ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅନ୍ତର୍ଗତ କେଶରୀନଗର ୟୁନିଟ୍-୫ ଭେଙ୍କଟେଶ୍ବରବସ୍ତି(ରାଜୀବଭବନ ପଛ)ରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି। ବସ୍ତିବାସିନ୍ଦାମାନେ ବିଡିଏ ଗାଡ଼ିକୁ ଅଟକାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଏମ୍‌ସି ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଘଟଣାସ୍ଥଳରେ ପହଞ୍ଚି ଅଶାନ୍ତ ବସ୍ତିବାସିନ୍ଦାଙ୍କ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବା ପରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଫେରିବାକୁ ପଡ଼ିଛି। କିନ୍ତୁ ତୁରନ୍ତ ବସ୍ତି ଛାଡ଼ିବାକୁ ଚେତାବନୀ ଦିଆଯାଇଛି। ସପ୍ତାହେ ଭିତରେ ବସ୍ତିବାସିନ୍ଦାମାନେ ଘର ଖାଲି ନ କଲେ, କାହାରି ଗୁହାରି ଶୁଣାଯିବନି, ସମସ୍ତ ଘରକୁ ଉଚ୍ଛେଦ କରାଯିବ ବୋଲି ଚରମବାଣୀ ଶୁଣାଇଛି।
ରାଜୀବଭବନକୁ ଲାଗିଥିବା ସରକାରୀ ଜାଗା ଭେଙ୍କଟେଶ୍ବରବସ୍ତିବାସିନ୍ଦାଙ୍କ ଦଖଲରେ ରହିଛି। ବହୁଦିନରୁ ବସ୍ତିବାସିନ୍ଦାମାନେ ଏଠାରେ ଘର କରି ରହିଆସୁଛନ୍ତି। ପ୍ରାୟ ୩୫ ପରିବାର ଏଠାରେ ରହୁଛନ୍ତି। ରାଜ୍ୟ ସରକାର ଏଠାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପାଇଁ ବହୁତଳ କୋଠା ନିର୍ମାଣ କରିବାକୁ ଯୋଜନା କରିଛନ୍ତି।। ଏହି ବସ୍ତି ଉଚ୍ଛେଦ ଓ ୩୫ ପରିବାରକୁ ବିସ୍ଥାପନ ପୂର୍ବରୁ ସେମାନଙ୍କ ପାଇଁ ବୁଦ୍ଧବିହାରରେ ଘର ନିର୍ମାଣ କରାଯାଇଛି। ବିଏମ୍‌ସି ସ୍ବଳ୍ପମୂଲ୍ୟରେ ଏହି ଘର ଯୋଗାଇଦେବାର ବ୍ୟବସ୍ଥା କରିଛି। ଘରପିଛା ହିତାଧିକାରୀ ଦେୟ ୧.୫ ଲକ୍ଷ ଟଙ୍କା ରଖାଯାଇଛି। ସ୍ବଳ୍ପମୂଲ୍ୟର ଏହି ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ପରେ ବି ବସ୍ତିବାସିନ୍ଦାମାନେ ବସ୍ତି ଛାଡ଼ୁନାହାନ୍ତି କି ଘରବାବଦ ଦେୟ ଜମା କରୁନାହାନ୍ତି। ଏଣୁ କିଛିଦିନ ତଳେ ଏହି ବସ୍ତିକୁ ଖାଲି କରିବାକୁ ଏଠାର ବସ୍ତିବାସିନ୍ଦାଙ୍କୁ ନୋଟିସ୍ ଦିଆଯାଇଥିଲା। ଏହାସତ୍ତ୍ବେ ଅଦ୍ୟାବଧି କେହି ବସ୍ତି ଖାଲି କରିନାହାନ୍ତି। ଆଜି ହଠାତ୍‌ ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍ ସଦଳବଳ ମାଜିଷ୍ଟ୍ରେଟ୍‌ ଓ ପୁଲିସ ଉପସ୍ଥିତିରେ ଏଠାରେ ଉଚ୍ଛେଦ ଆରମ୍ଭ କରିଥିଲେ। କିଛି ଘର ଭାଙ୍ଗିବା ଆରମ୍ଭ କରିଛନ୍ତି କି ନାହିଁ ବସ୍ତିବାସିନ୍ଦାମାନେ ଦୃଢ଼ ବିରୋଧ କରିଥିଲେ।

Advertisment

ଗାଡ଼ି ଆଗରେ ଠିଆ ହୋଇ ପ୍ରତିବାଦ କରିଥିଲେ। ଅଧିକାରୀଙ୍କୁ ଉଚ୍ଛେଦ ପାଇଁ ଛାଡ଼ିନଥିଲେ। ଏହାକୁ କେନ୍ଦ୍ର କରି ବଚସା ପରେ ଆପୋସ ବୁଝାମଣାରେ ଅଧିକାରୀମାନେ ଫେରିଛନ୍ତି। ମଧ୍ୟ ବିଧାୟକ ଶ୍ରୀ ଜେନା କହିଛନ୍ତି, ଭେଙ୍କଟେଶ୍ବରବସ୍ତିବାସିନ୍ଦା ଗତ ୪୦ ବର୍ଷ ହେଲାଣି ରହିଲେଣି। ପାଖରେ ସରକାରୀ କ୍ବାର୍ଟର୍ସ ଥିଲେ ବି ଏହାକୁ ଖାଲି କରିବାକୁ ତିନିମାସ ସମୟ ଦିଆଯାଇଛି। କିନ୍ତୁ ବସ୍ତିବାସିନ୍ଦାଙ୍କୁ ସମୟ ନ ଦେଇ ଓ ସେମାନଙ୍କ ରହିବାର ବ୍ୟବସ୍ଥା ନକରି ଆଜି ବିଡିଏ ହଠାତ୍‌ ଉଚ୍ଛେଦ ଆରମ୍ଭ କରି ଦେଇଥିଲା। ତେବେ ବି‌ରୋଧ ଖବର ପାଇ  ସେ ଓ ମେୟର ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଡିଏ, ବିଏମ୍‌ସିର ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ସହ ବସ୍ତିବାସିନ୍ଦାଙ୍କୁ ସମୟ ଦେବାକୁ କୁହାଯାଇଥିଲା। ଯେ ପର୍ଯ୍ୟନ୍ତ ଭିତ୍ତିଭୂମି ପ୍ରସ୍ତୁତ ନ ହୋଇଛି, ସେ ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ବିଏମ୍‌ସି ଡେପୁଟି କମିସନର୍(ଏନ୍‌ଫୋର୍ସମେଣ୍ଟ) ଅଜୟ କୁମାର ମହାନ୍ତି କହିଛନ୍ତି, ଭେଙ୍କଟେଶ୍ବରବସ୍ତିବାସିନ୍ଦାଙ୍କ ପାଇଁ ବୁଦ୍ଧବିହାରଠାରେ ସ୍ବଳ୍ପମୂଲ୍ୟର ଘର ନିର୍ମାଣ ସରିଛି। କିନ୍ତୁ ବସ୍ତିବାସିନ୍ଦାମାନେ ବସ୍ତି ଛାଡ଼ୁନାହାନ୍ତି କି ରିହାତି ମୂଲ୍ୟରେ ମିଳୁଥିବା ଏହି ଘର ବାବଦ ଟଙ୍କା ଦେଉନାହାନ୍ତି। ବସ୍ତିବାସିନ୍ଦାମାନେ ଅନୁରୋଧ କରିବାରୁ ବସ୍ତି ଖାଲି କରିବାକୁ ସପ୍ତାହେ ମହଲତ ଦିଆଯାଇଛି। ଏହାବାଦ୍ ଘର ପାଇବାକୁ ଯୋଗ୍ୟ ପ୍ରତ୍ୟେକ ପରିବାର(ହିତାଧିକାରୀ) ପିଛା ୧.୫ ଲକ୍ଷ ଟଙ୍କା ଜମା ଦେବାକୁ କୁହାଯାଇଛି। ଯେଉଁମାନେ ଟଙ୍କା ଦେବେ, ଘର ପାଇବେ। ସପ୍ତାହେ ଭିତରେ ଯଦି ବସ୍ତି ଖାଲି ନହୁଏ, ଆମେ ଉଚ୍ଛେଦ କରିବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।