ଇଞ୍ଚେ ବି ଜାଗା ଛାଡ଼ିବୁନି

ବାଣୀବିହାରରେ ରମାଦେବୀ କ୍ୟାମ୍ପସ୍‌ ପ୍ରସ୍ତାବକୁ ତିନି ଛାତ୍ର ସଂଗଠନର ବିରୋଧ

କୁଳପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା, ବିକ୍ଷୋଭ
ନିଷ୍ପତ୍ତିି ପ୍ରତ୍ୟାହାର ଲାଗି କୁଳପତିଙ୍କୁ ଦାବିପତ୍ର

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟର ତିନିଟି ଯାକ ପ୍ରମୁଖ ଛାତ୍ର ସଂଗଠନ ପକ୍ଷରୁ ଆଜି ତୀବ୍ର ବିରୋଧ କରାଯାଇଛି। ଏଭଳି ପ୍ରସ୍ତାବର ପ୍ରତିବାଦରେ ଛାତ୍ର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛି। କୌଣସି ବି ପରିସ୍ଥିତିରେ କ୍ୟାମ୍ପସରୁ ଇଞ୍ଚେ ବି ଜାଗା ଦିଆଯିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଛାତ୍ର କଂଗ୍ରେସ ଓ ଏବିଭିପି ମଧ୍ୟ ଅନୁରୂପ ଭାବେ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିକାଶ ଲାଗି ୩ଟି ଯାକ ସଙ୍ଗଠନ ମତ ରଖିବା ସହ ଏହାର ଦ୍ୱିତୀୟ କ୍ୟାମ୍ପସ୍‌ ପାଇଁ ବାଣୀବିହାରରୁ ଜାଗା ନ ଦେବାକୁ ଅନୁରୋଧ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩୦ ଏକର ଜାଗା ଚିହ୍ନଟ ଲାଗି ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୪ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ଫେବ୍ରୁଆରି ୧୫ ସୁଦ୍ଧା ଜାଗା ଚିହ୍ନଟ କରି ରିପୋର୍ଟ ଦେବା ପରେ ଉଚ୍ଚଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତିି ନେବ ବୋଲି ବି କୁହାଯାଇଥିଲା। ଏ ବିଷୟ ଜଣାପଡ଼ିବା ପରେ ଆଜି ମଧ୍ୟାହ୍ନ ପ୍ର୍ରାୟ ୧୨ଟାରେ ଛାତ୍ର ବିଜେଡି ନେତା ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ରମାନେ ବାଣୀବିହାର କ୍ୟାମ୍ପସର ମୁଖ୍ୟଫାଟକରେ ତାଲା ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପ୍ର୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ଯିବା ଆସିବାରେ ଅସୁବିଧା ହୋଇଥିଲା। ଏହାପରେ ଛାତ୍ର ବିଜେଡିର ଏକ ପ୍ରତିନିଧିଦଳ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଭେଟି ଦାବିପତ୍ର ଦେବାକୁ ଯିବା ସମୟରେ ସେଠାରେ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ରମାନେ ଭଙ୍ଗାରୁଜା କରିବା ସହ କୁଳପତିଙ୍କୁ ଘେରାଉ କରିଥିଲେ। ବରିଷ୍ଠ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ କୁଳପତିଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

ଅପରାହ୍ଣ ପ୍ରାୟ ୨ଟାରେ ଛାତ୍ର କଂଗ୍ରେସର ଏକ ପ୍ରତିନିଧିଦଳ ମଧ୍ୟ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଛାତ୍ରନେତା ସୌମ୍ୟରଞ୍ଜନ ଜେନା, ଅଖିଳେଷ କୁମାର ଯାଦବ ଦାବିପତ୍ରରେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଦ୍ୱିତୀୟ କ୍ୟାମ୍ପସ ଚଣ୍ଡିଖୋଲଠାରେ କରାଯାଇଛି। କିନ୍ତୁ ଏବେ ଉଚ୍ଚଶିକ୍ଷା ବିଭାଗ ଉତ୍କଳରେ ରମାଦେବୀକୁ ବାଣୀବିହାର ପରିସରରେ ଜାଗା ଯୋଗାଇ ଦେବାକୁ ଷଡ଼ଯନ୍ତ୍ର କରୁଛି। ଗୋଟିଏ କ୍ୟାମ୍ପସ୍‌ରେ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କରାଗଲେ ସୁରକ୍ଷା ନେଇ ପ୍ରଶ୍ନ ଉଠିବ। ତେଣୁ ନିଷ୍ପତ୍ତିର ପୁନର୍ବିଚାର କରାଯାଉ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ବାଣୀବିହାର ଏବିଭିପି ୟୁନିଟ୍‌ ପକ୍ଷରୁ ମଧ୍ୟ ଅନୁରୂପ ଭାବେ କୁଳପତିଙ୍କୁ ଦାବିପତ୍ର ଦିଆଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଆବଶ୍ୟକତା ରହିଛି। ଏନେଇ ସଙ୍ଗଠନ ପକ୍ଷରୁ ବାରମ୍ବାର ଦାବି କରାଯାଉଛି। ଯେଉଁଥିପାଇଁ ତରବରିଆ ଭାବେ ଉଚ୍ଚଶିକ୍ଷା ବିଭାଗ ଉତ୍କଳରୁ ୩୦ ଏକର ଜମି ଦେବା ଲାଗି କମିଟି ଗଠନ କରିଛି। ଏଭଳି ନିଷ୍ପତ୍ତିରୁ ଓହରିବା ସହ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ଉତ୍କଳ କ୍ୟାମ୍ପସ ବାହାରେ ୨୦୦ ଏକର ଜମି ଯୋଗାଇ ଦିଆଯାଉ। ବାଣୀବିହାରରୁ ଇଞ୍ଚେ ବି ଜମି ଦିଆ ନ ଯାଉ ବୋଲି ସଙ୍ଗଠନର ଛାତ୍ରନେତା ରତନ ଦିଗଲ୍‌, ଏବିଭିପି ମହାନଗର ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ କହିଛନ୍ତି।

କମିଟିର ଅଧ୍ୟକ୍ଷ ହୋଇଥିବା ଜାଣିନାହାନ୍ତି କୁଳପତି

୩୦ ଏକର ଜମି ଚିହ୍ନଟ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରାଯାଇଛି। ହେଲେ ଏ ସମ୍ପର୍କରେ ଅବଗତ ନାହାନ୍ତି କୁଳପତି। ଛାତ୍ରମାନେ ନିଷ୍ପତ୍ତିର ପ୍ରତିବାଦ କରିବା ସମୟରେ ପ୍ରଫେସର ପଟ୍ଟନାୟକ ଏଭଳି ମତପ୍ରକାଶ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ଏବେ କିଛି କହିପାରିବି ନାହିଁ। ଛାତ୍ରଛାତ୍ରୀଙ୍କ ଦାବିକୁ ବିଚାର କରାଯିବ।

ବାଣୀବିହାର ଶିକ୍ଷକ ଓ କର୍ମଚାରୀ ସଂଘର ବିରୋଧ

ଛାତ୍ର୍ର ସଙ୍ଗଠନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏନେଇ ଉଭୟ ସଂଘ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ସେମାନଙ୍କ ଅସନ୍ତୋଷ ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ କହିବାନୁଯାୟୀ, ରାଜ୍ୟର ପ୍ରଥମ ତଥା ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟକୁ ସଙ୍କୁଚିତ କରା ନ ଯାଉ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ୩୦ ଏକର ଜାଗା ଦେବା ପରିବର୍ତେ ବାହାରେ ୩୦୦ ଏକର ଜମିରେ ବିରାଟ ମହିଳା ବିଶ୍ୱବିଦ୍ୟାଳୟ ହେଉ। ସୁରକ୍ଷା ଆଳରେ ଛାତ୍ରୀଙ୍କୁ ଦୁର୍ବଳ କରା ନ ଯାଉ। ସେମାନଙ୍କ ସ୍ୱାଭିମାନକୁ ଆଘାତ କରା ନ ଯାଉ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଯେଉଁ ୩୦ ଏକର ରମାଦେବୀକୁ ଦେବାକୁ ପ୍ରସ୍ତାବ ହୋଇଛି ତାହା ପର୍ଯ୍ୟାପ୍ତ ନୁହେଁ। ଏହାର ପୁନର୍ବିଚାର ହେଉ।

ପ୍ରସ୍ତାବକୁ ୫ ପୂର୍ବତନ ସଭାପତିଙ୍କ ନାପସନ୍ଦ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରମାଦେବୀ ମହିଳା ବିଶ୍ୱବିିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ୩୦ ଏକର ଜମି ଚିହ୍ନଟ ପାଇଁ ଉଚ୍ଚଶିକ୍ଷା ବିଭାଗ କମିଟି ଗଠନ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ଛାତ୍ର ସଂସଦ ସଭାପତିମାନେ। ଛାତ୍ର ବିଜେଡି ଉପଦେଷ୍ଟା ତଥା ବାଣୀବିହାରର ପୂର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଉତ୍କଳର ଗୌରବ ଫେରିଛି। ଯେଉଁଥିପାଇଁ ନାକ୍‌ ‘ଏ+’ ମାନ୍ୟତା ବି ମିଳିଛି। ‘ଏ++’ ଗ୍ରେଡ୍‌ ବି ମିଳିବାର ସମ୍ଭାବନା ରହିଛି। ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ବି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ। ୩୦ ଏକର ଜମିରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ କରାଗଲେ ଛାତ୍ରୀଙ୍କ ଶିକ୍ଷାର ବିକାଶ ହୋଇପାରିବ ନାହିଁ। ଆଗକୁ ବଢ଼ିବାକୁ ହେଲେ ରମାଦେବୀକୁ ୨୦୦ ଏକର ଜମି ଯୋଗାଇ ଦିଆଯାଉ। ଏନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିବୁ ବୋଲି ସେ କହିଛନ୍ତି। ପୂର୍ବତନ ଛାତ୍ର ସଂସଦ ସଭାପତି ତନ୍ମୟ ସ୍ୱାଇଁ କହିଛନ୍ତି ୩୦ ଏକରରେ କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ହୋଇନି। ୩୦ ଏକର ଜାଗା ପରିବର୍ତେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବାହାରେ ୨୦୦ ଏକର ଜମି ଦିଆଯାଉ। ପୂର୍ବତନ ଛାତ୍ର ସଂସଦ ସଭାପତି ଡ. ପ୍ରକାଶ ତ୍ରିପାଠୀ କହିଛନ୍ତି ଯେ ଉତ୍କଳରେ ଆଗାମୀ ଦିନରେ ଅନେକ ନୂଆ ବିଭାଗ ଖୋଲିବ। ୫ ହଜାର ସିଟ୍‌ ବିଶିଷ୍ଟ ପ୍ରେକ୍ଷାଳୟ, କନ୍‌ଭେନ୍‌ସନ ହଲ୍‌, ହଷ୍ଟେଲ ପ୍ରତିଷ୍ଠା କରିବାକୁ ୫ ବର୍ଷିଆ ଯୋଜନାରେ ରହିଛି। ଏଥିପାଇଁ ବାଣୀବିହାରରେ ବହୁ ଜମିର ଆବଶ୍ୟକତା ରହିଛି। ରାଜ୍ୟ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ଅନ୍ୟତ୍ର ଜମି ଯୋଗାଇ ଦିଅନ୍ତୁ। ପୂର୍ବତନ ଛାତ୍ର ସଂସଦ ସଭାପତି ମନୋଜ ବିଶ୍ୱାଳ ଓ ମହେଶ ପ୍ରସାଦ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ବିରୋଧ କରିବା ସହ ରମାଦେବୀର ବିକାଶ ଲାଗି ଅନ୍ୟତ୍ର ୨୦୦ ଏକର ଜମି ଯୋଗାଇ ଦିଆଯାଉ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର