କୋଲକାତା ଫେରନ୍ତାଙ୍କୁ ନେଇ ଭୁବନେଶ୍ବରରେ ଉତ୍ତେଜନା

କୋଲକାତା ଫେରନ୍ତାଙ୍କୁ ନେଇ ଭୁବନେଶ୍ବରରେ ଉତ୍ତେଜନା

ଭୁବନେଶ୍ବର: ଗୋଟିଏ ସ୍କର୍ପିଓରେ ଗୋଟିଏ ପରିବାରର ୧୧ଜଣ। କୋଲକାତାରୁ ଭୁବନେଶ୍ବର ୫ଶହ କିଲୋମିଟର ରାସ୍ତା ଅତିକ୍ରମ କରି ଆସିଲେ। କିନ୍ତୁ କୌଣସି ସ୍ଥାନରେ ପୁଲିସ ଚେକିଂରେ ଧରା ପଡ଼ିଲେ ନାହିଁ। ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଥିବା ଘରକୁ ଆସିବା ପରେ ସ୍ଥାନୀୟ ଲୋକ ପୁଲିସ କଣ୍ଟ୍ରୋଲ ରୁମ୍ ଓ ସ୍ଥାନୀୟ ବଡ଼ଗଡ଼ ଥାନାକୁ ଫୋନ୍ କରି କରି ହାଲିଆ ହେଲେ ବି ପୁଲିସ ଶୁଣିଲା ନାହିଁ। ବିଏମ୍‌ସିକୁ ଫୋନ୍ କରି ନିରାଶ ହେବା ପରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିଥିଲା। ସବୁଠି ନିରାଶ ହେବା ପରେ ଶେଷରେ ରାସ୍ତାରୋକ କରିଥିଲେ। ଏହାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବଡ଼ଗଡ଼ ଥାନା ପୁଲିସ। ଆଜି ବ୍ରିଟ୍ କଲୋନି‌ରେ ଘଟିଥିବା ଏଭଳି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ପହଞ୍ଚି ବୁଝାସୁଝା କରିବା ସହ ସମ୍ପୃକ୍ତଙ୍କ ଘରେ ବିଏମ୍‌ସି ସଂଗରୋଧ ନୋଟିସ୍ ମାରିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରିଟ୍ କଲୋନିରେ ରହୁଥିବା ସମ୍ପୃକ୍ତ ପରିବାର ଜନତା କର୍ଫ୍ୟୁ ପୂର୍ବରୁ କୋଲକାତା ଯାଇଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ପରିବାରର ୧୧ ସଦସ୍ୟ ଗୋଟିଏ ସ୍କର୍ପିଓରେ ଫେରିଥିଲେ। ଏବେ ରାଜ୍ୟରେ କୋଲକାତା ଫେରନ୍ତାଙ୍କ ଭିତରୁ ଅଧିକାଂଶ କରୋନା ଆକ୍ରାନ୍ତ ବାହାରୁଛନ୍ତି। ତେଣୁ ସମ୍ପୃକ୍ତ ପରିବାର ଲୋକଙ୍କୁ ୧୦୪ରେ କଲ୍ କରି ରେଜିଷ୍ଟ୍ରେସନ୍‌ କରିବା ପାଇଁ ପଡ଼ୋଶୀ ପରାମର୍ଶ ଦେଇଥିଲେ। କିନ୍ତୁ ସମ୍ପୃକ୍ତ ପରିବାର ସଦସ୍ୟ ସେମାନଙ୍କ କଥା ନ ଶୁଣି ନିଜ ଘରକୁ ଯାଇଥିଲେ। ସେମା‌‌ନେ ଚଳପ୍ରଚଳ ହେବା ସହ ବାଲକୋନିରୁ ପାଣି ପଡ଼ିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଜଣେ ପଡ଼ୋଶୀ ଏହାର ପ୍ରତିବାଦ କରିବା ସହ ତୁରନ୍ତ ଡାଏଲ୍ ୧୦୦କୁ କଲ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ସ୍ଥାନୀୟ ଥାନା ସହ ଯୋଗାଯୋଗ କରିବା ପାଇଁ ଡାଏଲ୍ ୧୦୦ ତରଫରୁ ପରାମର୍ଶ ଦିଆଯାଇଥିଲା। ସ୍ଥାନୀୟ ଥାନାକୁ ଲୋକ କଲ୍ କରିବା ସହ ଏକାଧିକଥର ଯାଇଥିଲେ ମଧ୍ୟ କେହି ଘଟଣାକୁ ଗୁରୁତ୍ବ ଦେଇ ନଥିଲେ। ବଡ଼ଗଡ଼ ଥାନାରୁ ଲୋକ ନିରାଶ ହେବା ପରେ ରାସ୍ତାରୋକ କରି ଧାରଣାରେ ବସିଥିଲେ। ସେହି ରାସ୍ତା ଦେଇ ଗାଡ଼ିମୋଟର ଚଳାଚଳ ବନ୍ଦ ହେବା ସହ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ସମୟ ପରେ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଆନ୍ଦୋଳନରତ ଲୋକଙ୍କ ସହ ଆଲୋଚନା ପରେ ରାସ୍ତାରୋକ ହଟିଥିଲା। ବିଏମ୍‌ସିର ଏକ ଟିମ୍ ପହଞ୍ଚି ସମ୍ପୃକ୍ତ ଘରେ ସଂଗରୋଧ ନୋଟିସ୍ ମାରିଥିଲା। ସମ୍ପୃକ୍ତ ପରିବାର କୋଲକାତାରୁ ଫେରିଥିବାରୁ ସମସ୍ତଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଇବା ଲାଗି ସ୍ଥାନୀୟ ବାସିନ୍ଦା ଅଡ଼ି ବସିଥିଲେ। ରାତି ପର୍ଯ୍ୟନ୍ତ ଚାପା ଉତ୍ତେଜନା ଲାଗି ରହିଥିଲା।

ଓଡ଼ିଶା ସୀମା ଲକ୍ଷ୍ଣଣନାଥ ଫାଟକ ନିକଟରେ ପୁଲିସର କଡ଼ା ପହରାରେ ରହିଛି ବୋଲି ବରିଷ୍ଠ ଅଧିକାରୀମାନେ କହୁଥିବା ବେଳେ ଗୋଟିଏ ଚାରି ଚକିଆ ଗାଡ଼ିରେ ୧୧ଜଣ ଆସିଥିଲେ ବି ଧରାପଡ଼ିଲେ ନାହିଁ କେମିତି? ରାଜଧାନୀକୁ ପଶିଲା ପରେ ବି କମିସନରେଟ୍‌ ପୁଲିସ ଚେକିଂରୁ ଖସିଗଲେ କେମିତି? ଗୋଟିଏ ଚାରିଚକିଆ ଗାଡ଼ିରେ ଡ୍ରାଇଭର ଓ ପଛ ସିଟରେ ଦୁଇଜଣ ବସିବାର ନିୟମ ରହିଛି। କିନ୍ତୁ ସାଇ ମନ୍ଦିର ନିକଟରେ ବାରିକେଡ୍‌ ଲଗାଇ ପୁଲିସ୍‌ ଚେକିଂ ଚଳାଇଥିଲେ ବି କେମିତି ସ୍କର୍ପିଓ ଧରାପଡ଼ିଲା ନାହିଁ? ଏମିତି କେତେ ଗାଡ଼ି ନିୟମ ଉଲ୍ଲଂଘନ କରି ବାହାର ରାଜ୍ୟରୁ ଆସୁଛନ୍ତି? ଏହି ପରିବାର ସଦସ୍ୟ କୋଲକାତାରୁ ଆସିଥିଲେ ବି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ୱେବ୍‌ସାଇଟ୍ କିମ୍ବା ୧୦୪ରେ କଲ୍ କରି ରେଜିଷ୍ଟ୍ରେସନ କରାଇଥିଲେ କି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, କୋଲକାତାରୁ ଆସିଥିବା ଏହି ୧୧ଜଣଙ୍କ ମଧ୍ୟରୁ ୨ଜଣ ବାଇକ୍‌ରେ ପୁରୀ ପଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର