ନବଜାତକ ବଦଳ ନେଇ ଉତ୍ତେଜନା, ଚନ୍ଦ୍ରଶେଖରପୁର ଥାନାରେ ଏତଲା

ସିସିଟିଭି ଯାଞ୍ଚ ପରେ ପଦାକୁ ଆସିଲା ସତ, ପୁଅ ନୁହେଁ, ଝିଅ ଜନ୍ମ ହୋଇଥିଲା

ଭୁବନେଶ୍ବର : ପ୍ରଥମେ ପୁଅ ହେଲା କହିଲେ। ହେଲେ କିଛି ସମୟ ପରେ ଶିଶୁକନ୍ୟା ଦେଲେ। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ହସ୍‌ପିଟାଲରେ ଆଜି ଏଭଳି ଏକ ଘଟଣା ଘଟିଛି। ଏହାକୁ ନେଇ ସେଠାରେ ଆଜି ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳ‌ରେ ପୁଲିସ ମଧ୍ୟ ପହଞ୍ଚିଥିଲା। ହସ୍‌ପିଟାଲ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍‌ ସହ ଅନ୍ୟାନ୍ୟ ପ୍ରମାଣ ଦେଖାଇବା ପରେ ନବଜାତ ଶିଶୁକନ୍ୟାକୁ ନେଇ ପରିବାରବର୍ଗ ଘରକୁ ଫେରିଥିଲେ।

ସୂଚନା ମୁତାବକ, ପୁରୀ ଚନ୍ଦନପୁରର ପ୍ରଶାନ୍ତ ବେହେରାଙ୍କ ପତ୍ନୀ ପ୍ରସବ ବେଦନା ଯୋଗୁଁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍‌ଣ ୩ଟା ୧୦ ମିନିଟ୍‌ରେ ତାଙ୍କର ସନ୍ତାନ ଜନ୍ମ ହୋଇଥିଲା। ଜଣେ ମହିଳା କର୍ମଚାରୀ ବାହାରକୁ ଆସି ପୁଅ ହୋଇଥିବା ପରିବାରବର୍ଗଙ୍କୁ ସୂଚନା ଦେଲା। ଏଥିପାଇଁ କିଛି ଟଙ୍କା ମଧ୍ୟ ନେଲା। ହେଲେ ୧୦ ମିନିଟ୍‌ ପରେ ହସ୍‌ପିଟାଲ ପକ୍ଷରୁ ଶିଶୁକନ୍ୟା ଜନ୍ମ ହୋଇଥିବା ବିଧିବଦ୍ଧ ଭାବରେ ସୂଚନା ଦିଆଗଲା। ଏହାକୁ ନେଇ ପରିବାରଲୋକଙ୍କ ଦ୍ବନ୍ଦ୍ବ ଉପୁଜିଥିଲା। ପରିବାରବର୍ଗ ପୁଅ ହୋଇଥିବା ଜିଦ୍‌ ଧରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସନ୍ତାନ ଅଦଳବଦଳ ହୋଇଥିବା ନେଇ ପରିବାରବର୍ଗ ଅଭିଯୋଗ କରିଥିଲେ। କର୍ତ୍ତୃପକ୍ଷ ମାନିବାକୁ ରାଜି ନ ଥିବାରୁ ପରିବାରବର୍ଗଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପାଇଁ କହିଥିଲା। ଲେବର ରୁମ୍‌ ବାହାରେ ବିଗତ ଏକ ଘଣ୍ଟାର ସମସ୍ତ କାର୍ଯ୍ୟକଳାପ ଯାଞ୍ଚ କରାଯିବା ପରେ ଏହି ଅଦଳବଦଳ ହୋଇ ନଥିବା ଜଣାପଡ଼ିଥିଲା। ଗତ ରାତି ୨ଟା ବେଳେ ଗୋଟିଏ କନ୍ୟାସନ୍ତାନ ଜନ୍ମ ହୋଇଥିବା ବେଳେ ଅପରାହ୍‌ଣରେ ଆଉ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ପ୍ରମାଣ ମିଳିଥିଲା। ଶେଷରେ ପରିବାରବର୍ଗ କନ୍ୟାସନ୍ତାନକୁ ନେଇ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର