ଖଣ୍ଡଗିରି: ଆଜି ପୂର୍ବାହ୍ଣରେ ଖଣ୍ଡଗିରି ଥାନା ପାତ୍ରପଡ଼ା ଗାଁରେ ଦୁଇ ଭାଇ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଖଣ୍ଡା ଚୋଟରେ ଆହତ ହୋଇଥିବା ଦୁଇ ଭାଇ ହେଲେ ଜୀବନ ସାମନ୍ତରାୟଙ୍କ ପୁଅ ଆଲୋକ ଓ ଜୀବନଙ୍କ ଭାଇ ଗଣେଶଙ୍କ ପୁଅ ଦିବ୍ୟଜ୍ୟୋତି। ଆଲୋକ ଓ ଦିବ୍ୟ ଉଭୟଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଏବଂ ସେମାନେ ଏବେ ଏମ୍ସ୍ରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଛି ଏବଂ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ ମୁତୟନ ହୋଇଛନ୍ତି। ଜୀବନଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୁଲିସ ଆକ୍ରମଣକାରୀମାନଙ୍କୁ ଗିରଫ କରିବା ଲାଗି ଚଢ଼ଉ ଚଳାଇଛି।
ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଦୁଇ ଭାଇ ଆଲୋକ ଓ ଦିବ୍ୟ ସ୍ଥାନୀୟ ତାରିଣୀ ମନ୍ଦିର ଛକକୁ ଦହିବରା ଖାଇବାକୁ ଯାଇଥିଲେ। ପୂର୍ବରୁ ସେହି ଛକରେ ବିଜୟ ପାଟ୍ଟଶାଣୀ, ଲଲାଟ ଦାସ, ଲକି ଜେନା, ରଞ୍ଜିତ ଦାସ ଓ ସୁନୀଲ ପଟ୍ଟନାୟକ ପ୍ରମୁଖ ଥିଲେ। ପୂର୍ବ ବିବାଦ ଥିବାରୁ ଦୁଇ ପକ୍ଷ ମଧ୍ୟରେ କମେଣ୍ଟ ମରାମରି ହୋଇଥିଲା। ପରେ ଉଭୟ ପକ୍ଷ ହାତାହାତି ଅବସ୍ଥାକୁ ଚାଲିଯାଇଥିଲେ। ଗଣ୍ଡଗୋଳ ବଢ଼ାଇବାକୁ ଯୋଜନା କରି ପ୍ରସ୍ତୁତ ଥିବା ବିଜୟ ପାଟ୍ଟଶାଣୀ ଗୋଷ୍ଠୀ ହଠାତ୍ ମାରଣାସ୍ତ୍ର ବାହାର କରି ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଦେଖି ଦୁଇ ଭାଇ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ଖଣ୍ଡା ଚୋଟରୁ ବର୍ତ୍ତି ନଥିଲେ। ଏତିକିବେଳେ ଛକରେ ଉପସ୍ଥିତ ଥିବା ଗାଁ ଲୋକେ ପାଟି କରି ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ତେଣୁ ଆକ୍ରମଣକାରୀମାନେ ସେଠାରୁ ପଳାଇଥିଲେ। ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ଖବର ଅନୁସାରେ ଏହି ଦୁଇ ପକ୍ଷଙ୍କ ମଧ୍ୟରେ ହୋଲି ପରଠୁ ଛକାପଞ୍ଝା ଲାଗି ରହିଥିଲା। ଆକ୍ରମଣକାରୀମାନେ ସ୍ଥାନୀୟ କର୍ପୋରେଟର୍ଙ୍କ ସମର୍ଥକ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଜୀବନ ମଧ୍ୟ ତାଙ୍କ ଅଭିଯୋଗରେ କର୍ପୋରେଟର୍ଙ୍କ ନାଁ ନେଇଛନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ଆକ୍ରମଣ କରାଯାଇଛି ବୋଲି ଲିଖିତ ଭାବେ ପୁଲିସକୁ ଜଣାଇଛନ୍ତି।