍ବେ ବି ଭୋଟ୍ ଦେବାରୁ ବଞ୍ଚିତ ହୋଇଛନ୍ତି। ଭୋଟର ତାଲିକାରେ ନାମ ଥିବା ଲୋକ ଭୋଟ୍ ଦେଇ ନପାରିବାର କାରଣ ହେଲା ସେମାନେ ଭୋଟ୍ ଦେବାକୁ ବୁଥ୍ରେ ପହଞ୍ଚିବାବେଳକୁ ତାଙ୍କ ନାମରେ ଆଉ କେହି ଭୋଟ୍ ଦେଇ ପଳାଇଥିଲେ। ଏହାପରେ ଭୋଟ୍ ଦେବାକୁ ଆସିଥିବା ଲୋକ କହୁଥିଲେ ଆମେ ତ ଭୋଟ୍ ଦେଇନୁ, ଆମ ଭୂତ କ’ଣ ଭୋଟ୍ ଦେଇ ପଳାଇଲା।
ମିଳିଥିବା ସୂଚନା ଅନୁଯାୟୀ, ଭୋଟର ତାଲିକାରେ ନାମ ଥିବା ସତ୍ତ୍ବେ ବହୁ ଭୋଟର ଆଜି ଭୋଟ୍ ଦେଇପାରି ନଥିଲେ। ତାଲିକାରେ ନାମ ଥିବାରୁ ଭୋଟ୍ ଦେବା ପାଇଁ ଖରାରେ ଦୀର୍ଘ ସମୟ ଛିଡ଼ା ହୋଇଥିଲେ। ଏପରିକି ହାତରେ ଚିରକୁଟି ଧରି ବୁଥ୍ ଭିତରକୁ ଯାଇଥିଲେ। ହେଲେ ପୁଲିଂ ଅଧିକାରୀ ଭୋଟ୍ ଦେବାକୁ ବାରଣ କରିଥିଲେ। କହିଥିଲେ ଆପଣ ଆଗରୁ ଭୋଟ୍ ଦେଇ ସାରିଛନ୍ତି। ପୁଣି ଥରେ କାହିଁକି ଆସିଛନ୍ତି। ଭୋଟର ବାରମ୍ବାର କହିଥିଲେ ଯେ, ମୁଁ ଭୋଟ୍ ଦେଇନି। ହେଲେ ପୁଲିଂ ଅଧିକାରୀ କହିଥିଲେ ଆପଣ ଭୋଟ୍ ଦେଇଛନ୍ତି। ଏପରିକି ଭୋଟର ତାଙ୍କ ଆଙ୍ଗୁଠିରେ କାଳି ଲାଗିନଥିବା କହିଥିଲେ। କିନ୍ତୁ ପୁଲିଂ ଅଧିକାରୀ ତାଙ୍କ ଜିଦ୍ରେ ଅଟଳ ଥିଲେ। ଏହାପରେ ଖୋଜା ପଡ଼ିଥିଲା କିଏ ଭୋଟ୍ ଦେଇକି ଗଲେ। ହେଲେ କିଏ ଭୋଟ୍ ଦେଲା ତାହା ଜଣାପଡ଼ିନଥିଲା। ଏହାପରେ ସମସ୍ତେ କୁହାକୁହି ହେଉଥିଲେ ଭୂତ ଭୋଟ୍ ଦେଇ ପଳାଇଲା।