ପୁରୁଣା ଭୁବନେଶ୍ବର : ଏକ ଅଜଣା ବ୍ୟାଗ୍କୁ ନେଇ ଶନିବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଆତଙ୍କ ଖେଳି ଯାଇଥିଲା। ନୀଳ ରଙ୍ଗର ଏହି ବ୍ୟାଗ୍ଟି ଦୀର୍ଘ ସମୟ ଧରି ଏୟାରପୋର୍ଟ ଟର୍ମିନାଲ-୧ ସମ୍ମୁଖରେ ପଡ଼ି ରହିଥିଲା। ବୋମା ଭୟରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସିଆଇଏସ୍ଏଫ୍ ପକ୍ଷରୁ ବିଭିନ୍ନ ଗାଡ଼ି ଡ୍ରାଇଭର ଓ ଏୟାରପୋର୍ଟ କର୍ମଚାରୀଙ୍କୁ ପଚରାଯାଇଥିଲେ ସୁଦ୍ଧା ବ୍ୟାଗ୍ ସମ୍ପର୍କରେ କିଛି ସୂଚନା ମିଳିନଥିଲା। ପରେ ସନ୍ଧାନୀ କୁକୁର ଓ ମେଟାଲ ଡିଟେକ୍ଟର ସାହାଯ୍ୟରେ ବ୍ୟାଗ୍କୁ ଯାଞ୍ଚ କରାଯାଇଥିଲା। ଏଥିରେ କୌଣସି ମାରଣାସ୍ତ୍ର ନଥିବା ଜଣାପଡ଼ିବା ପରେ ସିଆଇଏସ୍ଏଫ୍ ପକ୍ଷରୁ ବ୍ୟାଗ୍କୁ ଜବତ କରାଯାଇଥିଲା। ୬ଇ-୬୦୯୧ ଜୟପୁର-ଭୁବନେଶ୍ବର ବିମାନ ଯାତ୍ରୀ ଶ୍ୟାମସୁନ୍ଦର ମଙ୍ଗଲ ବ୍ୟାଗ୍ଟିକୁ ଛାଡ଼ିଯାଇଥିଲେ। ସେ ପରିଚୟ ଦେଇ ସିଆଇଏସ୍ଏଫ ନିକଟରୁ ବ୍ୟାଗ୍କୁ ନେଇଥିଲେ।
ପ୍ରକାଶ ଥାଉକି, ଗତ ୨ତାରିଖ ବିଳମ୍ବିତ ରାତିରେ ଜଣେ କେହି ଏକ ବ୍ୟାଗ୍ ଏୟାରପୋର୍ଟ ଟର୍ମିନାଲ ନିକଟରେ ଛାଡ଼ି ପଳାଇଥିଲେ। ସେଦିନ ରାତିରେ ମଧ୍ୟ ବିମାନ ବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା।