ଚିନ୍ତା ବଢ଼ାଇଲାଣି କାମବାଲି କାରନାମା

୧୫ ଦିନରେ ବନ୍ଧା ହେଲେଣି ୩, ଅଭିଯୋଗ ୭

ଭୁବନେଶ୍ବର : ରାଜଧାନୀରେ ଏବେ ଘର ମାଲିକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି କାମବାଲି। ବିଶ୍ବାସରେ ବିଷ ଦେଇ ଲୁଟ୍‌ତରାଜ କରୁଛନ୍ତି। ଦିନକୁ ଦିନ ଏଭଳି ମାମଲା ବଢ଼ୁଥିବାରୁ ଘର ମାଲିକମାନେ ପ୍ରମାଦ ଗଣିଲେଣି। ଗୋଟିଏ ଦିଗରୁ କାମବାଲି ନ ହେଲେ ଘର ନ ଚଳେ। ଅନ୍ୟ ଦିଗରୁ ଚୋରି ଭୟ। ଏମିତି ଦୋ’ଛକ‌ିରେ ପଡ଼ି ହରବର ହେଉଛନ୍ତି ଘର ମାଲିକମାନେ। ଗତ ୧୫ଦିନ ଭିତରେ ଏମିତି ଅଭିଯୋଗରେ ୩ଜଣ କାମବାଲି ଗିରଫ ହୋଇଥିବା ବେଳେ ଆହୁରି ୭ ମାମଲାରେ କାମବାଲି ଫେରାର୍ ହୋଇଯାଇଛନ୍ତି।

କିଛି ଘଟଣା
ଗତ କିଛି ଉଦାହରଣକୁ ଦେଖିଲେ, ରାଜଧାନୀରେ କାମବାଲିଙ୍କ କଳା କାରନାମା ଜଳଜଳ ହୋଇ ଦେଖାଯାଉଛି। ଡୁମୁଡୁମା ଡିଏନ୍‌ ଅକ୍ସି ଆପାର୍ଟମେଣ୍ଟରେ ରହୁଥିବା ନିବେଦିତା ରାୟଙ୍କ ଘରେ କାମ କରୁଥିଲା ଇନ୍ଦୁ। ନିବେଦିତା ଓ ତାଙ୍କ ସ୍ବାମୀ ଉଭୟ କର୍ମଜୀବୀ ହୋଇଥିବାରୁ ସେମାନେ ଇନ୍ଦୁ ଭରସାରେ ଘର ଛାଡ଼ି ଚାଲିଯାଆନ୍ତି। ମାତ୍ର ସେମାନଙ୍କ ଭରସାରେ ବିଷ ଦେଇ ଇନ୍ଦୁ ଆଲ୍‌ମିରାରୁ ୫୦ ଗ୍ରାମ ଓଜନର ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲା। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ଇନ୍ଦୁ ଓ ତା’ ସହଯୋଗୀକୁ ଗିରଫ କରାଯାଇଥିଲା ଓ ସେମାନଙ୍କଠାରୁ ଗହଣା ଜବତ ହୋଇଥିଲା। ସେହିଭଳି ଗତ ୧୯ ତାରିଖରେ ଖଣ୍ଡଗିରି ଥାନା ପୁଲିସ୍‌ ଖୋର୍ଦ୍ଧା ବେଗୁନିଆ କୋଚିଲା ଗ୍ରାମର କୃଷ୍ଣଜୁଝାର ସିଂକୁ ଗିରଫ କରିଥିଲା। ସୌଭାଗ୍ୟନଗର ପ୍ଲଟ୍‌-୬ରେ ରହୁଥିବା ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀଙ୍କ ଘରେ ସେ ବ୍ୟକ୍ତିଗତ ସହାୟକ ଭାବରେ କାମ କରୁଥିଲା। ଏଟିଏମ୍‌ କାର୍ଡ ଚୋରି କରି ସେଥିରୁ ଦେଢ଼ଲକ୍ଷ ଟଙ୍କା ଉଠାଇ ନେଇଥିଲା। ଅନ୍ୟ ଏକ ଘଟଣାରେ ହଂସପାଳର ଏକ ଆପାର୍ଟମେଣ୍ଟରୁ ସୁନାଗହଣା ଓ ଟଙ୍କା ଚୋରି କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ କାମବାଲି ରେଖା ମହାପାତ୍ରକୁ ବ୍ରହ୍ମପୁର ବଡ଼ବଜାର ଅଲଣାବନ୍ଧ ସାହିରୁ ଗିରଫ କରିଥିଲା। ସେହିଭଳି ନୂଆପଲ୍ଲୀ ଅଞ୍ଚଳରୁ ଜଣେ କାମବାଲି ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସୁନା ଗହଣା ଉଦ୍ଧାର କରାଯାଇଥିଲା। ପୂର୍ବରୁ କାମବାଲି ଦ୍ବାରା ଘର ମାଲିକ ହତ୍ୟାର ଶିକାର ହେବା ଭଳି କାଣ୍ଡ ମଧ୍ୟ ରାଜଧାନୀରେ ଘଟିଛି।

ଚିହ୍ନଟ ପାଇଁ ସରକାରୀ ବ୍ୟବସ୍ଥା ନାହିଁ: ରାଜଧାନୀରେ ଘର କାମ କରି କାମବାଲିମାନେ ପରିବାର ପ୍ରତିପୋଷଣ କରୁଛନ୍ତି। ମାତ୍ର କାମବାଲିଙ୍କୁ ଚିହ୍ନଟ କରିବା ପାଇଁ କୌଣସି ସରକାରୀ ବିଧି ବ୍ୟବସ୍ଥା ନାହିଁ। ତେଣୁ ଅପରାଧ ଘଟିବା ପରେ ସେମାନଙ୍କୁ ଚିହ୍ନଟ କରିବା ବା ଠାବ କରିବା ପାଇଁ କୌଣସି ବ୍ୟବସ୍ଥା ହୋଇପାରୁନାହିଁ। ଗୋଟିଏ ଜାଗାରୁ ଚୋରି କରିବା ପରେ ସେମାନେ ସ୍ଥାନ ବଦଳାଇ ଅନ୍ୟଜାଗାକୁ ଯାଇ ଅନୁରୂପ ଢ଼ଙ୍ଗରେ କାମ କରୁଛନ୍ତି ଓ ସୁଯୋଗ ଉଣ୍ଡି ଲୁଟ୍ କରୁଛନ୍ତି।

ବିଶ୍ବାସ କରି ଫସୁଛନ୍ତି: ରାଜଧାନୀରେ କାମବାଲି ପାଇବା ଏକ ବଡ଼ ସମସ୍ୟା। ବିଶ୍ବସ୍ତ କାମବାଲିଟିଏ ପାଇବା ସହଜ ନୁହେଁ। ତେଣୁ ଅନେକ ସମୟରେ ଘର ମାଲିକ ବାଧ୍ୟ ହୋଇ ମିଳୁଥିବା କାମବାଲିକୁ ବିଶ୍ବାସ କରୁଛନ୍ତି ଓ ପରେ ଫସୁଛନ୍ତି। ପ୍ରଥମତଃ ମାସ ମାସ ଧରି କାମବାଲି କାମ କରିବା ପରେ ଘରମାଲିକଙ୍କ ବିଶ୍ବାସଭାଜନ ହେଉଛନ୍ତି। ତେଣୁ ଅନେକ ସମୟରେ କାମବାଲି ଭରସାରେ ମାଲିକମାନେ ଘର ଛାଡ଼ି ଦେଇ କର୍ମକ୍ଷେତ୍ରକୁ ଚାଲି ଯାଉଛନ୍ତି। ଏହି ମଉକାରେ କାମବାଲି ଗହଣାଗାଣ୍ଠି, ନଗଦ ଟଙ୍କା ଓ ଦାମୀ ଜିନିଷ ଧରି ପାର୍ ହୋଇଯାଉଛନ୍ତି। ତେବେ ଅନେକ ଭଲ ବିଶ୍ବସ୍ତ କାମବାଲି ମଧ୍ୟ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଶୃଙ୍ଖଳିତଭାବେ କାମ କରୁଛନ୍ତି।

ଫସିଛନ୍ତି ବଡ଼ ବଡ଼ ଅଧିକାରୀ
ଅନେକ ମାମଲାରେ ବଡ଼ବଡ଼ ଅଧିକାରୀମାନେ ମଧ୍ୟ କାମବାଲି ଦ୍ବାରା ଲୁଟ୍‌ର ଶିକାର ହୋଇଛନ୍ତି। କିନ୍ତୁ ଲୋକ ଲଜ୍ଜା ଭୟରେ ସେମାନେ ଥାନାକୁ ଆସି ନାହାନ୍ତି। କେ‌ତେକ ପଦସ୍ଥ ଅଧିକାରୀ ମାମଲା ରୁଜୁ ନ କରି କାମବାଲିକୁ ଧରିବା ପାଇଁ ପୁଲିସ ଉପରେ ଚାପ ପକାଇ ସଫଳ ହୋଇଛନ୍ତି।

ସୂଚନାଯୋଗ୍ୟ ଥାନାର ମାମଲାସବୁକୁ ଛାଡ଼ିଦେଲେ ମଧ୍ୟ ଆହୁରି ଅନେକ ଅଭିଯୋଗ ରହିଛି। ଚୋରି କରି ଧରା ପଡ଼ିଥିବା କାମବାଲିକୁ କାମରୁ ବାହାର କରି ମାଲିକ ଚୁପ ବସି ଯାଆନ୍ତି। ଜଣେ ପୁଲିସ ଅଧିକାରୀଙ୍କ କହିବା କଥା ଘର ମାଲିକ କାମବାଲି ରଖିବା ପୂର୍ବରୁ ତା’ର ପରିଚୟ ପ୍ରମାଣପତ୍ର ଭଲଭାବେ ଯାଞ୍ଚ କରିବା ଜରୁରି। ଏମିତିକି କାମବାଲି ବାବଦରେ ଘର ମାଲିକ ସ୍ଥାନୀୟ ଥାନା‌ରେ ବି ଜଣାଇବା ବିଧି। କିନ୍ତୁ ବହୁ କ୍ଷେତ୍ରରେ ସେମିତି କରାଯାଉନାହିଁ। ଫଳରେ ଅଘଟଣ ପରେ ସେମାନଙ୍କୁ ଟ୍ରାକ୍‌ କରିବା କଷ୍ଟକର ହେଉଛି।

ସମ୍ବନ୍ଧିତ ଖବର