ରାଜଧାନୀ ସିଡବ୍ଲ୍ୟୁସିର କାର୍ଯ୍ୟକାଳ ଶେଷ: ଚିନ୍ତାରେ ‘ଆଶୀର୍ବାଦ’ ଯୋଜନା ଆବେଦନକାରୀ

ଖୋର୍ଦ୍ଧା ସିଡବ୍ଲ୍ୟୁସିରେ ବି ସମାନ ଅବସ୍ଥା

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀରେ ଥିବା ଅତିରିକ୍ତ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି)ର କାର୍ଯ୍ୟକାଳ ଶେଷ ହୋଇଯାଇଛି। ଆଗକୁ ନୂତନ କମିଟି ଗଠନ ହେବ ନା କାର୍ଯ୍ୟକାଳ ଶେଷ ହୋଇଥିବା କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯିବ ତାହା ଏ ଯାଏ ସ୍ପଷ୍ଟ ହୋଇନି। ହେଲେ କୋଭିଡ ଯୋଗୁଁ ଅନାଥ ହୋଇଯାଇଥିବା ଶିଶୁମାନଙ୍କ ପାଇଁ ସରକାର ଆରମ୍ଭ କରିଥିବା ‘ଆଶୀର୍ବାଦ’ ଯୋଜନାରେ ଆବେଦନକାରୀ ଏବେ ଚିନ୍ତାରେ। କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସେମାନଙ୍କ ଆବେଦନ ଉପରେ ସିଡବ୍ଲ୍ୟୁସି ଆବଶ୍ୟକ ପଦକ୍ଷେପ ନେଇପାରୁ ନ ଥିବା କୁହାଯାଇଛି।

ଜିଲ୍ଲାସ୍ତରରେ ଗୋଟିଏ ଲେଖାଏଁ ସିଡବ୍ଲ୍ୟୁସି କାର୍ଯ୍ୟ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ବରରେ ଅତିରିକ୍ତ ସିଡବ୍ଲ୍ୟୁସି ରହିଛି। ଗତ ଅଗଷ୍ଟ ୩୧ତାରିଖରେ ସିଡବ୍ଲ୍ୟୁସିର କାର୍ଯ୍ୟକାଳ ଶେଷ ହୋଇଯାଇଛି। ଯାହାଫଳରେ ସିଡବ୍ଲ୍ୟୁସି କାର୍ଯ୍ୟାଳୟ ଏକପ୍ରକାର ଖାଲି ପଡ଼ିଛି। ଯାହାଫଳରେ ଆବେଦନକାରୀଙ୍କୁ ଏଥିପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନା ଅନୁସାରେ, ଅଗଷ୍ଟ ୩୧ତାରିଖ ସୁଦ୍ଧା ରାଜଧାନୀ ସିଡବ୍ଲ୍ୟୁସି ଅଧୀନରେ ୮୪ଜଣଙ୍କ ଆବେଦନ କରାଯାଇଥିଲା। ତହିଁରୁ ୪୧ ଆବେଦନକାରୀଙ୍କ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟ ମାନଙ୍କର ଯାଞ୍ଚ ସମୟରେ ଆବେଦନ କାଟ୍‌ ଖାଇଛି କିମ୍ବା ସେମାନଙ୍କର ପରବର୍ତୀ ସମୟରେ ଯାଞ୍ଚ କରାଯିବ ତାହା ଜଣାପଡ଼ି ନାହିଁ। ସେହିପରି ଚଳିତମାସରେ ମଧ୍ୟରେ କିଛି ଆବେଦନ କରାଯାଇଛି। ଯେହେତୁ ସିଡବ୍ଲ୍ୟୁସିର କାର୍ଯ୍ୟକାଳ ‌ଶେଷ ହୋଇଯାଇଛି; ତେଣୁ ଆବେଦନକାରୀଙ୍କ କାଗଜପତ୍ର ଯାଞ୍ଚ ସହିତ ଅନୁମୋଦନ ବିଳମ୍ବ ହେବା ସ୍ପଷ୍ଟ ହୋଇଛି।

ରାଜଧାନୀରେ ଥିବା ଅତିରିକ୍ତ ସିଡବ୍ଲ୍ୟୁସିର ଜଣେ ସଦସ୍ୟଙ୍କ ସୂଚନା ଅନୁସାରେ, ୨୦୧୮ ମସିହାରେ ୩ବର୍ଷ ପାଇଁ ସିଡବ୍ଲ୍ୟୁସିର ସଦସ୍ୟମାନେ ନିଯୁକ୍ତ ହୋଇଥିଲେ। ନିକଟରେ ସମସ୍ତଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଯଦିଓ ଜରୁରୀ ପରିସ୍ଥିତିରେ ସିଡବ୍ଲସି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ତଥାପି ‘ଆଶୀର୍ବାଦ’ ଯୋଜନା ଆବେଦନକାରୀଙ୍କ ଯାଞ୍ଚ ନେଇ ସମସ୍ୟା ଦେଖାଦେଇଛି। ପୂର୍ବରୁ ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟ ଚାଲିଥିଲେ‌ ହେଁ ଯାଞ୍ଚ ସମୟରେ ଘଟଣାସ୍ଥଳକୁ ଯିବାକୁ ପଡ଼ିଥାଏ। ହେଲେ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏହା ସମ୍ଭବ ହୋଇପାରୁ ନାହିଁ। ନିକଟରେ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିବା ସିଡବ୍ଲ୍ୟୁସିର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ତେଣୁ ରାଜଧାନୀରେ ଥିବା ସିଡବ୍ଲ୍ୟୁସିର ମଧ୍ୟ କାର୍ଯ୍ୟକାଳ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ମାତ୍ର କାର୍ଯ୍ୟକାଳ କେବେ ବୃଦ୍ଧି ହେବ ତାହା ସ୍ପଷ୍ଟ ହୋଇ ନ ଥିବା ସଦସ୍ୟ ଜଣକ ସୂଚନା ଦେଇଛନ୍ତି।

ସେହିପରି ଖୋର୍ଦ୍ଧା ସିଡବ୍ଲ୍ୟୁସିର ଜଣେ ସଦସ୍ୟ କହିଛନ୍ତି, ଜିଲ୍ଲାରେ ‘ଆଶୀର୍ବାଦ’ ଯୋଜନାର ଆବେଦନକାରୀଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ହେଁ ସଦସ୍ୟମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ କେତେ ସଂଖ୍ୟକ ଆବେଦନକାରୀଙ୍କ କାଗଜପତ୍ର ଯାଞ୍ଚ ହୋଇଥିବା ସଂପର୍କରେ ସେ କିଛି ସୂଚନା ଦେଇ ପାରି ନ ଥିଲେ।

ସମ୍ବନ୍ଧିତ ଖବର