ଭୁବନେଶ୍ୱର : ଏକ ଦୁର୍ଘଟଣାକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ସମର୍ଥକମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ହୋହଲ୍ଲା କରିବା ସହ ଭଙ୍ଗାରୁଜା କରିଛନ୍ତି। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଏୟାରପୋର୍ଟ ଥାନା ପୁଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।

Advertisment

ସୂଚନା ମୁତାବକ, ଏୟାରପୋର୍ଟ ଥାନା ଅଞ୍ଚଳ ସୁରକମ୍ପାନୀ ଛକରେ ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଯୁବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ କର୍ପୋରେଟର ପ୍ରାର୍ଥୀ। ସେ ଗାଡ଼ିରେ ଆସୁଥିବା ବେଳେ ଏୟାରପୋର୍ଟ ଅଞ୍ଚଳର ଜଣେ ଯୁବକଙ୍କୁ ଧକ୍କା ଦେଇଥିଲେ। ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଯେଉଁ ଯୁବକଙ୍କୁ ସେ ଧକ୍କା ଦେଇଥିଲେ ତାଙ୍କର ସମର୍ଥକ ମିଶି ସମ୍ପୃକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ। ପରେ ଉଭୟ ମେଡିକାଲ ଯାଇଥିଲେ। ଇତିମଧ୍ୟରେ ମାଡ଼ ଖାଇଥିବା କର୍ପୋରେଟର୍‌ ପ୍ରାର୍ଥୀ ତାଙ୍କ ସମର୍ଥକଙ୍କୁ କ୍ୟାପିଟାଲ ହସ୍ପିଟାଲ ଡାକିଥିଲେ। ସମର୍ଥକମାନେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯୁବକ ଓ ତାଙ୍କ ସମର୍ଥକଙ୍କୁ ଖୋଜିଥିଲେ। ୱାର୍ଡ ୱାର୍ଡ ବୁଲି ଖୋଜିବା ସହ ହୋହଲ୍ଲା କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କାରେ ସେଠାରେ ପୁଲିସ ମୁତୟନ କରାଯାଇଛି।