ବିଦ୍ୟୁତ୍‌ କାଟକୁ କେନ୍ଦ୍ର କରି ବୋଧଖଣ୍ଡି ଗ୍ରାମରେ ଉତ୍ତେଜନା, ଅନ୍ଧାରରେ ଦେଢ଼ଶ’ ପରିବାର

ବାଲିଅନ୍ତା : ବାଲିପାଟଣା ବିଦ୍ୟୁତ୍‌ ସେକ୍ସନ୍‌ ଅଧୀନ ବୋଧଖଣ୍ଡି ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ୩ଟି ଟ୍ରାନ୍ସଫର୍ମର୍‌ରୁ ବିଦ୍ୟୁତ୍‌ ସେବା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବାରୁ ଗ୍ରାମର ପାଖାପାଖି ଦେଢ଼ଶହ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି। ଏହାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବୋଧଖଣ୍ଡି ହରିଜନ ସାହିର କିଛି ପରିବାର ମାସମାସ ଧରି ବିଦ୍ୟୁତ୍‌ ବିଲ୍‌ ପଇଠ କରୁନାହାନ୍ତି। ଆଜି ପୂର୍ବାହ୍ନରେ ବିଦ୍ୟୁତ୍‌ ବିଭାଗୀୟ କିଛି କର୍ମଚାରୀ ସାହିକୁ ବକେୟା ଦେୟ ସଂଗ୍ରହ କରିବାକୁ ଯାଇଥିଲେ। ବିଲ ପଇଠ ନକଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। କିନ୍ତୁ ଖିଲାପି ଉପଭୋକ୍ତାମାନେ ବିଦ୍ୟୁତ୍‌ ବିଲ ପ୍ରଦାନ କରିବା ପରିବର୍ତ୍ତେ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଅଧିକାରୀବୃନ୍ଦ ଟ୍ରାନ୍ସଫର୍ମର୍‌ରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଇଥିଲେ। ବିଲ୍‌ ଆଦାୟ କରିବାକୁ ଆସିଥିବା କର୍ମଚାରୀଙ୍କ ଭିତରେ ବୋଧଖଣ୍ଡି ଗ୍ରାମର ଜଣେ କର୍ମଚାରୀ ଥିଲେ। ତେବ‌େ ସଂଧ୍ୟାରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ସଂପୃକ୍ତ କର୍ମଚାରୀଙ୍କ ଇସାରାରେ ଲାଇନ୍‌ କାଟ କରାଯାଇଥିବା ଅଭିଯୋଗ କରି ହରିଜନ ସାହିର କିଛି ଯୁବକ ବୋଧଖଣ୍ଡି ଗ୍ରାମ ଟ୍ରାନ୍ସଫର୍ମରରୁ ମଧ୍ୟ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦେଇଥିଲେ। ହରିଜନ ସାହିକୁ ବିଦ୍ୟୁତ୍‌ ସଂଯୋଗ ନହେବା ପର୍ଯ୍ୟନ୍ତ ବୋଧଖଣ୍ଡି ଗ୍ରାମର ଅନ୍ୟ ଦୁଇ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ରହିବ ବୋଲି କହି ଗଣ୍ଡଗୋଳ କରିଥିଲେ। ରାତିତମାମ ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ହେଲେ ବିଦ୍ୟୁତ୍‌ ବିଭାଗର କୌଣସି ଅଧିକାରୀ ଗ୍ରାମରେ ପହଞ୍ଚି ବିଦ୍ୟୁତ୍‌ ସଂଯୋଗ କରି ଘଟଣାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର