ସାଲିଆ ସାହି ବିବାଦ ଥମିବା ନାଁ ଧରୁନି : ବସ୍ତି ମାପଚୁପ ବେଳେ ଉତ୍ତେଜନା, ଫେରିଲେ ବିଡିଏ, ବିଏମ୍ସି ଅଧିକାରୀ
ଭୁବନେଶ୍ବର : ସାଲିଆସାହି ବସ୍ତି ଉଚ୍ଛେଦକୁ ନେଇ ବିବାଦ ଥମିବାର ନାଁ ଧରୁନି। କେତେବେଳେ ବସ୍ତିବାସିନ୍ଦା ଦା’, କତା, ବହ୍ଲା ଧରି ଗୋଡ଼େଇଲେଣି ତ କେତେବେଳେ ରାସ୍ତା ଅବରୋଧ କରି ପ୍ରତିବାଦ କରୁଛନ୍ତି। ପୁଣି କେତେବେଳେ ରାତି ଅଧିଆ ମେଳି କରି ପ୍ରଶାସନକୁ ଜବାବ ଦେବାକୁ ସଜବାଜ ହେଉଛନ୍ତି। ଗତ ସପ୍ତାହେ ହେବ ସାଲିଆସାହିରେ ବସ୍ତିବାସିନ୍ଦା ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ ଏଭଳି ଛକାପଞ୍ଝା ଲାଗି ରହିଛି। ହେଲେ ସମାଧାନର ବାଟ ଖୋଲୁନି। ଏମିତି ସପ୍ତାହେ ହେବ ଅଧିକାରୀମାନେ ବସ୍ତି ଉଚ୍ଛେଦ କରିବାକୁ ଯାଉଛନ୍ତି। ପୁଣି ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ପରେ ଫେରି ଆସୁଛନ୍ତି।
ତେବେ ଗୁରୁବାର ଦିନ ସାଲିଆସାହି ଲକ୍ଷ୍ମୀପୁର ବସ୍ତି ମାପଚୁପ ବେଳେ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ବିଡିଏ, ବିଏମ୍ସି ଓ ପୁଲିସ ଅଧିକାରୀ ପହଞ୍ଚି ମାପଚୁପ ଆରମ୍ଭ କରୁଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ବାସିନ୍ଦା ଏକ୍ଜୁଟ୍ ହୋଇ ମାପଚୁପ କରାଇ ଦେଇ ନଥିଲେ। ଜୋରଦାର ପ୍ରତିବାଦ କରିଥିଲେ। ଫଳରେ ଅଧିକାରୀମାନେ ବାଧ୍ୟ ହୋଇ ଫେରିଥିଲେ। ଥଇଥାନ ସହ ୬ଶହ ବର୍ଗ ଫୁଟ୍ର ଜମି ନ ଦେଲେ ଏଭଳି ପ୍ରତିବାଦ ଜାରି ରହିବ ବୋଲି ସିଧାସିଧା ଶୁଣାଇ ଥିଲେ।