ଭୁବନେଶ୍ୱର : ବିନା ଟିକେଟ୍ରେ ସଂରକ୍ଷିତ ବଗିରେ ଚଢ଼ି ଦୀର୍ଘ ୨୨ ଘଣ୍ଟା କାଳ ଉତ୍ପାତ କରିବା ସହ ଯାତ୍ରୀମାନଙ୍କୁ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଭୁବନେଶ୍ୱର ଜିଆରପି ମୋଟ ୧୮ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶନିବାର ନୂଆଦିଲ୍ଲୀର ଆନନ୍ଦବିହାରରୁ ପୁରୀ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ୍ରେ ଯୁବକମାନେ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ୧୨୦ ବାଟାଲିୟନ୍ରେ ସୋମବାର ହେବାକୁ ଥିବା ଏକ ପରୀକ୍ଷାରେ ଯୋଗ ଦେବା ପାଇଁ ଏହି ଯୁବକମାନେ ଉତ୍ତରପ୍ରଦେଶର ଫତେପୁର ଷ୍ଟେସନ୍ରୁ ଟ୍ରେନ୍ରେ ଚଢ଼ିଥିବା ଜଣାଯାଇଛି।
ଯାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ସକାଳ ସାଢ଼େ ୬ଟାରେ ଟ୍ରେନ୍ଟି ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ୍ରୁ ପୁରୀ ଅଭିମୁଖେ ବାହାରିଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ଫତେପୁର ରେଲ୍ୱେ ଷ୍ଟେସନରେ ପହଞ୍ଚିବା ପରେ ହଠାତ୍ କିଛି ଯୁବକ ସଂଘବଦ୍ଧ ଭାବେ ଏସ୍-୧୨ ସଂରକ୍ଷିତ ବଗି ଭିତରକୁ ଧସେଇ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଯାତ୍ରୀଙ୍କ ବ୍ୟାଗ ଫୋପଡ଼ା ଫିଙ୍ଗା କରିବା ସହ ସଂରକ୍ଷିତ ସିଟ୍ରେ ବସି ପଡ଼ିଥିଲେ। ଏ ନେଇ କିଛି ଯାତ୍ରୀ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଚଳନ୍ତା ଟ୍ରେନ୍ରୁ ଫୋପାଡ଼ି ଦେବାକୁ ଧମକ ଦେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ସେମାନଙ୍କ ଉତ୍ପାତ। ମାତ୍ର ୧୫ ମିନିଟ୍ରେ ବଗିରୁ ପାଣି ସାରି ଦେଇଥିଲେ। ବଗି ଭିତରେ ସେମାନେ ଏପରି ଭାବେ ଖୁନ୍ଦି ହୋଇ ରହିଥିଲେ ଯେ ଅନ୍ୟ ଯାତ୍ରୀମାନେ ପାଇଖାନା ପର୍ଯ୍ୟନ୍ତ ପହଞ୍ଚିବା ବି ସମ୍ଭବ ନଥିଲା। ଯିଏ ପହଞ୍ଚୁଥିଲା ତା’ ପାଇଁ ପାଣି ନଥିଲା। ଖାଲି ସେତିକି ନୁହେଁ, ସେମାନଙ୍କ ମଧ୍ୟରୁ କିଛି ଯୁବକ ବଗିରେ ବସିଥିବା ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ତେବେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଥିବାରୁ କେହି ଭୟରେ ପାଟି ଫିଟାଇ ନ ଥିଲେ।
ଏ ସଂପର୍କରେ ଆଗୁଆ ଖବର ପାଇ ଭୁବନେଶ୍ବର ଷ୍ଟେସନରେ ଭୁବନେଶ୍ବର ଜିଆରପି ସହ ରେଳବାଇ ଅଧିକାରୀ ଜଗି ରହିଥିଲେ। ବାହାରେ ପୁଲିସ ଓ ରେଳବାଇ ପୁଲିସକୁ ଦେଖି କେତେକ ଯୁବକ ଡେଇଁ ପଳାଇଥିଲେ। ଯାତ୍ରୀ ଆଶିଷ ମହାନ୍ତିଙ୍କ ଅଭିଯୋଗକ୍ରମେ ଭୁବନେଶ୍ବର ଜିଆରପି ଏକ ମାମଲା ରୁଜୁ କରି ୧୮ ଜଣଙ୍କୁ ଅଟକ ରଖିଛି। ତେବେ ଏନେଇ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।