ଭୁବନେଶ୍ବର: ଦିନ ଦି’ପହରେ ରାଜଧାନୀ ରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି। ନୂଆପଲ୍ଲୀ ଥାନା ତାରିଣୀ ମନ୍ଦିର ଛକରେ ୫ରୁ ୭ଜଣ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇବା ସହ ଦୁଇଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏଥିରେ ନୂଆପଲ୍ଲୀ ଗଡ଼ସାହିର ଶିବ ଜେନା ଓ କ୍ରିସ୍‌ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣରେ ଶିବଙ୍କ ଡାହାଣ ହାତ ପାପୁଲି, ପିଠି, କାନ୍ଧରେ ଗଭୀର କ୍ଷତ‌ ହୋଇଥିବା ବେଳେ କ୍ରିସ୍‌ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ତେବେ ପରେ ଏ ସଂପର୍କରେ ଶିବଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ତନାଘନା ଚଳାଇଥିବା ଜଣାଯାଇଛି। ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଧିରିକୁଟ ବସ୍ତିରେ ବାର୍ଥ-ଡେ’ ପାର୍ଟି ନାଁରେ ୨୦ରୁ ଅଧିକ ଯୁବକ ଆତଙ୍କ ଖେଳାଇବା ଘଟଣାକୁ ଦୁଇ ଦିନ ନପୂରୁଣୁ ଆଜି ଜନଗହଳିପୂର୍ଣ୍ଣ ନୂଆପଲ୍ଲୀ ଅଞ୍ଚଳରେ ଘଟିଥିବା ଏହି ଆପରାଧିକ ଘଟଣା ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ପୁଲିସ ସୂଚନା ମୁତାବକ, ଶିବ ଓ କ୍ରିସ୍‌ ସହ ଅନ୍ୟ ଅଭିଯୁକ୍ତମାନଙ୍କ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଆଜି ଦିନ ପାଖାପାଖି ଗୋଟାଏ ବେଳେ ଶିବ ଓ କ୍ରିସ୍‌ ବାଇକ୍‌ରେ ଘରକୁ ଫେରୁଥିଲେ। ସେମାନେ ତାରିଣୀ ମନ୍ଦିର ଗଳିରେ ଯାଉଥିବା ବେଳେ ୫ରୁ ୭ଜଣ ଯୁବକ ଏକ ବାଇକ୍‌ରେ ଆସି ଅଚାନକ ଆକ୍ରମଣ କରିଥିଲେ। ହାତରେ ଖଣ୍ଡା, ଭୁଜାଲି ଧରି ସେମାନେ ଦୁହିଁଙ୍କୁ ହାଣିଥିଲେ। ଜୀବନ ବିକଳରେ ଦୁହେଁ ବାଇକ୍‌ ଛାଡ଼ି ଦୌଡ଼ିଥିଲେ ହେଁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଆଖପାଖରେ ବହୁ ଲୋକ ଥିଲେ ହେଁ ଅଭିଯୁକ୍ତମାନଙ୍କ ହିଂସ୍ର ରୂପ ଦେଖି କେହି ସେମାନଙ୍କୁ ଅଟକାଇବା ପାଇଁ ସାହସ ଜୁଟାଇ ପାରିନିଲେ। ଦୁହେଁ ଆହତ ହୋଇ ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ଅପରପକ୍ଷେ ସର୍ବସାଧାରଣରେ ଦୁର୍ବୃତ୍ତମାନେ ଏଭଳି ଆତଙ୍କ ଖେଳାଇବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।