ଭୁବନେଶ୍ୱର: ‘ଟେରାକୋଟା ଓ କୁମ୍ଭାର ଶିଳ୍ପ’ ଓଡ଼ିଶାର ପ୍ରାଚୀନ ସଂସ୍କୃତି ଓ ଗରିମାମୟ ଐତିହ୍ୟର ପ୍ରତୀକ। ରାଜ୍ୟରେ ୩୬ ହଜାରରୁ ଅଧିକ କାରିଗର ଏହି ଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଛନ୍ତି। ଏହି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ସେମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ସହ ଏହି ସମୃଦ୍ଧ ହସ୍ତଶିଳ୍ପକୁ ଆଗକୁ ବଢାଇବାରେ ସହାୟକ ହେବ। ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୦୨୫’କୁ ଉଦ୍ଘାଟନ କରିବା ଅବସରରେ ଏଭଳି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଭାଗୀୟ କମିସନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ ଗୋଟିଏ ସ୍ଥାନରେ ଟେରାକୋଟା ଓ କୁମ୍ଭାର ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ ହସ୍ତଶିଳ୍ପୀମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ଏହି ଆୟୋଜନର ମୂଳ ଲକ୍ଷ୍ୟ ବୋଲି କହିଥିଲେ।
ଏହି ପ୍ରଦର୍ଶନୀ ଆସନ୍ତା ୧୯ ତାରିଖ ଯାଏଁ ଚାଲିବ। ଏଥିରେ ୨୧୦ଟି ଷ୍ଟଲ୍ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୫୦ ଜଣ ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ପାଖାପାଖି ୩ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ଉପ ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଚଳିତ ବର୍ଷ ବିଭାଗ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ୬୧ଟି ହସ୍ତଶିଳ୍ପରୁ ଆହୁରି ୨ଟି ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି। ରାଜ୍ୟର ୧୭ଟି ଜିଲ୍ଲାରେ ୧୮ଗୋଟି ନୂଆ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ତାଲିମ କେନ୍ଦ୍ରଗୁଡ଼ିକର ସୁପରିଚାଳନା ପାଇଁ ରାଜ୍ୟ ସରକାର ତାଲିମ କେନ୍ଦ୍ରର ମାସିକ ଦେୟ ମଧ୍ୟ ୨୦୦୦ଟଙ୍କାରୁ ପାଞ୍ଚ ହଜାର ଟଙ୍କା ଯାଏ ବୃଦ୍ଧି କରିଛନ୍ତି। ସେହିପରି ରାଜ୍ୟ ବାହାରକୁ ଯାଉଥିବା ହସ୍ତଶିଳ୍ପୀମାନଙ୍କ ଦୈନିକ ଭତ୍ତା ରାଜ୍ୟ ସରକାର ୩୦୦ରୁ ୫୦୦ଟଙ୍କାକୁ ବୃଦ୍ଧି କରିଛନ୍ତି।