ତାରିଣୀ ବସ୍ତିରେ ବୁଲିଲା ଖଣ୍ଡା; ଘରେ ପଶି ଭାଙ୍ଗିଲେ, ହାଣିବାକୁ ଗୋଡ଼ାଇଲେ

କ୍ୟାମେରାରେ କଏଦ୍‌ ସମସ୍ତ ଦୃଶ୍ୟ

ଭୁବନେଶ୍ବର : ମଙ୍ଗଳବାର ଅପରାହ୍‌ଣ ପାଖାପାଖି ସାଢ଼େ ଗୋଟାଏ ହେବ। ହଠାତ୍‌ ସହିଦନଗର ଥାନା ତାରିଣୀ ବସ୍ତି ରଣକ୍ଷେତ୍ର ପାଲଟିଯାଇଥିଲା। ଦିନ ଦ୍ବି’ପହରେ ବସ୍ତିରେ ବୁଲିଲା ଖଣ୍ଡା, ଭୁଜାଲି। ୮/୧୦ ଜଣ ଯୁବକ ହାତରେ ଖଣ୍ଡା, ଭୁଜାଲି, ଲୁହାପାଇପ, ଠେଙ୍ଗା ଧରି ବସ୍ତିରେ ଆତଙ୍କ ଖେଳାଇଲେ। ଯାହାକୁ ପାରିଲେ ତାକୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କଲେ। ଏମିତି ଆତଙ୍କରାଜ ଦେଖି ସ୍ଥାନୀୟ ଲୋକେ ଜୀବନବିକଳରେ ଦୌଡ଼ିଲେ। ଭୟରେ ଘର କବାଟ ବନ୍ଦ କରି ବାହାରକୁ ବାହାରି ନଥିଲେ। ଏସବୁ ଦୃଶ୍ୟ ମୋବାଇଲ୍‌ କ୍ୟାମେରାରେ କଏଦ୍‌ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜଧାନୀର ଛାତି ଉପରେ ଏଭଳି ଆତଙ୍କରାଜ ସୃଷ୍ଟି କରି ଅପରାଧୀମାନେ କମିସନରେଟ୍‌ ପୁଲିସକୁ ଚ୍ୟାଲେଞ୍ଚ ଦେଇଛନ୍ତି।

ସୂଚନା ମୁତାବକ, ଏହି ଦୁର୍ବୃତ୍ତମାନେ ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବସ୍ତିର ଗୀତା ସଂଗ୍ରାମସିଂହ ନାମକ ଜଣେ ମହିଳାଙ୍କୁ ଖୋଜିଥିଲେ। ତାଙ୍କୁ ନପାଇବାରୁ ପରିବାର ଓ ସମ୍ପର୍କୀୟ ଯିଏ ତାଙ୍କ ସାମ୍ନାକୁ ଆସିଲା ତାକୁ ନିସ୍ତୁକ ପିଟି ଚାଲିଥିଲେ। ଘରେ ପଶି ଜିନିଷପତ୍ର ଭାଙ୍ଗିଥିଲେ। କିଛି ସମୟ ପରେ ଗୀତା ଘଟଣାସ୍ଥଳରେ ପହଞ୍ଚିବାରୁ ଅଚାନକ କେତେକ ମହିଳା ତାଙ୍କୁ ଠେଙ୍ଗାରେ ଆ୍ରକମଣ କରିଥିଲେ। ଯୁବକମାନେ ମଧ୍ୟ ଗୀତା ଏବଂ ତାଙ୍କ ସମ୍ପର୍କୀୟଙ୍କୁ ହାଣିବାକୁ ଗୋଡ଼ାଇଥିଲେ। ଭୟରେ ପରିବାରଲୋକ ଘରେ ପଶି କବାଟ ଦେଇଦେଇଥିଲେ। ହେଲେ ଉତ୍ତ୍ୟକ୍ତ ଯୁବକମାନେ ଘର କାବଟ ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କରିଥିଲେ।

ଏହି ଖରବ ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ଗୀତା ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଯୁବକମାନେ କିଏ? ବସ୍ତିରେ ପଶି ଗୀତା ଓ ତାଙ୍କ ପରିବାରକୁ କାହିଁକି ଏଭଳି ଆକ୍ରମଣ କରିଥିଲେ? ଏହାପଛରେ ଆଉ କେଉଁମାନେ ଅଛନ୍ତି? ଆଦି ପ୍ରଶ୍ନର ଉତ୍ତର ଏଯାଏ ମିଳିନାହିଁ। ଏନେଇ ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘଟଣା କାଲିଠାରୁ ଘଟିଥିଲେ ବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ପାଟ୍ରୋଲିଂ ସତ୍ତ୍ବେ ଯୁବକମାନେ ମଝିରେ ମଝିରେ ଆସି ଧମକ ଦେଇଯାଉଥିବା ଗୀତା କହିଛନ୍ତି। ସେମାନଙ୍କ ଜୀବନ ପ୍ରତି ଭୟ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର