ଭୁବନେଶ୍ବର : ଆଜି ମାଷ୍ଟରକ୍ୟାଣ୍ଟିନସ୍ଥିତ ବସ୍ଷ୍ଟାଣ୍ଡରେ ‘ମୋ ବସ୍’ ଓ ଘରୋଇ ବସ୍ର କର୍ମଚାରୀମାନେ ମୁହାଁମୁହିଁ ହୋଇଛନ୍ତି। ଏପରିକି ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ସ୍ଥିତି ଏପରି ହୋଇଥିଲା ଯେ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଏବଂ ସଂଧ୍ୟାରେ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନସ୍ଥିତ ବସ୍ଷ୍ଟାଣ୍ଡରୁ କୌଣସି ଗାଡ଼ି ବାହାରି ପାରି ନ ଥିଲା। ଘଟଣାରେ କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ହସ୍ତକ୍ଷେପ କରିବା ପରେ ସ୍ଥିତି କିଛିଟା ସ୍ବାଭାବିକ ହୋଇଛି। କିନ୍ତୁ ବିବାଦର ସ୍ଥାୟୀ ସମାଧାନ ହୋଇପାରିନି।
ସହରାଞ୍ଚଳରେ ଚଳାଚଳ କରୁଥିବା ମୋ ବସ୍ ଓ ଘରୋଇ ବସ୍ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ନାନା କାରଣରୁ ବିବାଦ ସୃଷ୍ଟି ହୋଇ ଆସୁଛି। ପୂର୍ବରୁ ମଧ୍ୟ ମୋ ବସ୍ର କ୍ୟାପଟେନ୍ ଓ ଗାଇଡ୍ଙ୍କୁ ଭୁବନେଶ୍ବର ଓ କଟକ ମଧ୍ୟରେ ଯାତାୟାତ କରୁଥିବା ଘରୋଇ ବସ୍ର କର୍ମକର୍ତ୍ତାମାନେ ବହୁବାର ଆକ୍ରମଣ କରିବାର ନଜିର ରହିଛି। ଆଜି ପୁଣି ଯାତ୍ରୀ ଉଠାଇବାକୁ ନେଇ ମାଷ୍ଟର କ୍ୟାଣ୍ଟିନ ବସ୍ଷ୍ଟାଣ୍ଡରେ ମୋ ବସ୍ କର୍ମଚାରୀଙ୍କୁ କେତେକ ଆକ୍ରମଣ କରିବାରୁ ବିବାଦ ଉଗ୍ରରୂପ ନେଇଥିଲା। ଏହି ଘଟଣା ପରେ ମୋ ବସ୍ କର୍ମଚାରୀମାନେ ବିବାଦର ସ୍ଥାୟୀ ସମାଧାନ ସହ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବସ୍ ଚଳାଚଳ ବନ୍ଦ କରିଦେଇ ଥିଲେ। ଏପରିକି କ୍ରୁଟ୍ କର୍ତ୍ତୃପକ୍ଷ ବୁଝାସୁଝା କରି ମୋ ବସ୍ ଚଳାଇବାକୁ ପ୍ରସ୍ତୁତ ହେଲା ବେଳକୁ ଘରୋଇ ବସ୍ର କର୍ମକର୍ତ୍ତାମାନେ ବସଷ୍ଟାଣ୍ଡର ପ୍ରସ୍ଥାନ ଦ୍ବାରରେ ଘରୋଇ ବସ୍ଗୁଡ଼ିକୁ ଧାଡ଼ି କରି ରଖି ଦେବାରୁ ବସ୍ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା।
କ୍ରୁଟ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ରାଜଧାନୀରେ ପ୍ରାୟ ୨୦୦ ମୋ ବସ୍ ଚାଲୁଥିବାରୁ ରାଜଧାନୀବାସୀ ମୋ ବସ୍ ମୁହାଁ ହୋଇଛନ୍ତି। ଅଧିକ ଲୋକ ମୋ ବସ୍ରେ ଯାତ୍ରା କରୁଥିବାରୁ ଘରୋଇ ବସ୍ କର୍ମଚାରୀମାନେ ଅସହିଷ୍ଣୁ ହୋଇ ମୋ ବସ୍ରେ ଯାତ୍ରୀ ଉଠାଇ ଦେଉ ନାହାନ୍ତି। ନିକଟରେ କଟକ ଲିଙ୍କ୍ ରୋଡ୍ ନିକଟରେ କିଛି ଘରୋଇ ବସ୍ କର୍ମଚାରୀ ମୋ ବସ୍ରେ ଯାତ୍ରୀ ଉଠାଇ ଦେଇ ନ ଥିଲେ। ଏପରିକି କିଛି ଦିନ ହେଲା ଲିଙ୍କ୍ ରୋଡ୍ ବସ୍ ଷ୍ଟପେଜ୍ରେ ମୋ ବସ୍କୁ ରହିବାକୁ ଦେଉନାହାନ୍ତି। ଏହାକୁ ମୋ ବସ୍ କ୍ୟାପଟେନ୍ ବିରୋଧ କରିବାରୁ ଗତ ସପ୍ତାହରେ ଘରୋଇ ବସ୍ କର୍ମଚାରୀମାନେ କେତେକଙ୍କୁ ଆକ୍ରମଣ କରିଥିଲେ। ଗତ ସପ୍ତାହକ ମଧ୍ୟରେ ଏହିଭଳି ୪ଥର ଆକ୍ରମଣ ହେଲାଣି। ତେଣୁ ମୋ ବସ୍ କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏପରିକି ବିଭିନ୍ନ ଥାନାରେ ଏନେଇ ଅଭିଯୋଗ ହୋଇଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଜି ମଧ୍ୟ ମାଷ୍ଟରକ୍ୟାଣ୍ଟିନ୍ ଡିପୋରେ ମୋ ବସ୍ ହକର୍ ଯାତ୍ରୀଙ୍କୁ ଡାକିବାରୁ ଘରୋଇ ବସ୍ କର୍ମଚାରୀମାନେ ହକର୍ଙ୍କୁ ଠେଲାପେଲା କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ମୋ ବସ୍ କର୍ମଚାରୀମାନେ ଧାରଣାରେ ବସିଥିଲେ। ମାଷ୍ଟରକ୍ୟାଣ୍ଟିନରୁ ବସ୍ ଚଳାଚଳ ବାଧାପ୍ରାପ୍ତ ହେବାରୁ କ୍ରୁଟ୍ କର୍ତ୍ତୃପକ୍ଷ ବାଧ୍ୟ ହୋଇ କଟକ ଡିପୋରେ ଥିବା କିଛି ବସ୍ ଆଣି ଭୁବନେଶ୍ବରର ବିଭିନ୍ନ ରୁଟ୍ରେ ଚଳାଚଳ କରାଇଥିଲେ।