କନ୍‌ଭେୟର ବେଲ୍ଟରେ ପଶି ଶ୍ରମିକ ମୃତ, ଫ୍ୟାକ୍ଟ୍ରିରେ ଉତ୍ତେଜନା

ଭୁବନେଶ୍ବର : ସହିଦନଗର ଥାନା ଅଞ୍ଚଳ‌ରେ ରହିଥିବା ସୁପ୍ରିମ୍‌ କଂକ୍ରିଟ୍‌ ଇନ୍‌ଫ୍ରାଷ୍ଟ୍ରକଚର୍‌ ସଂସ୍ଥାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କନ୍‌ଭେୟର ବେଲ୍ଟ ଭିତରେ ହାତ ପଶି ଯିବାରୁ ସେ ଟାଣି ହୋଇ ଚକା ଭିତରେ ପେଷି ହୋଇ ଯାଇଛନ୍ତି। ତୁରନ୍ତ ବେଲ୍ଟରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ତାଙ୍କୁ ଉଦ୍ଧାର କରା ଯାଇ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ହେଉଛନ୍ତି ଭଦ୍ରକ ଭଣ୍ତାରିପୋଖରୀର ବିମଲ ସାମଲ। ତାଙ୍କ ଭାଇ ବିନାୟକ ସାମଲଙ୍କ ଅଭିଯୋଗ କ୍ରମେ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ଏହି ଘଟଣା ଘଟିବା ପରେ ପ୍ୟାକ୍ଟ୍ରି ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତାଙ୍କ ମୃତ୍ୟୁ ପାଇଁ ଫ୍ୟାକ୍ଟ୍ରିର ଅବହେଳାକୁ ଦାୟୀ କରି ଶତାଧିକ ଲୋକ ହୋ ହଲ୍ଲା କରିଥିଲେ। ତାଙ୍କ ପରିବାରକୁ କ୍ଷତିପୂରଣ ଦବେିରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ତାଙ୍କ ପରିଜନ ପହଞ୍ଚିଥିଲେ। ସେତେବେଳକୁ ଶବ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆବଶ୍ୟକ ପଡ଼ିଲେ ମ‌ାଲିକଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର