ବିଜୁଳି ବିଭ୍ରାଟକୁ ନେଇ ତନାଘନା: ଟିପିସିଓଡିଏଲ୍‌ ସିଇଓଙ୍କୁ ଭେଟିଲେ ଜଟଣୀ ବିଧାୟକ

‘ବିଜୁଳି ବିଭ୍ରାଟ ନହେବା ପାଇଁ ଉଦ୍ୟମ ଜାରି ରଖିଛୁ’

ଭୁବନେଶ୍ବର: କାଳବୈଶାଖୀରେ ବିଦ୍ୟୁତ ପୁନଃସଂଯୋଗ ଯଦି ଏତେ ଧିମା, ତେବେ ବାତ୍ୟାରେ ପରିସ୍ଥିତି କ’ଣ ହେବ? ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟୁତ ପୁନଃସଂଯୋଗ ପ୍ରସଙ୍ଗରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌(ଟିପିସିଓଡିଏଲ୍‌)ର ମନ୍ଥରଗତିକୁ ନେଇ ଗତକାଲି ଏଭଳି ପ୍ରଶ୍ନ ଉଠାଇବା ପରେ ତନାଘନା ହୋଇଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ସାମାନ୍ୟ କାଳବୈଶାଖୀରେ ସାରା ରାଜଧାନୀ ଅନ୍ଧାର ହୋଇଯିବା ଓ ପୁନଃସଂଯୋଗରେ ଏତେ ବିଳମ୍ବ ହେବା ପ୍ରସଙ୍ଗରେ ଟିପିସିଓଡିଏଲ୍‌କୁ ଆଜି ସାମ୍ବାଦିକମାନେ ଘେରିଥିଲେ। ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା ସିଇଓ ଅରବିନ୍ଦ ସିଂହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧରାଛୁଆଁ ଦେଇନଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଟିପିସିଓଡିଏଲ୍‌ ଅଫିସ୍‌ରେ ପହଞ୍ଚିଥିଲେ। ଶେଷରେ ସିଇଓ ନିଜ ଚାମ୍ବରରୁ ବାହାରି ଆସି ବିଭ୍ରାଟ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ ହୋଇଥିଲେ।

ଗତକାଲି ଅଧ ଘଣ୍ଟାଏ ପାଇଁ ହୋଇଥିବା କାଳବୈଶାଖୀରେ ସହର ଅନ୍ଧାର ହୋଇଯାଇଥିଲା। ପୂରା ରାଜଧାନୀବାସୀ ଏହି ବିଭ୍ରାଟର ଶିକାର ହୋଇଥିଲେ ଓ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। କିଛି ଜାଗାରେ ୩ଘଣ୍ଟାରୁ ୫ ଘଣ୍ଟା ପର୍ଯ୍ୟନ୍ତ ଲାଇନ୍ କଟିଥିବା ବେଳେ ସହରର ଛାତି ଉପରେ ଥିବା ଜନପଥରେ ବିଷ୍ଣୁ ଜଗନ୍ନାଥ ଭବନ ଓ ଲାବଣ୍ୟ କମ୍ପ୍ଲେକ୍ସକୁ ସାରା ରାତି ବିଜୁଳି ବିଚ୍ଛିନ୍ନ ରହିଥିଲା। ଏଠାରେ ଅଧିକାଂଶ ଔଷଧ ଦୋକାନ ଥିବାରୁ ବିଦ୍ୟୁତ ବିଚ୍ଛିନ୍ନ ଯୋଗୁ ଦାମୀ ଔଷଧ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ଅଧିକ ସମସ୍ୟା ହୋଇଥିଲା ବଡ଼ଗଡ଼ ଅଞ୍ଚଳରେ। ସାଇମନ୍ଦିର ଛକ ଓ ମେଘେଶ୍ବର କଲୋନିରେ ଅପରାହ୍ଣ ୪ଟାରୁ ରାତି ୪ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ରହିଥିଲା। ଲୋକେ ଭାବିଥିଲେ ଆଉ ସମସ୍ୟା ହେବ ନାହିଁ। କିନ୍ତୁ ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଲାଇନ୍‌ ଚାଲିଯାଇଥିଲା। ଫଳରେ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ଗତକାଲି ଏଭଳି ସମସ୍ୟାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟିପିସିଓଡିଏଲ୍‌ ବିରୋଧରେ ଅଭିଯୋଗ ଗଦା ହୋଇଥିଲା। ମୁଖ୍ୟ ଶାସନ ସଚିବ ମଧ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପୁନଃସଂଯୋଗ ପାଇଁ ଟିପିସିଓଡିଏଲ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଭିତ୍ତିଭୂମି ବିକାଶରେ ଏତେ ଟଙ୍କା ଖର୍ଚ୍ଚ ପରେ ବି ଏଭଳି ସ୍ଥିତି କାହିଁକି ‌ହେଉଛି ବୋଲି ବିରୋଧୀଙ୍କ ସହ ସାଧାରଣ ଉପଭୋକ୍ତା ପ୍ରଶ୍ନ ଉଠାଇଥିଲେ। ଆଜି ଏହା ଉପରେ ଟିପିସିଓଡିଏଲ୍‌ର ସିଇଓ ପ୍ରତିକ୍ରିୟା ନ ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଜଟଣୀ ବିଧାୟକଙ୍କ ହସ୍ତକ୍ଷେପ ପରେ ସେ ସୂଚନା ଦେଇଥିଲେ। ସେ କହିଥିଲେ, ଗତକାଲି ୧୫ ମିନିଟ୍‌ର କାଳବୈଶାଖୀର ତୀବ୍ରତା ବିଗତ ୧୫ ବର୍ଷ ମଧ୍ୟରେ ଦେଖାଯାଇ ନାହିଁ। ୪ଶହ କେଭି ଟାୱାର ଉପୁଡ଼ି ପଡ଼ିଛି। ୩୩ କେଭି ତାର ଛିଣ୍ଡିବା ସହ ଟ୍ରାନ୍‌ସ୍‌ଫର୍ମର ମଧ୍ୟ ପୋଡ଼ି ଯାଇଛି। ଏ ସବୁ ଯଥା ସମ୍ଭବ ପ୍ରସ୍ତୁତ କରିବାକୁ ଆମେ ଚେଷ୍ଟା କରିଛୁ। ଆମେ ପ୍ରଚେଷ୍ଟା ଜାରି ରଖିଛୁ ଯେଭଳି ବିଜୁଳି ବିଭ୍ରାଟ ହେବ ନାହିଁ।

ରାତିଅଧରେ ୪୫ ମିନିଟ୍‌ ଅନ୍ଧାର
ଭୁବନେଶ୍ବର: କାଳବୈଶାଖୀରେ ଘଣ୍ଟା ଘଣ୍ଟା ବିଜୁଳି ବିଚ୍ଛିନ୍ନ ହେଲା। ମୁଖ୍ୟ ଶାସନ ସଚିବଙ୍କ ଉଦ୍‌ବେଗ ଠାରୁ ଆରମ୍ଭ କରି ସହରବାସୀଙ୍କ ଅସନ୍ତୋଷ କିଛି କାମ ଦେଲାନି। ଆଜି ରାତି ଅଧରେ ପୁଣି ଲାଇନ୍‌ କଟିଲା। ଗତକାଲିର ତନାଘନା ପରେ ଅନ୍ତତଃ କିଛି ଦିନ ପର୍ଯ୍ୟନ୍ତ ବିଦ୍ୟୁତ ବିଭ୍ରାଟ ହେବ ନାହିଁ ବୋଲି ଯେଉଁ ଧାରଣା ଥିଲା ତାହା ଭୁଲ ପ୍ରମାଣିତ ହେଲା। ସହରର ଛାତି ଉପରେ ଥିବା ସହିଦନଗରରେ ସାଢ଼େ ୧୨ଟାରେ ଲାଇନ୍‌ କଟିଲା। ଚନ୍ଦ୍ରଶେଖରପୁରରେ ବି ଠିକ୍‌ ସେହି ସମୟରେ କଟିଲା। ଉଭୟ ପ୍ରମୁଖ ସ୍ଥାନରେ ୪୫ ମିନିଟ୍‌ ଧରି ବିଭ୍ରାଟ ଲାଗି ରହିଲା। ସହରର କେବଳ ଏହି ଦୁଇ ପ୍ରମୁଖ ସ୍ଥାନ ନୁହେଁ, ବରଂ ଅନ୍ୟ କେତେକ ସ୍ଥାନରେ ବି ବିଜୁଳି ଧୋକା ଦେଲା।

ତେଜିଲା ରାଜନୀତି
ଟାଟା ପାୱାର କମ୍ପାନି ଉପରେ ରାଜ୍ୟ ବିଦ୍ୟୁତ ବିଭାଗର କର୍ତ୍ତୃତ୍ବ ନାହିଁ। କମ୍ପାନି ଶକ୍ତି ବିଭାଗର ହର୍ତା କର୍ତ୍ତା ପାଲଟିଛି। ଯାହା ପାଇଁ ସାଧାରଣ ଲୋକ କଷ୍ଟ ଭୋଗୁଛନ୍ତି। ପବନରେ ତାର ନ ଛିଣ୍ଡିବା ପାଇଁ ଭୂତଳ କେବୁଲ୍‌ ବ୍ୟବସ୍ଥା ହେଉଥିଲା। କୁଆଡେ ଗଲା? ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ଲାଇନ୍‌ କଟି ଯାଉଛି। ସରକାର ଟାଟା ପାୱାରକୁ ସମ୍ପୂର୍ଣ୍ଣ କ୍ଷମତା ଦେଇଦେଇଛନ୍ତି ଯେଉଁଥିପାଇଁ ଏ ଦଶା ଭୋଗିବାକୁ ପଡୁଛି। ମନ ଇଚ୍ଛା ବିଦ୍ୟୁତ କାଟ୍‌ ହେଉଛି। ମନ୍ତ୍ରୀ କହିବେ ବିଦ୍ୟୁତ କାଟ ‘ଟେକ୍ନିକାଲ ପ୍ରୋବ୍‌ଲେମ୍‌’। କିନ୍ତୁ ସବୁବେଳେ ଘନ ଘନ ଲାଇନ୍ କାଟିଲେ ଆମେ କଣ କହିବା ଟେକ୍ନିକାଲ ପ୍ରୋବଲେମ୍?
ବିଜୟ ପଟ୍ଟନାୟକ, କଂଗ୍ରେସ ନେତା
ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି ଭୂତଳ କେବୁଲ ବିଛାଇବା ପାଇଁ ଗୋଟିଏ ଯୋଜନା କରିଥିଲେ। ଆଶା ଥିଲା ପ୍ରାକୃତିକ ବିପର୍ଯ୍ୟୟ ହେଲେ ମଧ୍ୟ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବ ନାହିଁ। କିନ୍ତୁ ଆଜି ଭୁବନେଶ୍ବରରେ ଗାଁ ଗହଳି ପରି ପରିସ୍ଥିତି ହୋଇଛି। ରାଜଧାନୀରେ କାଲି ୪ରୁ ୫ ଘଣ୍ଟା ଲାଇନ୍‌ କଟି ଯାଇଥିଲା। ବାସ୍ତବରେ ମୁଖ୍ୟ ଶାସନ ସଚିବ ଠିକ୍ କଥା କହିଛନ୍ତି। ଯଦି କାଳବୈଶାଖୀରେ ଏଭଳି ଅବସ୍ଥା ତେବେ ବାତ୍ୟା ହେଲେ କଣ ହେବ? ଏ ସରକାର ସମ୍ପୁର୍ଣ୍ଣ ଭାବେ ବିକ୍ରିବଟାର ସରକାର, ଟାଟା ପାୱାର ଲୋକଙ୍କୁ ଶୋଷଣ କରୁଛି।
ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ସାଧାରଣ ସମ୍ପାଦକ
ହଜାର ହଜାର କୋଟି ଟଙ୍କା ଭିତ୍ତିଭୂମିରେ ଖର୍ଚ୍ଚ ହେବା ପରେ ସମସ୍ତେ ନିଶ୍ଚିତ ଥିଲେ ବିଜୁଳି ବିଭ୍ରାଟ ହେବନାହିଁ। ଯଦି ବି ହୁଏ, ପୁନଃସଂଯୋଗରେ ବିଳମ୍ବ ହେବ ନାହିଁ। କିନ୍ତୁ କାଳବୈଶାଖୀ ଆମ ଆଖି ଖୋଲି ଦେଇଛି। ଖୋଦ୍‌ ମୁଖ୍ୟ ଶାସନ ସଚିବଙ୍କ ଉଦ୍‌ବେଗ ଟାଟା ପାୱାରର ‌ଦକ୍ଷତ‌ାକୁ ପ୍ରମାଣିତ କରିଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସମାଜବାଦୀ ପାର୍ଟି ଏକ ମିସନ୍‌ ଭାବରେ ନେଇଛି। ପରବର୍ତ୍ତୀ ପଦକ୍ଷେପ ପାଇଁ ଆସନ୍ତାକାଲି(ଶନିବାର) ଏହା ଉପରେ ପାର୍ଟି ଅଫିସ୍‌ରେ ମାନସମନ୍ଥନ ହେବ। ଏଣୁ ସହରବାସୀ ଏଥିରେ ଯୋଗଦେଇ ଉପଭୋକ୍ତାଙ୍କ ସ୍ବାର୍ଥ ପାଇଁ ଲଢେଇରେ ସାମିଲ ହୁଅନ୍ତୁ।
ରବି ବେହେରା, ରାଜ୍ୟ ସଭାପତି, ସମାଜବାଦୀ ପାର୍ଟି
କାଳବୈଶାଖୀ ହେଲେ ବିଦ୍ୟୁତ କଟିବ। କିନ୍ତୁ ଆମ ଉପଭୋକ୍ତା କିଭଳି ସୁବିଧାରେ ବିଦ୍ୟୁତ୍ ପାଇପାରିବେ, ତାହାରି ଭିତରେ କେମିତି ଉପଭୋକ୍ତାମାନେ ଅଧିକ ହଇରାଣ ନ ହେବେ, ତାହା ଉପରେ କମ୍ପାନି କାର୍ଯ୍ୟ କରୁ। କମ୍ପାନିର କାର୍ଯ୍ୟକୁ ଅନୁଧ୍ୟାନ ବା ସମୀକ୍ଷା କରିବା ପାଇଁ ଶକ୍ତି ବିଭାଗ ଅଛି, ସେମାନେ ଉଚିତ ପଦକ୍ଷେପ ନେବେ।
ଦେବୀ ମିଶ୍ର, ବିଜେଡି ବିଧାୟକ

 

ସମ୍ବନ୍ଧିତ ଖବର