ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଆଜି ଚନ୍ଦ୍ରଶେଖରପୁର ମଙ୍ଗଳାମନ୍ଦିର ଛକଠାରେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି। ଉଚ୍ଛେଦ ପାଇଁ ଯାଇଥିବା ଦଳକୁ ସ୍ଥାନୀୟ କର୍ପୋରେଟର୍ଙ୍କ ସହ ଉଠାଦୋକାନୀମାନେ ଜୋରଦାର ବିରୋଧ କରିଛନ୍ତି। ଉଚ୍ଛେଦ ପାଇଁ ଆସିଥିବା ଗାଡ଼ି ଆଗରେ ଆନ୍ଦୋଳନ କରିବା ସହ ଜେସିବିରେ ଚଢ଼ି ହୋହଲ୍ଲା କରିଛନ୍ତି। ଶେଷରେ ଉଚ୍ଛେଦ ବନ୍ଦ କରି ଉଚ୍ଛେଦକାରୀ ଦଳଙ୍କୁ ଫେରିବାକୁ ପଡ଼ିଛି।
ମଙ୍ଗଳାମନ୍ଦିର ଛକ ନିକଟରେ ଥିବା ଉଠାଦୋକାନୀଙ୍କୁ ଉଠାଇବାକୁ ଆଜି ସକାଳୁ ବିଏମ୍ସିର ଏନ୍ଫୋର୍ସମେଣ୍ଟ ଟିମ୍ ଯାଇଥିଲେ। ଉଚ୍ଛେଦ କରିବା ବେଳେ ଉଠାଦୋକାନୀ ସଂଘ ନେତ୍ରୀ ରଶ୍ମିରେଖା ଜେନା ଓ ଉଠାଦୋକାନୀମାନେ ତୀବ୍ର ବିରୋଧ କରିଥିଲେ। ପରେ ୭ ନମ୍ବର ୱାର୍ଡ଼ର କର୍ପୋରେଟର୍ ଯଶୋଧାରା ପ୍ରଧାନ ଓ ୧୪ ନମ୍ବର ୱାର୍ଡର କର୍ପୋରେଟର୍ ମୋନାଲିସା ସାହୁ ଘଟଣାସ୍ଥଳରେ ପହଞ୍ଚି ଉଚ୍ଛେଦସ୍ଥଳରେ ଉପସ୍ଥିତ ଉତ୍ତର ବିଏମ୍ସି ଡେପୁଟି କମିସନର ଓ ଅନ୍ୟ ଅଧିକାରୀଙ୍କୁ ଉଚ୍ଛେଦର ସରକାରୀ ଚିଠି ମାଗିଥିଲେ। ଯେ ପର୍ଯ୍ୟନ୍ତ ଚିଠି ନ ଦେଖାଇବ, ସେ ପର୍ଯ୍ୟନ୍ତ ଉଚ୍ଛେଦ କରି ପାରିବନି ବୋଲି କହିଥିଲେ। ଆଖପାଖ ଅଞ୍ଚଳ ଉଠାଦୋକାନୀ ସଂଘର କାର୍ଯ୍ୟକର୍ତ୍ତାମାନେ ବି ଏକାଠି ହୋଇ ଉଚ୍ଛେଦକୁ ବିରୋଧ କରିଥିଲେ। ଜଗବନ୍ଧୁ ବେହେରା, ବିକ୍ରମ ବାରିକ, କରୁଣାକର, ବିଜୟ ବେହେରା, ପ୍ରଦୀପ ମହାନ୍ତି, ଅକ୍ଷୟ ପରିଡ଼ା, ବାଉରୀବନ୍ଧୁ ବେହେରା ପ୍ରମୁଖ ଉଠାଦୋକାନୀ ଜେସିବି ସମ୍ମୁଖରେ ବସି ଆନ୍ଦୋଳନ କରିଥିଲେ। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ କୁମାର ସାହୁ, ଉପସଭାପତି ନିରଞ୍ଜନ ପାଣ୍ଡେ, ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ଶରତ ସାହୁ, ମଞ୍ଜୁ ନାୟକ ପ୍ରମୁଖ ପହଞ୍ଚି ବିଏମ୍ସି ଓ ମହାସଂଘ ସହ ହୋଇଥିବା ଆଲୋଚନାର ନକଲ ବିଏମ୍ସି କର୍ତ୍ତୃପକ୍ଷ ଓ ପୁଲିସଙ୍କୁ ଦେଖାଇବା ପରେ ବିଏମ୍ସି କର୍ତ୍ତୃପକ୍ଷ ଉଚ୍ଛେଦ ନକରି ଫେରି ଯାଇଥିଲେ।
ଯେଉଁଥିପାଇଁ ପ୍ରାୟ ୨ ଘଣ୍ଟା ଧରି ଆପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। କିନ୍ତୁ ପରେ ଫେଜ୍-୨ ପାଖରେ ଥିବା ମାଛଦୋକାନ ଓ ଫଳଦୋକାନକୁ ଭାଙ୍ଗିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କର୍ପୋରେଟର ଶ୍ରୀମତୀ ପ୍ରଧାନ ବିରୋଧ କରିଥିଲେ। ମୋ ଅଜାଣତରେ କେହି ବି ମୋ ୱାର୍ଡରୁ ଉଚ୍ଛେଦ କରିପାରିବେନି ବୋଲି କହିଥିଲେ। ଶେଷରେ ବିନା ଉଚ୍ଛେଦରେ ବିଏମ୍ସି ଏନ୍ଫୋର୍ସମେଣ୍ଟ ଦଳକୁ ଫେରିବାକୁ ପଡ଼ିଥିଲା। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘର ସଭାପତି ଶ୍ରୀ ସାହୁ କହିଛନ୍ତି, କିଛିଦିନ ହେଲାଣି ବିଏମ୍ସି ୩ଟି ୱାର୍ଡରେ ୫ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରିସାରିଲାଣି। ଏହି ଉଚ୍ଛେଦ ଫଳରେ ହଜାର ହଜାର ଉଠାଦୋକାନୀଙ୍କ ପରିବାର ଉଜୁଡ଼ିଯାଇଛି। ୟୁନିଟ୍- ୪, କଳ୍ପନା, ଡମଣା, କିଟ୍, କଳିଙ୍ଗ ଷ୍ଟୁଡ଼ିଓ, ପୋଖରୀପୁଟ, ବରମୁଣ୍ଡା ଅଞ୍ଚଳରେ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ଯଦି ବିଏମ୍ସି ୭ ଦିନ ମଧ୍ୟରେ ଥଇଥାନ ନକରେ, ଭୁବନେଶ୍ବର ସମସ୍ତ ଉଠାଦୋକାନୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ସାହୁ କହିଛନ୍ତି।
ଭୁବନେଶ୍ୱର: ୟୁନିଟ୍-୪ ହାଟରୁ ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଜବରଦଖଲ ଉଚ୍ଛେଦ କରିଛି। ରାସ୍ତା, ଡ୍ରେନ୍କୁ ମାଡ଼ି ବସି ବେପାର କରୁଥିବା ବହୁ ଦୋକାନକୁ ହଟାଯାଇଛି। ୟୁନିଟ୍-୪ ହାଟ ପ୍ରବେଶପଥ ସହ ଅନ୍ୟାନ୍ୟ ସ୍ଥାନରେ ପନିପରିବା ଦୋକାନୀଙ୍କଠାରୁ ଆରମ୍ଭ କରି ଅନ୍ୟ ଉଠାଦୋକାନୀମାନେ ରାସ୍ତାକୁ ମାଡ଼ି ବସି ବେପାର କରୁଥିଲେ। ଦୋକାନୀମାନେ ଯେଉଁ ଆବର୍ଜନା ବାହାରୁଥିଲା, ତାକୁ ସେହିଭଳି ରାସ୍ତାରେ ଫିଙ୍ଗି ପଳାଉଥିଲେ। ଯଦ୍ବାରା ଯା’ଆସ ରାସ୍ତା ସଂକୁଚିତ ହେବା ସହ ହାଟ ପରିସରର ପ୍ରଦୂଷିତ ହେଉଥିଲା। ଅନେକ ନାଳକୁ ମାଡ଼ି ବସି ଏହା ଉପରେ ବାଉଁଶ, ଜରିପାଲ ବାନ୍ଧି ବେପାର କରୁଥିଲେ। ନାଳକୁ ପୋତି ଦେଇଥିଲେ। ଏଣୁ ବର୍ଷା ଓ ନାଳ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଥିଲା। ଆଜି ସକାଳେ ବିଏମ୍ସିର ଏନ୍ଫୋର୍ସମେଣ୍ଟ ଟିମ୍ ଜେସିବି ସହ ପହଞ୍ଚି ଏହି ଜବରଦଖଲକାରୀଙ୍କୁ ହଟାଇଛି। ଆଜି ୫୦ରୁ ଅଧିକ ଦୋକାନ ଉଚ୍ଛେଦ କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଦେଖି ପୁଲିସ ଓ ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ନିୟୋଜିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/dgdadgzvcv-2025-10-31-03-28-01.jpg)