ଚନ୍ଦ୍ରଶେଖରପୁର : ଲକ୍‌ଡାଉନ୍‌ ଯୋଗୁଁ ରାସନ୍‌ କାର୍ଡ ହିତାଧିକାରୀମାନଙ୍କୁ ୩ ମାସର ଅଗ୍ରିମ ଚାଉଳ ଦେବା ପାଇଁ ସରକାର ଘୋ‌ଷଣା କରିଛନ୍ତି। ତଦନୁଯାୟୀ ରାଜଧାନୀରେ ଥିବା ବିଭିନ୍ନ ୱାର୍ଡ କାର୍ଯ୍ୟାଳୟରେ ହିତାଧିକାରୀମାନଙ୍କୁ ଚାଉଳ ପାଇଁ ଟୋକନ୍‌ ବଣ୍ଟନ କରାଯାଉଛି। ଏହି ଟୋକନ୍‌କୁ ଦେଖାଇ ସେମାନେ ପରେ ଡିଲର୍‌ଠାରୁ ଚାଉଳ ନେଇପାରିବେ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେମାନଙ୍କୁ ଅଲଗା ଅଲଗା ତାରିଖରେ ଚାଉଳ ବଣ୍ଟନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଜି ଟୋକନ୍‌ ନେବାକୁ ୱାର୍ଡ-୫ କାର୍ଯ୍ୟାଳୟକୁ ଆସିଥିବା ହିତାଧିକାରୀମାନଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ଫେରାଇ ଦେବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେବାରୁ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

ହିତାଧିକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଚକେଇସିଆଣିସ୍ଥିତ ମଞ୍ଚନାଥ ଦେବ ସ୍କୁଲ ପରିସରରେ ଥିବା ୱାର୍ଡ କାର୍ଯ୍ୟାଳୟରେ ସେମାନେ ଆଜି ଟୋକନ୍‌ ନେବା ପାଇଁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଧାଡ଼ି‌‌ରେ ଠିଆ ହୋଇଥିଲେ। କିନ୍ତୁ ସେମାନଙ୍କୁ ଟୋକନ୍ ଦିଆଯିବ ନାହିଁ ବୋଲି କହି ବଣ୍ଟନ କରୁଥିବା ଅଧିକାରୀମାନେ ଫେରାଇ ଦେଇଥିଲେ। ଫଳରେ କିଛି ଲୋକ ସେଠାରେ ଉପସ୍ଥିତ ଅଙ୍ଗନବାଡ଼ି ଦିଦି ଓ ବିଏମ୍‌ସି କର୍ମଚାରୀଙ୍କ ସହ ବଚସା କରିଥିଲେ। ଘରକୁ ଘର ବୁଲି ଟୋକନ୍ ବାଣ୍ଟିବା ସମ୍ଭବପର ହୋଇପାରୁ ନଥିବାରୁ ସମସ୍ତଙ୍କୁ ୱା‌ର୍ଡ କାର୍ଯ୍ୟାଳୟକୁ ଡକାଯାଇଥିଲା। ମାତ୍ର ଅତ୍ୟଧିକ ଲୋକ ଦେଖି ‌ସମସ୍ତଙ୍କୁ ଟୋକନ୍ ଦିଆଯିବା ବନ୍ଦ କରି ଦିଆଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ସେଠାରେ ଉପସ୍ଥିତ ବିଏମ୍‌ସି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟୋକନ୍‌ ନେବା ପାଇଁ ଆସୁଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନଥିଲେ ଓ ଅନେକେ ମୁହଁରେ ମାସ୍କ ପିନ୍ଧି ନଥିଲେ। ସେମାନଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଯିବାରୁ ଟୋକନ୍ ବଣ୍ଟନ ବନ୍ଦ କରାଯାଇଥିଲା।

ଡିଲର୍‌ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ହିତାଧିକାରୀମାନଙ୍କୁ ନିର୍ଧାରିତ ତାରିଖ ଅନୁଯାୟୀ ରାସନ୍ ବଣ୍ଟନ କରାଯାଉଛି। ଫଳରେ ପ୍ରଥମ ଦିନରେ ସମସ୍ତେ ଆସି ୱାର୍ଡ କାର୍ଯ୍ୟାଳୟରେ ଭିଡ଼ ଜମାଇବାର କୌଣସି ଆବଶ୍ୟକତା ନଥିଲା। ଲୋକମାନେ ଅମାନିଆ ହେବାରୁ ଏପରି ପରିସ୍ଥିତି ଦେଖାଯାଇଥିଲା। ଅନ୍ୟପକ୍ଷରେ ଅମାନିଆ ଲୋକମାନେ ଟୋକନ୍ ସଂଗ୍ରହ କରିବା ପାଇଁ ଆସୁଥିବା ବେଳେ ଚକେଇସିଆଣି ସମେଇଗାଡ଼ିଆ ରାସ୍ତାରେ ବାଇକ୍ ରଖି ଏକପ୍ରକାର ଜାମ୍‌ କରି ଦେଇଥିଲେ। ସୂଚନା ପାଇ ମଞ୍ଚେଶ୍ବର ଥାନା ପୁଲିସ୍ଲେ ାକଙ୍କୁ ସେଠାରୁ ଭିଡ଼ ଭାଙ୍ଗି ପଳାଇବା ପାଇଁ କହିଥିଲା।