ପରୀକ୍ଷା ପରିଚାଳନାରେ ଅନିୟମିତତା : ନର୍ସିଂ କଲେଜରେ ଛାତ୍ରୀ ଅସନ୍ତୋଷ

ଧଉଳି : ଉତ୍ତରା ଫାଣ୍ଡି ଅଧୀନ ଉତ୍ତରା ଛକ ନିକଟସ୍ଥ ଏକ ଘରୋଇ ନର୍ସିଂ କଲେଜରେ ପରୀକ୍ଷା ପରିଚାଳନାରେ ଅନିୟମିତତା ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ  କଲେଜର ୧୯ ଛାତ୍ରୀ ପ୍ରଥମ ବର୍ଷର ପରୀକ୍ଷା ଦେବାରୁ ବାଦ୍‌ ପଡ଼ିଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ସୂଚନା ମିଳିଛି। ଚିନ୍ତିତ ଛାତ୍ରୀମାନେ ଆଜି ପୂର୍ବାହ୍ନରେ ଏହାର ପ୍ରତିବାଦରେ ପ୍ରିନ୍ସପାଲଙ୍କୁ ଭେଟି ଏହାର କୈଫିୟତ ମାଗିଥିଲେ।  ଏନେଇ କଲେଜ ଶ୍ରେଣୀଗୃହରେ ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜର ଗୁମର ବାହାରେ ପ୍ରଘଟ ନହେବା ନେଇ କଳେଜ ପରିଚାଳନା କମିଟି କର୍ମକର୍ତା ଓ କର୍ମଚାରୀ ଉତ୍ତ୍ୟକ୍ତ ଛାତ୍ରୀମାନଙ୍କୁ  ହଷ୍ଟେଲରେ କିଛି ସମୟ ପାଇଁ ବନ୍ଦ କରି ରଖିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆଜି ଅପରାହ୍ଣ ପ୍ରାୟ ଗୋଟାଏରେ କିଛି ଛାତ୍ରୀ ଉତ୍ତରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଫାଣ୍ଡି ଅଧିକାରୀ ବେଣୁଧର ରାୟ ମୁଖ୍ୟ ପରିଚାଳକ ସତ୍ୟଜିତ୍‌ ରାୟ ଚୌଧୁରୀଙ୍କୁ ଫାଣ୍ଡିକୁ ଡକାଇ ପଚରାଉଚରା କରି ଛାଡ଼ି ଦେଇଛନ୍ତି ।

ଅଭିଯୋଗ ମୁତାବକ ଏଠାରେ ଥିବା ‘ଅଞ୍ଜଳି ନର୍ସିଂ କଲେଜ୍‌’ ରେ ୨୦୧୫/୧୬ ଶିକ୍ଷା ବର୍ଷରେ ୪୦ ଜଣ ଛାତ୍ରୀ ୬୫ ହଜାର ଟଙ୍କା ଡୋନେସନ୍‌ ଦେଇ ନାମ ଲେଖାଇଥିଲେ। ହେଲେ ସେମାନଙ୍କ ଭିତରୁ ୨୧ ଜଣ ପିଲା ପରୀକ୍ଷା ଦେଇଥିଲେ ହେଁ ଅବଶିଷ୍ଟ ୧୯ ଜଣ ପିଲା ବାର୍ଷିକ ପରୀକ୍ଷା ଦେଇ ପାରିନାହାନ୍ତି। ଏ ସଂପର୍କରେ ମୁଖ୍ୟ ପରିଚାଳକ ଶ୍ରୀ ରାୟ ଚୌଧୁରୀଙ୍କୁ ପଚାରିବାରେ ସେ କହିଥିଲେ,  ଏବେ ଅନଲାଇନ୍‌ ବ୍ୟବସ୍ଥାରେ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ୍‌ ହେଉଛି। ନିର୍ଧାରିତ ସମୟରେ ଫର୍ମ ଫିଲପ ହୋଇ ନପାରିବାରୁ ଏଭଳି ସମସ୍ୟା ଉପୁଜିଛି। ପିଲାମାନେ କିପରି ପରୀକ୍ଷା ଦେଇପାରିବେ ସେ ନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର