ଭୁବନେଶ୍ବର : ନିକଟରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ୍ର ତିନିଜଣଙ୍କୁ କମିସନରେଟ୍ ପୁଲିସ ଧରିଥିଲେ ମଧ୍ୟ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଥମିବାର ନାଁ ଧରୁନାହିଁ। ଆଜି କନ୍ଧମାଳର ଜଣେ ଯୁବକ ଏଭଳି ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ନିଶା ଦେଇ ଲୁଟେରା ତାଙ୍କୁ ବେହୋସ କରି ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ସେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।
ଲୁଟର ଶିକାର କନ୍ଧମାଳ ଫିରିଙ୍ଗିଆର ଅମିତ କହଁରଙ୍କ ଅଭିଯୋଗ ମୁତାବକ, ତାଙ୍କ ଭଉଣୀ କିସ୍ରେ ପଢ଼ନ୍ତି। ସେ ତାଙ୍କୁ ଛାଡ଼ିବା ପାଇଁ ବସ୍ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ଭଉଣୀଙ୍କୁ କିସ୍ରେ ଛାଡ଼ି ସନ୍ଧ୍ୟାରେ ସେ କନ୍ଧମାଳ ଯିବା ପାଇଁ ବରମୁଣ୍ଡାରେ ଅପେକ୍ଷା କରିଥିଲେ। ସେଠାରେ ପୂର୍ବରୁ ବସିଥିବା ତିନିଜଣ ଯୁବକ ତାଙ୍କ ସହ କଥାବାର୍ତ୍ତା ହେବା ସହ ସେମାନେ ମଧ୍ୟ କନ୍ଧମାଳ ଯାଉଥିବା କହିଥିଲେ। ବସ୍ ବିଳମ୍ବିତ ରାତିରେ ଥିବା ମଧ୍ୟ ସୂଚନା ଦେଇଥିଲେ। କିଛି ସମୟ ବସିବା ପରେ ସେମାନେ ଅମିତଙ୍କୁ କିଛି ଶୁଂଘାଇ ଦେଇଥିଲେ। ଏହା ପରେ ସେମାନେ ତାଙ୍କୁ ଗାଡ଼ିରେ ବସାଇ ପଣ୍ଡାକୁଡ଼ିଆ ବସ୍ତି ଆଡ଼କୁ ନେଇ ଆସି ୫ ହଜାର ଟଙ୍କା ସହ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ତାଙ୍କର ହୋସ୍ ଆସିବା ପରେ ସେ ଲୁଟେରାଙ୍କ ଶିକାର ହୋଇଥିବା ଜାଣିଥିଲେ। ପରେ ଥାନାରେ ଅଭିଯୋଗ କରିଥିଲେ।