ଭୁବନେଶ୍ବର : ଉତ୍ତରପ୍ରଦେଶ କି ବିହାର ନୁହେଁ; ରାଜଧାନୀ ଭୁବନେଶ୍ବରର ରାଜରାସ୍ତାରେ ଘଟିଗଲା ଏକ ବୀଭତ୍ସ ହତ୍ୟାକାଣ୍ଡ। ରାସ୍ତାରେ ଯାଉଥିବା ଶହଶହ ଲୋକ ଦେଖୁଥିଲେ, କେମିତି ଦୁଇ ଅଭିଯୁକ୍ତ ମିଶି ଗାଡ଼ି ଭିତରେ ଅନ୍ୟ ଜଣକୁ ଭୁଜାଲିରେ ହାଣି ପକାଉଛନ୍ତି। ହତ୍ୟାକାଣ୍ଡ ପରେ ଯାହା ଘଟିଲା, ତାହା ଆହୁରି ସମ୍ବେଦନଶୀଳ ଓ ଚିନ୍ତାଜନକ । ଲୋକେ ପୁଲିସ ଉପରେ ଭରସା ନ କରି ଆଇନକୁ ହାତକୁ ନେଇଗଲେ ଏବଂ ପୁଲିସକୁ ମାଡ଼ ମାରିବା ସହ ପୁଲିସ କବ୍ଜାରୁ ଦୁଇ ଅଭିଯୁକ୍ତକୁ ଛଡ଼ାଇ ନେଇ ପିଟିପିଟି ଲହୁଲୁହାଣ କରିଦେଲେ।
ଏହି ଅଭାବନୀୟ ଘଟଣା ପ୍ରମାଣ କରୁଛି ଯେ ରାଜଧାନୀରେ ପୁଲିସ ହାତରୁ ଖସି ଯାଉଛି ଆଇନଶୃଙ୍ଖଳା। ପୁଲିସକୁ ଅପରାଧୀଙ୍କ ଭୟ ରହୁନି କି ଲୋକଙ୍କର ପୁଲିସ ଉପରେ ଭରସା ରହୁନି। ବରଂ ପୁଲିସ ଉପରେ ଲୋକଙ୍କ ଅସନ୍ତୋଷ ବଢ଼ୁଛି।
/sambad/media/post_attachments/wp-content/uploads/2021/03/murder-crpf-chak.jpg)
ଗୋଟିଏ ପଟେ ରାଜଧାନୀରେ ଲୁଟେରା ଆତଙ୍କ ଖେଳାଇ ଚାଲିଛନ୍ତି। ରାଜରାସ୍ତାରୁ ଲୁଟ୍ କରିବା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଏପରିକି ଲୁଟ୍ ବେଳେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଅନ୍ୟପଟେ ଆଜିର ହତ୍ୟାକାଣ୍ଡ ଓ ଏହାର ପରବର୍ତ୍ତୀ ସମୟରେ ପିସିଆର ଭ୍ୟାନ ଭିତରୁ ଅଭିଯୁକ୍ତ ଦୁଇ ଭାଇଙ୍କୁ ପୁଲିସ ହେପାଜତରୁ ଛଡାଇ ରାଜରାସ୍ତାରେ ପିଟିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଶହଶହ ଲୋକଙ୍କ ଉପସ୍ଥିତିରେ ଘଟିଥିବା ଏହି ଘଟଣା କ୍ୟାମେରାରେ ପୂରା କଏଦ ହୋଇଛି ଏବଂ କେବଳ ରାଜଧାନୀ ନୁହେଁ; ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ଗିରଫ କରି କମିସନରେଟ ପୁଲିସ ବାହାବା ନେଉଥିବା ବେଳେ ବିଚ୍ ରାସ୍ତାରେ ହତ୍ୟାକାଣ୍ଡ ଓ ଲୋକେ ଆଇନକୁ ହାତକୁ ନେବା ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।
ଶନିବାର ପୂର୍ବାହ୍ନରେ ନୟାପଲ୍ଲୀର ଭିଆଇପି ଏରିଆରେ ବିଚ୍ ରାସ୍ତାରେ ଦୁଇ ଭାଇ ସାଗର ଓ ସୁଧୀର ପୂର୍ବ ଶତ୍ରୁତାରୁ ଟୁକୁନା ଦାସକୁ ହାଣି ହତ୍ୟା କଲେ। ଏହି ଘଟଣା ଯେତିକି ଜଘନ୍ୟ ଥିଲା ତାଠାରୁ ଆହୁରି ଦୁର୍ଭାଗ୍ୟଜନକ ଥିଲା ପୁଲିସ ହେପାଜତରୁ ଛଡ଼ାଇନେଇ ହତ୍ୟାକାରୀଙ୍କୁ ଆକ୍ରମଣ କରିବା। ଏଭଳି ଏକ ହତ୍ୟାକାଣ୍ଡ ପରେ ଥାନାର କୌଣସି ଅଧିକାରୀ କିମ୍ବା କମିସନରେଟ ପୁଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଲୋକଙ୍କ ଅସନ୍ତୋଷ ବଢ଼ି ଯାଇଥିଲା ଏବଂ ଏହାର ପ୍ରତିଫଳନ ଥିଲା ଲୋକଙ୍କ ସଂଘବଦ୍ଧ ଆକ୍ରମଣ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁବକଙ୍କ କହିବା ଅନୁସାରେ, ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଯେଉଁଭଳି ଢଙ୍ଗରେ ଘଟଣା ଘଟିଲା ତା କୌଣସି ଅପରାଧପ୍ରବଣ ରାଜ୍ୟଠାରୁ କମ୍ ନୁହେଁ। ଲାଗୁଛି ଯେମିତି ପୁଲିସ ଉପରେ ଲୋକଙ୍କ ଭରସା ତୁଟୁଛି। ଅପରାଧୀ କାହିଁକି ପୁଲିସ ଉପରେ ଭାରି ପଡୁଛନ୍ତି ତାହା ଜଣାପଡୁ ନାହିଁ।
/sambad/media/post_attachments/wp-content/uploads/2021/03/m6-2.jpg)
ଉତ୍ତ୍ୟକ୍ତ ଜନତା, ଅସହାୟ ପୁଲିସ
ଚଳନ୍ତା ଗାଡ଼ି ଭିତରେ ଦୁଇଜଣ ମିଶି ଟୁକୁନାକୁ ହାଣୁଥିଲେ। ସେ ଚିତ୍କାର କରୁଥିଲା। ଏଭଳି ଏକ ଦୃଶ୍ୟ ବୋଧହୁଏ ରାଜଧାନୀବାସୀ ପ୍ରଥମ ଥର ପାଇଁ ଦେଖୁଥିଲେ। ଆଇନଶୃଙ୍ଖଳାର ଏଭଳି ଅବସ୍ଥା ଦେଖି ଲୋକଙ୍କର ପୁଲିସ ଉପରେ ରାଗ ବଢ଼ିଥିଲା। ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ଅଭିଯୁକ୍ତଙ୍କୁ ପିଟିଥିଲେ। ପିସିଆର ଭାଙ୍ଗିବା ସହ ପୁଲିସ କର୍ମଚାରୀଙ୍କୁ ପିଟିଥିଲେ। ପିସିଆର ଭ୍ୟାନ୍ର ଚାବି ଛଡ଼ାଇ ନେଇ ପଳାଇଥିଲେ। ଶେଷ ପର୍ଯ୍ୟନ୍ତ ମଧ୍ୟ ଦେଇ ନ ଥିଲେ। ଯିଏ ଆସୁଥିଲା ସିଏ ପିଟୁଥିଲା। ତିନିଜଣ ପୁଲିସ କର୍ମଚାରୀ ଜାକିଜୁକି ହୋଇ ଛିଡ଼ା ହୋଇଥିଲେ। ପିଟୁଥିବା ଜଣେ ଯୁବକ କହିଥିଲେ, ପୁଲିସ ପାଖକୁ ଏମାନେ ଯିବେ। ପୁଲିସ କୋର୍ଟ ଚାଲାଣ କରିବା ପରେ ଏମାନେ ଫେରିବେ। ଜାମିନ୍ରେ ଫେରିବା ପରେ ପୁଣି ଆମମାନଙ୍କୁ ହାଣିବେ। ଏଣୁ ଏମାନଙ୍କୁ ଶାସ୍ତି ଦରକାର। ଉତ୍ତ୍ୟକ୍ତ ଜନତା ଅଧଘଣ୍ଟାଏ କାଳ ଅଭିଯୁକ୍ତ ଦ୍ବୟଙ୍କୁ ପିଟି ଚାଲିଥିବାବେଳେ ପୁଲିସ ଯେମିତି ଅସହାୟ ହୋଇ ପଡ଼ିଥିଲା।
/sambad/media/post_attachments/wp-content/uploads/2021/03/murder-crpf-m13.jpg)
କ୍ୟାପିଟାଲ୍ ହସ୍ପିଟାଲ୍ରେ ଶୋକାକୁଳ ପରିବେଶ
ଟୁକୁନା ଉପରେ ଆକ୍ରମଣ ଖବର ପାଇବା ପରେ ପ୍ରଥମେ ମା’ ଝୁନୁ ଦାସ କାନ୍ଦିକାନ୍ଦି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଟୁକୁନା ମରିଯାଇଛି ବୋଲ ସେ ଭାବିନଥିଲେ। ଚିକିତ୍ସା ପାଇଁ ଅଣାଯାଇଛି ଭାବି ସେ ପହଞ୍ଚିବା ବେଳକୁ ଟୁକୁନାର ମୃତଦେହ ଷ୍ଟ୍ରେଚରରେ ପଡ଼ିଥିଲା। ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ଝୁନୁ ନିର୍ବାକ୍ ହୋଇ ଯାଇଥିଲେ। ସେହିପରି ଦୀର୍ଘ ଘଣ୍ଟାଏ ପରେ କାମରୁ ଫେରିଥିଲେ ବାପା କୈଳାସ। ସାଇକେଲ୍ ଧରି ସେ ମେଡିକାଲ୍ରେ ପହଞ୍ଚିଥିଲେ। ସେ ମଧ୍ୟ ଟୁକୁନା ମରିଯାଇଛି ବୋଲି ବିଶ୍ବାସ କରିପାରୁନଥିଲେ।
ବନ୍ଧା ହେବେ ଆକ୍ରମଣକାରୀ
ଟୁକୁନା ହତ୍ୟା ଅଭିଯୁକ୍ତ ଦୁଇ ଭାଇ ଲୋକଙ୍କ ହାତରେ ପଡ଼ିଯିବା ପରେ ଯିଏ ଯେମିତି ପାରିଥିଲା ଉଭୟଙ୍କୁ ପିଟି ଚାଲିଥିଲା। ଏପରିକି ପୁଲିସ ଉଭୟଙ୍କୁ ହେପାଜତକୁ ନେବା ପରେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ି ନଥିଲା। ଲୋକେ ପିସିଆର୍ ଗାଡ଼ି ଭାଙ୍ଗିବା ସହ ଚାବି ଛଡ଼ାଇ ନେଇ ପୁଲିସକୁ ମାଡ଼ ମାରିଥିଲେ ଏବଂ ଅଭିଯୁକ୍ତକୁ ଟାଣି ନେଇ ପୁଣି ପିଟିଥିଲେ। ଏଭଳି ହିଂସାକାଣ୍ଡକୁ ନେଇ ନୂଆପଲ୍ଲୀ ଥାନା ପୁଲିସ ଅଜଣା ବ୍ୟକ୍ତିଙ୍କ ଏକ ମାମଲା ରଜୁ କରିଛି। ଯେଉଁମାନେ ପୁଲିସ ଗାଡ଼ି ଭାଙ୍ଗିଥିଲେ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ସେମାନଙ୍କୁ ଏବେ ଚିହ୍ନଟ କରାଯିବ। ପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଭାଇରାଲ ହେଉଥିବା ଭିଡିଓରୁ ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।
/sambad/media/post_attachments/wp-content/uploads/2021/03/murder-m2.jpg)
୬ ମାସ ତଳେ ବୋମା ଫିଙ୍ଗିଥିଲା
ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ଭାଇ କହିଛନ୍ତି; ଟୁକୁନା ପୂର୍ବରୁ ସେମାନଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ପ୍ରାୟ ୬ ମାସ ତଳେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ଟୁକୁନା ବୋମା ଫିଙ୍ଗିଥିଲା ବୋଲି କହିଛନ୍ତି ଦୁଇ ଭାଇ। ଏଥିରେ ଅବଶ୍ୟ କେହି ଆହତ ହୋଇ ନ ଥିଲେ। କିନ୍ତୁ ଦୁଇ ଭାଇ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ଯଦି ଘଟଣା ସତ ତାହେଲେ କାହିଁକି ଅଭିଯୋଗ କରି ନ ଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2021/03/murder-m16.jpg)
ତ୍ରିନାଥ ମନ୍ଦିର କାହା ପାଇଁ?
ସାହି ମୁଣ୍ଡରେ ରହିଛି ତ୍ରିନାଥ ମନ୍ଦିର। ଏହି ମନ୍ଦିରରେ ବସି ଯୁବକମାନେ ଗଞ୍ଜେଇ ଟାଣନ୍ତି। ଏଠାରେ ହିଁ ଉଭୟ ଅଭିଯୁକ୍ତ ଓ ମୃତକ ଅନେକ ବାର ଏକାଠି ହୋଇଛନ୍ତି। ଗଞ୍ଜେଇ ବି ଖାଇଛନ୍ତି। ଏଇଠି ବଚସା ହେବା ପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା। ଆଜି ଏଠାରୁ ହିଁ ପିକ୍ଅପ୍ ଭ୍ୟାନ୍ରେ ଟୁକୁନାକୁ ଅଭିଯୁକ୍ତ ଟେକି ନେଇଥିଲେ। ପ୍ରଶ୍ନ ଉଠୁଛି ଏହି ତ୍ରିନାଥ ମନ୍ଦିର କାହା ପାଇଁ? କିଏ ଏଠାରେ ପୂଜା କରେ? ପୁଲିସ ପାଖରେ ଏ ନେଇ ସମସ୍ତ ଖବର ଥିଲେ ମଧ୍ୟ କାହିଁକି ଏହି ମନ୍ଦିର ଉପରେ ନଜର ନ ଥିଲା?
ଫେଲ୍ ମାରୁଛି ‘ବସ୍ତିକୁ ଚାଲ’ ଯୋଜନା
ରାଜଧାନୀରେ ଘଟୁଥିବା ଅପରାଧ ମଧ୍ୟରୁ ୭୦ ପ୍ରତିଶତ ଅପରାଧର ବ୍ଲୁ ପ୍ରିଣ୍ଟ ବସ୍ତିରୁ ହିଁ ତିଆରି ହେଉଛି। ବସ୍ତିରେ ଅପରାଧୀମାନେ ଲୁଚି ରହୁଛନ୍ତି। ବସ୍ତିରୁ ଅପରାଧ କମାଇବା ସହ ସେମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଲାଗି କମିସନରେଟ ପୁଲିସ ପକ୍ଷରୁ ‘ବସ୍ତିକୁ ଚାଲ’ ଅଭିଯାନ ଆରମ୍ଭ ହୋଇଥିଲା। ଲୋକ ଦେଖାଣିଆ ଭାବେ ହାତଗଣତି କାର୍ଯ୍ୟକ୍ରମ କରି ବସି ପଡ଼ିଛି ପୁଲିସ। ନିଜ ନିଜ ଥାନା ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରିବା ଲାଗି ସବୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ଯୋଜନା ଫେଲ୍ ମାରିଛି। ପୁଲିସ ମଧ୍ୟ ଅପରାଧୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିପାରୁ ନାହିଁ। ଯାହା ପୁଲିସକୁ ବିଭିନ୍ନ ସମୟରେ ଅଡୁଆରେ ପକାଉଛି।
/sambad/media/post_attachments/wp-content/uploads/2021/03/m8.jpg)
ଜେଲ୍ ଫେରନ୍ତାଙ୍କ ଉପରେ ରହୁନି ନଜର
ହତ୍ୟାର ଶିକାର ହୋଇଥିବା ଟୁକୁନା ଓରଫ୍ ଜଟ ନାଁରେ ଦୁଇଟି ମାମଲା ରହିଛି। ସେ ଏବେ ଜାମିନରେ ଆସିଛି। କିନ୍ତୁ ଟୁକୁନା ଉପରେ ପୁଲିସ ନଜର ନ ଥିଲା। ଟୁକୁନା ଓ ହତ୍ୟାକାରୀ ଦୁଇ ଭାଇ ସାଗର ଏବଂ ସୁଧୀରଙ୍କ ସହ ପୂର୍ବରୁ ଶତ୍ରୁତା ରହିଥିଲା। ଗତ ୧୫ ଦିନ ତଳେ ଟୁକୁନା ସେମାନଙ୍କ ଗାଡି କାଚ ଭାଙ୍ଗି ଦେଇଥିଲା। ଗତକାଲି ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। କିନ୍ତୁ ଏହି ଖବର ପୁଲିସ କାନରେ ପହଞ୍ଚି ପାରି ନ ଥିଲା। କାହିଁକି ପୁଲିସ ପାଖରେ ଖବର ପହଞ୍ଚି ପାରୁନାହିଁ? ଗୁଇନ୍ଦା କେମିତି କାମ କରୁଛି? ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏହି ଘଟଣାରେ ପୁଲିସର ଗୁଇନ୍ଦା ଫେଲ୍ ମାରିଥିବା କୁହାଯାଉଛି।
ଦେଢ଼ ବର୍ଷ ହେଲା ହୋଇନି ପୁଲିସ-ପବ୍ଲିକ୍ ଜନସମ୍ପର୍କ ବୈଠକ
ଲୋକଙ୍କ ସହ ଯୋଡ଼ି ହେବା, ଉତ୍ତମ ସମ୍ପର୍କ ରଖିବା, ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ଖବର ପାଇବା ଲାଗି କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ପୁଲିସ-ପବ୍ଲିକ ଜନସମ୍ପର୍କ ବୈଠକ। ବିଭିନ୍ନ ଅଞ୍ଚଳରେ ଏହି ବୈଠକ ଅନୁଷ୍ଠିତ ହେଉଥିଲା। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକ, ସାଧାରଣ ଲୋକ ଯୋଗ ଦେଉଥିଲେ। ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ କହୁଥିଲେ। ପୁଲିସ କମିସନର, ଡିସିପି, ଜୋନ୍ ଏସିପି ଓ ଥାନା ଆଇଆଇସିମାନେ ଯୋଗ ଦେଉଥିଲେ। ଲୋକଙ୍କ ସମସ୍ୟାର ସମାଧାନ ବାଟ ବାହାର କରୁଥିଲେ। ପୁଲିସ ସହ ସିଧା ସଳଖ ସମ୍ପର୍କ ତିଆରି ହେଉଥିଲା। ପୁଲିସ ଲୋକଙ୍କ ପାଖରେ ପହଞ୍ଚି ପାରୁଥିବାରୁ ଏହି କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ ହୋଇ ପାରିଥିଲା। ପୁଲିସ ଲୋକଙ୍କ ପାଖରେ ପହଞ୍ଚୁଥିବାରୁ ଲୋକ ମଧ୍ୟ ଉତ୍ସାହ ଦେଖାଉଥିଲେ। କିନ୍ତୁ ଦେଢ଼ ବର୍ଷ ହେଲା ଏହି ବୈଠକ ବନ୍ଦ ହୋଇ ଯାଇଛି। ଗତବର୍ଷ ପ୍ରାୟ ୮ ମାସ ଧରି କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବୈଠକ ବନ୍ଦ ଥିଲା। କିନ୍ତୁ ଏବେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହୋଇପାରୁନି। ଯାହାଫଳରେ ପୁଲିସ ଉପରେ ଲୋକଙ୍କର ଭରସା ଆସିପାରୁ ନାହିଁ। ପୁଲିସ ଲୋକଙ୍କ ସହ ସମ୍ପର୍କ ବଢାଇଲେ ଏଭଳି ପରିସ୍ଥିତିରେ ସୁଧାର ଆସିପାରିବ ବୋଲି କହିଛନ୍ତି ଆଇନଜୀବୀ ସିଦ୍ଧାର୍ଥ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/murder-crpf-m1.jpg)