ଛାତ୍ରୀଙ୍କୁ ମହିଳା ପର୍ଯ୍ୟଟକଙ୍କ ଆକ୍ରମଣ ଉଦ୍ୟମ

ବିଶ୍ୱନାଥପୁର ପେଟ୍ରୋଲ ପମ୍ପ ନିକଟରେ ଉତ୍ତେଜନା

ବାଲିପାଟଣା : ସ୍ଥାନୀୟ ବିଶ୍ୱନାଥପୁର ପେଟ୍ରୋଲପମ୍ପ ନିକଟରେ ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଜଣେ କଲେଜ ଛାତ୍ରୀଙ୍କୁ କିଛି ଅଣଓଡ଼ିଆ ମହିଳା ପର୍ଯ୍ୟଟକ ଆକ୍ରମଣ ଉଦ୍ୟମ କରିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉପସ୍ଥିତ ଲୋକମାନଙ୍କ ହସ୍ତକ୍ଷେପ ଫଳରେ ଛାତ୍ରୀ ଜଣକ ଅଣଓଡ଼ିଆ ପର୍ଯ୍ୟଟକଙ୍କ କବଳରୁ ଉଦ୍ଧାର ପାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବାଲିପାଟଣା ପଟୁ ଜଣେ ଛାତ୍ରୀ ନିଜ ସ୍କୁଟିରେ ପେଟ୍ରୋଲପମ୍ପକୁ ତେଲ ପକାଇବାକୁ ଯାଉଥିଲେ। ତେବେ ପେଟ୍ରୋଲ ପମ୍ପକୁ ଯିବାପାଇଁ ସେ ରାସ୍ତାର ଡାହାଣ ପଟକୁ ଯିବା ସମୟରେ ତାଙ୍କ ପଛରୁ ଏକ ପର୍ଯ୍ୟଟକ ଗାଡ଼ି ନିମାପଡ଼ାରୁ ଉତ୍ତରା ଆଡ଼କୁ ଅତି ଦ୍ରୁତଗତିରେ ଯାଉଥିଲା। ହଠାତ୍‌ ଗାଡ଼ି ଆଗରେ ଛାତ୍ରୀଙ୍କ ସ୍କୁଟିଟିକୁ ଦେଖି ଗାଡ଼ିଚାଳକ ହଡ଼ବଡ଼େଇ ଯାଇଥିଲେ ଏବଂ ଜୋରରେ ବ୍ରେକ୍‌ ମାରିଦେଇଥିଲେ। ଫଳରେ ପର୍ଯ୍ୟଟକମାନେ ଗାଡ଼ି ଭିତରେ ନିୟନ୍ତ୍ରଣ ହରାଇ ସିଟ୍‌ରେ ପିଟି ହୋଇ ଯାଇଥିଲେ।

ଏଥିପାଇଁ ୩ଜଣ ମହିଳା ପର୍ଯ୍ୟଟକ ଉତ୍ତେଜିତ ହୋଇ ଗାଡ଼ିରୁ ଓହ୍ଲାଇ ଛାତ୍ରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଜଣେ ମହିଳା ପର୍ଯ୍ୟଟକ ଚପଲରେ ଛାତ୍ରୀଙ୍କୁ ଆକ୍ରମଣ କରିବାକୁ ବାହାରିବାରୁ ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ ଓ ଉକ୍ତ ଗାଡ଼ିଟିକୁ ଅଟକାଇ ଦେଇଥିଲେ। ଫଳରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ବଢ଼ୁଥିବା ଦେଖି ଗାଡ଼ି ଚାଳକ ଜଣକ ଚତୁରତାର ସହ ସେଠାରୁ ଗାଡ଼ି ଧରି ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର