ଗଞ୍ଜାମ ଫେରନ୍ତାଙ୍କୁ ନେଇ ବସ୍ତିରେ ଉତ୍ତେଜନା

ଚନ୍ଦ୍ରଶେଖରପୁର : ଆଜି ମଞ୍ଚେଶ୍ବର ଓ ସହିଦନଗର ଥାନା ଅଞ୍ଚଳର କିଛି ବସ୍ତିରେ ଗଞ୍ଜାମ ଫେରନ୍ତାଙ୍କୁ ନେଇ ଉତ୍ତେଜନା ଦେଖାଯାଇଥିଲା। ରାଜ୍ୟରେ ଗଞ୍ଜାମ ସର୍ବାଧିକ ‌କରୋନାପ୍ରବଣ ଜିଲ୍ଲା ହୋଇଥିବାରୁ ସେଠାରୁ ଭୁବନେଶ୍ବର ଫେରୁଥିବା ଲୋକଙ୍କୁ ନେଇ ବସ୍ତିଗୁଡ଼ିକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଗୋଷ୍ଠୀ ସଂଘର୍ଷ ପୂର୍ବରୁ ସ୍ଥାନୀୟ ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବସ୍ତିକୁ ଫେରିଥିବା ଲୋକଙ୍କୁ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ସହଯୋଗରେ କ୍ବାରାଣ୍ଟିନ୍‌ରେ ରଖିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆପୋଲୋ ହସ୍ପିଟାଲ୍ ସମ୍ମୁଖ ବିଶେଶ୍ବର ବସ୍ତି, ମଞ୍ଚେଶ୍ବର ଆଦିବାସୀ ବସ୍ତି ଓ ଧିରିକୁଟି ସାହି ବସ୍ତିରେ ଘଟିଥିବା ଏହି ଘଟଣାଗୁଡ଼ିକୁ ନେଇ ଆଜି ଦିନତମାମ୍ ପୁଲିସ୍ ଓ ବିଏମ୍‌ସି କର୍ତ୍ତୃପକ୍ଷ ନାକେଦମ ହୋଇଥିଲେ।

ସୂଚନାନୁସାରେ ଦୁଇ ଜଣ ବସ୍ତିବାସିନ୍ଦା ଦୀର୍ଘ ୩ ମାସ ପରେ ବିଶେଶ୍ବର ବସ୍ତିକୁ ଫେରିଥିଲେ। ତାଲା‌ବନ୍ଦ ଲାଗୁ ହେବା ପରଠାରୁ ସେମାନେ ଗଞ୍ଜାମରେ ନିଜ ଘରେ ଥିଲେ। କିନ୍ତୁ ବସ୍ତିବାସିନ୍ଦାମାନେ ସେମାନଙ୍କୁ ବସ୍ତିରେ ପୂରାଇ ଦେଇନଥିଲେ। ବସ୍ତିବାସିନ୍ଦାମାନେ ସେମାନଙ୍କୁ ପ୍ରଥମେ ସଂଗରୋଧ କେନ୍ଦ୍ର ଯିବାପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟିରୁ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଶେଷରେ ପୁଲିସ ଯାଏ କଥା ଯିବା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ପଡ଼ିଥିଲା। ସେହିଭଳି ଅନ୍ୟ ଏକ ଘଟଣା ଘଟିଥିଲା ମଞ୍ଚେଶ୍ବର ଧିରିକୁଟି ସାହିରେ। ସେଠାରୁ କେତୋଟି ପରିବାରର ଲୋକ ଗତ ଦୁଇ ଦିନ ପୂର୍ବେ କୌଣସି ଜରୁରି କାମରେ ଗଞ୍ଜାମ ଯାଇଥିଲେ ଓ ଆଜି ଧିରିକୁଟି ସାହିକୁ ଫେରିଥିଲେ। ମାତ୍ର ସେମାନେ ବସ୍ତିରେ ପହଞ୍ଚିବାର କିଛି ସମୟ ପରେ ଆଶାକର୍ମୀ ଓ ପରେ ପରେ ବିଏମ୍‌ସି କର୍ମଚାରୀମାନେ ସେମାନଙ୍କ ପାଖରେ ପହଞ୍ଚିଥିଲେ। ପରେ ସେମାନଙ୍କୁ ଉତ୍ତରାସ୍ଥିତ ଏକ ସଂଗରୋଧ କେନ୍ଦ୍ରକୁ ନେଇ ଯାଇଥିଲେ। ଏହାକୁ ନେଇ କିଛି ସମୟ ଧରି ସେଠାରେ ପାଟିତୁଣ୍ଡ ହୋଇଥିଲା।

ସମ୍ବନ୍ଧିତ ଖବର