ଆରମ୍ଭ ହେଲା ଟେରାକୋଟା ପ୍ରଦର୍ଶନୀ

ପ୍ରଦର୍ଶିତ ହେଉଛି ୨୦ ଜିଲ୍ଲାର ୧୫୭ କାରିଗରଙ୍କ କାରିଗରୀ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ‘ପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ(ଟେରାକୋଟା)’ ପ୍ରଦର୍ଶନୀ। ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଅନ୍‌ଲାଇନ୍‌ରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ରାଜ୍ୟର ୨୦ଟି ଜିଲ୍ଲାର ୧୫୭ରୁ ଊର୍ଧ୍ବ କାରିଗର ଯୋଗ ଦେଇଛନ୍ତି। ପ୍ରଦର୍ଶନୀରେ ସମୁଦାୟ ୧୦୧ଟି ଷ୍ଟଲ ପଡ଼ିଥିବା ବେଳେ ଏହା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଦୀପାବଳିକୁ ନଜରରେ ରଖି ବିଭିନ୍ନ ପ୍ରକାରର ଦୀପ, ଦୀପଷ୍ଟାଣ୍ଡ, ହ୍ୟାଙ୍ଗିଙ୍ଗ୍‌ ଦୀପ, ଦ୍ବିମୁଖୀ, ତ୍ରିମୁଖୀ, ପଞ୍ଚମୁଖୀ ଓ ଭିନ୍ନଭିନ୍ନ ଆକାରର ଦୀପ ଏଠାରେ ଉପଲବ୍ଧ ହେଉଛି। ଏପରିକି ଷ୍ଟୋନ୍‌, ମାଳି, ଜିଙ୍କ୍‌ ଓ କ୍ରିଷ୍ଟାଲଖଚିତ ଦୀପ ମଧ୍ୟ ପ୍ରଦର୍ଶନୀରେ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପ୍ରଦର୍ଶନୀରେ କେନ୍ଦୁଝର, ଯାଜପୁର, ବାଲେଶ୍ବର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନରବଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼ ଓ କୋରାପୁଟ ଆଦି ରାଜ୍ୟର ୨୦ଟି ଜିଲ୍ଲାର କାରିଗରମାନେ ମାଟିରେ ନିଜର କାରିଗରୀ କୌଶଳକୁ ପ୍ରଦର୍ଶିତ କରୁଛନ୍ତି। ଏହି ପ୍ରଦର୍ଶନୀରେ ପ୍ରାୟ ୨୫ ଲକ୍ଷରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। ମେଳା ପରିସରରେ କାରିଗରମାନେ ଟେରାକୋଟା ହସ୍ତଶିଳ୍ପର କାରିଗରୀ କୌଶଳର ପ୍ରତ୍ୟକ୍ଷ ପ୍ରଦର୍ଶନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଉଦ୍‌ଘାଟନୀ ଅବସରରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ, ସ୍ବତନ୍ତ୍ର ଅଧିକାରୀ ସନାତନ ନାୟକ ଓ ସୁଧାଂଶୁ ରଞ୍ଜନ ପ୍ରଧାନ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଅନ୍‌ଲାଇନ୍‌‌ରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର