ନୂଆଗାଁ ବଜାର ଦୁର୍ଗାପୂଜା ମଣ୍ଡପ ଭଙ୍ଗାକୁ ନେଇ ଉତ୍ତେଜନା

ଧଉଳି: ଭୁବନେଶ୍ବର ଧଉଳି ଥାନା ଅଧୀନ ନୂଆଗାଁ ବଜାରରେ ଆଜି ପୂର୍ବାହ୍ନରେ ତହସିଲ ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ମଣ୍ଡପ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲ । ବଜାର କମିଟି ପକ୍ଷରୁ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ସ୍ଥାନରେ ଦୁର୍ଗାପୂଜା ଚାଲିଥିଲା । ଦୀପାବଳୀ ଅବସରରେ ବଜାର କମିଟି ପକ୍ଷରୁ ଏନେଇ ପୂର୍ବ ପ୍ରସ୍ତୁତି ଚାଲିଥିଲା । ହେଲେ ତା’ ପୂର୍ବରୁ ଏହାକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା । ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁ , ଉପଜିଲ୍ଲାପାଳ ଦେବବ୍ରତ ସାହୁ ଅତିରିକ୍ତ ତହସିଲଦାର ସୁଜାତା ମହାରଣା ପ୍ରମୁଖ ପୁଲିସ ଫୋର୍ସ ନେଇ ପହଞ୍ଚି ଥିଲେ । ଏହା ଜାଣିବା ପରେ ବ୍ୟବସାୟୀ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

କାଳୀପୂଜା ଲାଗି ପ୍ରସ୍ତୁତି ଚାଲିଥିବା ଉକ୍ତ ମଣ୍ଡପ ସମ୍ମୁଖରେ ସେମାନେ ବସି ପ୍ରତିବାଦ କରିଥିଲେ । କୌଣସି ବି ପରିସ୍ଥିତିରେ ସେମାନେ ପୂଜାମଣ୍ଡପ ଭାଙ୍ଗିବାକୁ ଦେବେ ନାହିଁ କହି ଦୃଢ଼ ପ୍ରତିବାଦ କରିଥିଲେ । ପୂର୍ବରୁ ବ୍ୟବସାୟୀ କମିଟି ସହ କୌଣସି ଆଲୋଚନା ନକରି ହଠାତ ପୂଜାମଣ୍ଡପ ଭଙ୍ଗାଯିବା ନିଷ୍ପତ୍ତି ସଂପୂର୍ଣ୍ଣ ବେଆଇନ ବୋଲି କହି ବିରୋଧ କରିଥିଲେ । ଦୀର୍ଘ ସମୟ ଧରି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ହେଲେ ପୂଜାକମିଟି ଉକ୍ତ ମଣ୍ଡପ ସ୍ଥାନକୁ ଲାଗି ଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସୁବିଧା ଦୃଷ୍ଟିରୁ ମଣ୍ଡପ ଉଚ୍ଛେଦ କରିବା ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ । ଏନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ପୁଲିସ ଫୋର୍ସ ଉଚ୍ଛେଦ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବଳ ପ୍ରୟୋଗ କରିବାକୁ ଉଦ୍ୟମ କରିଥିଲେ । ଶେଷରେ ନିରାଶ ହୋଇ ଏକତ୍ରିତ ହୋଇ ପାଟିତୁଣ୍ଡ କରୁଥିବା ପୂଜାକମିଟି ସଦସ୍ୟ  ପଳାଇଯାଇଥିଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି , ଦୀର୍ଘ ବର୍ଷ ଧରି ନିଜ ଦଖଲରେ ରଖି ଦୁର୍ଗାପୂଜା , ଗଣେସ ପୂଜା , ସରସ୍ବତୀ ପୂଜା ଓ କାଳୀପୂଜା କରି ଆସୁଥିବା ଜାଗା ଉଚ୍ଛେଦ କରିବା ପୂର୍ବରୁ ତହସିଲ ପ୍ରଶାସନ ବ୍ୟବସାୟୀଙ୍କୁ ଜମି ଯୋଗାଇନଦେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେଠାରେ ଥିବା ଆଉ ଗୋଟିଏ କ୍ୟାବିନକୁ ମଧ୍ୟ ସେଠାରୁ  ସ୍ଥାନାନ୍ତର କରାଯାଇଥିଲା । ଏସଂପର୍କରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ପଚାରିବାରେ ସ୍ଥାନୀୟ ଲୋକ ଉଚ୍ଛେଦ ନେଇ ଦୀର୍ଘଦିନ ହେଲା ଅଭିଯୋଗ କରି ଆସୁଥିଲେ । ଜନ ସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବେଆଇନ ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରିଦିଆଯାଇଛି । ୩ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୭  ଜଣ ପୁଲିସ ଅଧିକାରୀ ଏଥିରେ ସାମିଲ ଥିଲେ । ଧଉଳି ଥାନା ଅଧିକାରୀ ଦୟାନିଧି ନାୟକଙ୍କ ସହିତ ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଓ ଜୋନ ୨ ଏସିପି ବିଷ୍ଣୁ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର