ଆଇଆର୍‌ସି ଭିଲେଜ୍‌ ହାଇସ୍କୁଲରେ ଉତ୍ତେଜନା

୧୨୧ ପିଲାଙ୍କୁ ଫେଲ୍ କରିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହଙ୍ଗାମା

ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି: ପ୍ରଧାନ ଶିକ୍ଷୟିତ୍ରୀ
ଛାତ୍ରଛାତ୍ରୀ ଓ ଅଭିଭାବକ ଜିଦ୍‌ରେ ଅଟଳ, ସମାଧାନ ରାସ୍ତା ବାହାରୁନି

ଭୁବନେଶ୍ବର : ବୋର୍ଡ ପରୀକ୍ଷା ଫର୍ମପୂରଣ ପାଇଁ ଆଇଆର୍‌ସି ଭିଲେଜ୍‌ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲିଠାରୁ ଚାଲିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ ଆଜି ଉଗ୍ରରୂପ ଧାରଣ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ବିଦ୍ୟାଳୟର ୧୨୧ପିଲାଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା ସହ ଫର୍ମପୂରଣ କରିବାକୁ ସୁଯୋଗ ଦେବା ଦାବି କରି ସେମାନେ ସ୍କୁଲ ପରିସରରେ ହୋ-ହଲ୍ଲା କରିଥିଲେ। ଏପରିକି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କୁ ବଦଳି କରିବା ପାଇଁ ଦାବି କରିଥିଲେ। କିନ୍ତୁ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିଷ୍ପତ୍ତି ଅନୁସାରେ, ଯେଉଁ ଛାତ୍ରଛାତ୍ରୀମାନଙ୍କ ନବମ ଶ୍ରେଣୀରେ ୬୬ ପ୍ରତିଶତ ଉପସ୍ଥାନ ରହିଛି, କେବଳ ସେମାନେ ହିଁ ଫର୍ମପୂରଣ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିଲେ। ଫଳରେ ଆଜି ବି ସମସ୍ୟାର କୌଣସି ସମାଧାନ ବାହାରି ପାରିନାହିଁ।

ସୂଚନାଯୋଗ୍ୟ, ମହାମାରୀ କରୋନା ଯୋଗୁଁ ନବମ ଶ୍ରେଣୀ ପିଲା ପରୀକ୍ଷା ସଂପୂର୍ଣ୍ଣ ହୋଇପାରି ନ ଥିଲା। ଏହାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପାଇଁ ସର୍ବନିମ୍ନ ପାସ୍‌ ମାର୍କକୁ ୧୯୮ରୁ କମାଇ ୧୧୫ ରଖିଥିଲେ। ତଦନୁଯାୟୀ, ଏହି ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ୪୬୨ଜଣ ପିଲାଙ୍କ ମଧ୍ୟରୁ ୨୯୮ ଦଶମକୁ ଉତ୍ତୀର୍ଣ୍ଣ ହୋଇଥିଲେ। ୧୬୪ ପିଲା ଫେଲ୍‌ ହୋଇଥିଲେ। ତେବେ ଏକ ସ୍ବେଚ୍ଛାସେବୀ ସଂଗଠନ ସ୍କୁଲ ପକ୍ଷରୁ ନିର୍ଧାରିତ ହୋଇଥିବା ପାସ୍‌ ମାର୍କ (୧୧୫)କୁ ବିରୋଧ କରି ରାଜ୍ୟ ମାନବାଧିକାର କମିସନ୍‌(ଓଏଚ୍‌ଆର୍‌ସି)ଙ୍କ ଦ୍ବାରସ୍ଥ ହୋଇଥିଲେ। ଫେଲ୍‌ ହୋଇଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶ ଗରିବ ଓ ବସ୍ତିର ହୋଇଥିବାରୁ ନିୟମରେ କିଛି କୋହଳ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଉକ୍ତ ସଂସ୍ଥା ଅନୁରୋଧ କରିଥିଲା। ଏହି ମାମଲାର ବିଚାର କରି ଓଏଚ୍‌ଆର୍‌ସି ସ୍କୁଲକୁ ନିର୍ଦ୍ଦେଶ ଦେଇଥିଲେ ଯେ ସର୍ବନିମ୍ନ ପାସ୍‌ମାର୍କ ବଦଳରେ ସରକାରୀ ନିର୍ଧାରିତ ଉପସ୍ଥାନ (୬୬ ପ୍ରତିଶତ) ଅନୁଯାୟୀ ପିଲାଙ୍କୁ ଉତ୍ତୀର୍ଣ୍ଣ କରାଯାଉ। ତଦନୁସାରେ, ଫେଲ୍‌ ହୋଇଥିବା ୧୬୪ଜଣଙ୍କ ମଧ୍ୟରୁ ମାତ୍ର ୪୩ଜଣ ଦଶମକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ୧୨୧ ଜଣ ପୂର୍ବବତ୍‌ ଅକୃତକାର୍ଯ୍ୟ ହୋଇଥିଲେ।

ଏ ସଂପର୍କ‌ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ କହିଛନ୍ତି, ଓଏଚ୍‌ଆର୍‌ସି ଯେଉଁ ନିର୍ଦ୍ଦେଶ ଦେଇଥି‌ଲେ, ସେହି ଆଧାରରେ ଆମେ ମୋଟ ୩୪୧ଜଣ ପିଲାଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଇଛୁ। ଅପରପକ୍ଷରେ ପିଲାଙ୍କ ଅଭିଭାବକମାନେ କହିଛନ୍ତି ଯେ ପ୍ରଧାନଶିକ୍ଷୟିତ୍ରୀ ସବୁ ପିଲାଙ୍କୁ ଦଶମ ବୋର୍ଡ ପରୀକ୍ଷାରେ ପାସ୍ କରାଇବାକୁ ନେଇ ଚାପରେ ରହୁଛନ୍ତି। ତେଣୁ ସେ କେବଳ ବଛା ବଛା ଭଲ ପିଲାଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିଛନ୍ତି। ସେହିଭଳି ପିଲାମାନେ ମଧ୍ୟ ଶ୍ରେଣୀରେ ଉପସ୍ଥାନ କେବେ ସଠିକ୍ ସମୟରେ ପଡ଼େ ନାହିଁ କି ପରୀକ୍ଷା ପାଇଁ ଉପସ୍ଥାନ କେବେ କାର୍ଯ୍ୟକାରୀ ହୁଏ ନାହିଁ ବୋଲି କହିଛନ୍ତି।

ତେବେ ଏହି ଘଟଣାକୁ ନେଇ ଆମ୍‌ ଆଦମି ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ସରକାରଙ୍କ ଶିକ୍ଷାଦାନ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଦ୍ୟାଳୟରେ ପିଲାଙ୍କୁ ଉନ୍ନତମାନର ପାଠ ପଢ଼ା ଯାଉନଥିବାରୁ ଆଜି ଶତାଧିକ ପିଲା କମ୍‌ ମାର୍କ ରଖିଛନ୍ତି। ସେହିଭଳି ଉପସ୍ଥାନ ଆଳରେ ପିଲାଙ୍କୁ ଫର୍ମ ପୂରଣ କରାଇଦିଆ ନଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର